ଅକ୍ଟୋବରରୁ ମଇଦାନକୁ ଓହ୍ଲାଇବ ବିଜେଡି

ସରକାରୀ କର୍ମଚାରୀମାନେ ମଧ୍ୟ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି ।

ଅକ୍ଟୋବରରୁ ମଇଦାନକୁ ଓହ୍ଲାଇବ ବିଜେଡି

ବିଜେଡିକୁ ପୁଣି ଥରେ ଛିଡ଼ା କରିବାକୁ ଦଳର ସଭାପତି ନବୀନ ପଟ୍ଟନାୟକ ପୂରା ଦମ୍ ଲଗାଇ ଦେଇଛନ୍ତି । ଶୁକ୍ରବାର ଦିନ ତମାମ ଶଙ୍ଖ ଭବନରେ ଚାଲିଥିଲା ମାରାଥନ ବୈଠକ । ୩୩ଟି ସାଂଗଠନ ଜିଲ୍ଲାର ସଭାପତି, ସମନ୍ୱୟ କମିଟି, ନୂଆ କରି ଗଢ଼ାଯାଇଥିବା ୩ କମିଟି, ବରିଷ୍ଠ ନେତା ଓ ଛାମୁଆ ସଂଗଠନର ନେତାଙ୍କ ସହ ନବୀନ ଆଲୋଚନା କରିଛନ୍ତି ।

ଦଳ ନିଷ୍ପତ୍ତି ନେଇଛି, ଅକ୍ଟୋବରରୁ ମଇଦାନକୁ ଓହ୍ଲାଇବ । ପ୍ରତିବର୍ଷ ଭଳି ଏଥର ବି ପଦଯାତ୍ରା ହେବ ଜିଲ୍ଲା, ନିର୍ବାଚନମଣ୍ଡଳୀ, ବ୍ଲକ ଓ ପଞ୍ଚାୟତ ସ୍ତରରେ । ଖାଲି ସେତିକି ନୁହେଁ, ସଭ୍ୟ ସଂଗ୍ରହ ଅଭିଯାନକୁ ତେଜିବ ବିଜେଡି । ଦୁଇ ମାସ ଧରି ରାଜ୍ୟବ୍ୟାପୀ ସଭ୍ୟ ସଂଗ୍ରହ କରାଯିବ । 

ବୈଠକରେ ନବୀନ କହିଛନ୍ତି, ପ୍ରତିବର୍ଷ ପରି ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଗାନ୍ଧି ଜୟନ୍ତୀରୁ ଆରମ୍ଭ ହେବ । ଅକ୍ଟୋବର ୬ରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ସରିବ । ପୂଜା ପରେ ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ଅକ୍ଟୋବର ୨୧ରୁ ୩୦ ପର୍ଯ୍ୟନ୍ତ ଚାଲିବ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅକ୍ଟୋବର ୯ରୁ ଡିସେମ୍ବର ୯ ତାରିଖ ଦୁଇ ମାସ ପର୍ଯ୍ୟନ୍ତ ସଭ୍ୟ ସଂଗ୍ରହ ଅଭିଯାନ ଚାଲିବ । ସୋସିଆଲ ମିଡିଆକୁ ଅଧିକ ସକ୍ରିୟ କରିବା ସହିତ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନର ବିପୁଳ ସଫଳତା ଦିଗରେ ନିଷ୍ଠାପର ଭାବରେ କାର୍ଯ୍ୟ କରିବାକୁ ଦଳୀୟ ନେତୃବୃନ୍ଦ ଓ ପଦାଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ନବୀନ । 

ଏହି ଅବସରରେ ସେ ବିଜେପି ସରକାରର ବିଫଳତା ସମ୍ପର୍କରେ କହିଥିଲେ । ଦରଦାମ ବୃଦ୍ଧିଠାରୁ ଆରମ୍ଭ କରି ନାରୀ ସୁରକ୍ଷା, ପୁଞ୍ଜି ବିନିଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ଓଡ଼ିଶାରେ ବିଜେପି ସରକାର ବିଫଳ ହୋଇଛି । ଏ ସରକାର ଶହେ ଦିନ ପୂରଣ କରିସାରିଲାଣି । କିନ୍ତୁ ସରକାରର ବିଫଳତା ଆଜି ସବୁଆଡ଼େ ନିରାଶା ସୃଷ୍ଟି କରିଛି । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କୁ ଘର ଚଳାଇବା କଷ୍ଟ କରି ହେଲାଣି । ନାରୀ ନିର୍ଯାତନା ବଢିଚାଲିଛି ।