ଭୁବନେଶ୍ବର ରେ ଅମିତ ଶାହ
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଲେ ଅମିତ ଶାହ

ଭୁବନେଶ୍ବର: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରାତି ପ୍ରାୟ ୧୧.୫୦ ସମୟରେ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନରେ ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ରାଜ୍ୟ ବିଜେପିର ଶୀର୍ଷ ନେତ୍ରୁବୃଦ ତାଙ୍କୁ ସ୍ବାଗତ କରିଥିଲେ । ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଜଗନ୍ନାଥ ପ୍ରଧାନ, ସୁନୀତ ମୁଣ୍ଡ ପ୍ରମୁଖ ଉପସ୍ଥିତ ଅଛନ୍ତି। ବିଳମ୍ବିତ ରାତି ହୋଇଥିଲେ ବି ବିଭିନ୍ନ ବାଦ୍ୟ ଓ ଲୋକନୃତ୍ୟ ମାଧ୍ୟମରେ ଶାହଙ୍କୁ ବିମାନବନ୍ଦରୁ ପାଛୋଟି ନିଆ ଯାଇଥିଲା । ବିମାନବନ୍ଦରରୁ ଶ୍ରୀ ଶାହ ହୋଟେଲ ଅଭିମୁଖେ ଯାତ୍ରା କରିଥିଲେ । ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଥିଲେ।
ଶନିବାର ପୂର୍ବାହ୍ନ ୧୧ଟାରେ ଲୋକସେବା ଭବନରେ ଭର୍ଚୁଆଲ ମାଧ୍ୟମରେ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ।ସୁକିନ୍ଦା-କମାକ୍ଷାନଗର ଓ ଚଣ୍ଡିଖୋଲ-ଭଦ୍ରକ ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ ହେବ। ଏହି କାର୍ଯ୍ୟକ୍ରମ ଘଣ୍ଟାଏ ଧରି ଚାଲିବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜାତୀୟ ରାଜପଥ ଅଧିକାରୀମାନେ ଯୋଗ ଦେବେ। ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ ପର୍ଯ୍ୟନ୍ତ ଲୋକସେବା ଭବନରେ ନକ୍ସଲ ଦମନ ପଦକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମୀକ୍ଷା ବୈଠକରେ ମଧ୍ୟ ଶ୍ରୀ ଶାହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ମୋବାଇଲ ନେଟଵର୍କ ଅପହଞ୍ଚ ଇଲାକାରେ ଟାଵାର ସ୍ଥାପନ ସହ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସଂକ୍ରାନ୍ତୀୟ କିଛି ଦାବି ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିପାରନ୍ତି। ସେହିପରି ନକ୍ସଲ ଦମନ ମୁକାବିଲା ସମ୍ପର୍କରେ ଆଲୋଚନା ହେବ। ଲୋକସେବା ଭବନରେ ବୈଠକ ଶେଷ ହେଲା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ ବୈଠକରେ ଶ୍ରୀ ଶାହ ଯୋଗ ଦେବେ। ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଦଳୀୟ କର୍ମକର୍ତ୍ତା ଓ ବରିଷ୍ଠ ନେତୃବୃନ୍ଦଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିବେ। ସଂନ୍ଧ୍ୟା ୬ଟାରେ ଭୁବନେଶ୍ୱର ଛାଡିବା ପୂର୍ବରୁ ବିମାନ ବନ୍ଦର ଲାଉଞ୍ଜରେ ବି ଦଳୀୟ କର୍ମୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।