ରାଜ୍ୟର ୫ ଜଣ ସାମ୍ବାଦିକ ସମ୍ମାନିତ

ରାଜ୍ୟର ୫ ଜଣ ସାମ୍ବାଦିକଙ୍କୁ ମିଳିଲା ‘ଓଡ଼ିଶା ଜର୍ଣ୍ଣାଲିଜମ୍ ଆୱାର୍ଡ: ବିଜେତାଙ୍କୁ ସମ୍ମାନିତ କଲେ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟର ୫ ଜଣ ସାମ୍ବାଦିକ ସମ୍ମାନିତ

ନୂଆଦିଲ୍ଲୀ : ଆଜି ରାଜ୍ୟର ୫ ଜଣ ସାମ୍ବାଦିକଙ୍କୁ ପ୍ରଦାନ କରାଯାଇଛି ‘ଓଡ଼ିଶା ଜର୍ଣ୍ଣାଲିଜମ ଆୱାର୍ଡ-୨୦୨୨’ । ଛାପା, ବୈଦ୍ୟୁତିକ ଓ ୱେବ ମିଡ଼ିଆ କ୍ଷେତ୍ରରେ ଭାରତୀୟ ସାମ୍ବାଦିକତା ଜଗତକୁ ବିଶେଷ ଅବଦାନ ପାଇଁ ଏହି ସାମ୍ବାଦିକମାନଙ୍କୁ ପୁରସ୍କୃତ କରାଯାଇଛି । ଏନେଇ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କରୁଥିବା ‘ପଲ୍ଲୀବାଣୀ ମିଶନ’ ପକ୍ଷରୁ ଆୟୋଜିତ ‘ସାମ୍ବାଦିକତା ପୁରସ୍କାର ସମାରୋହ-୨୦୨୩ ’ରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଓ ପତଞ୍ଜଳିର ଚେୟାରମ୍ୟାନ ଆଚାରିୟା ବାଲ୍ କୃଷ୍ଣ  ଯୋଗ ଦେଇଥିଲେ । 

‘ସମ୍ବାଦ’ର ଡିଜିଏମ-ନ୍ୟୁଜ ଭବାନୀ ଶଙ୍କର ତ୍ରିପାଠୀ, ‘କଳିଙ୍ଗ ଟିଭି’ର ମୁଖ୍ୟ ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ, ‘ଓଟିଭି’ର ପଶ୍ଚିମ ଓଡ଼ିଶାର ମୁଖ୍ୟ ମନୋରଞ୍ଜନ ଯୋଶୀ, ‘ପ୍ରମେୟ’ର ମୁଖ୍ୟ ନ୍ୟୁଜ୍ କୋ-ଅର୍ଡିନେଟର ସୁଦୀପ କୁମାର ରାଉତ, ‘ଅର୍ଗସ’ ନ୍ୟୁଜର କାର୍ଯ୍ୟନିର୍ବାହୀ ସମ୍ପାଦକ ଦୁର୍ଗାଶୀଷଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୂଚନା ଓ ପ୍ରସାରଣ ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ଉପସ୍ଥିତ ରହି ବିଜେତାଙ୍କୁ ସମ୍ମାନିତ କରିଥିଲେ ।

ଓଡ଼ିଶା ସାହିତ୍ୟ ଓ ସଂସ୍କୃତି ଉପରେ କାର୍ଯ୍ୟ କରୁଥିବା ଦିଲ୍ଲୀ ସ୍ଥିତ ପଲ୍ଲିବାଣୀ ମିଶନ ପକ୍ଷରୁ ଏହି ଓଡ଼ିଶା ଜର୍ଣ୍ଣାଲିଜିମ ଆୱାର୍ଡ-୨୦୨୩ ପ୍ରଦାନ କରାଯାଇଛି । ତେବେ ମହିଳା ସାମ୍ବାଦିକକାଙ୍କ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଲ୍ଲୀବାଣୀ ପ୍ରତିଷ୍ଠାନ ତରଫରୁ ଆରମ୍ଭ ହୋଇଥିବା ପ୍ରତିଭା ପଟ୍ଟନାୟକ ଉକ୍ରର୍ଷ ସାମ୍ବାଦିକତା ପୁରସ୍କାର ବର୍ଗରେ ସାମ୍ବାଦିକା ସାରଦା ଲାହାଙ୍ଗୀରଙ୍କୁ ପୁରସ୍କୃତ କରାଯାଇଛି । ଓଡ଼ିଶାର ସାମ୍ବାଦିକତା କ୍ଷେତ୍ରକୁ ଅବଦାନ ଦେଇ ଆସିଥିବା ବ୍ୟକ୍ତିବିଶେଷଙ୍କୁ ଗତ ୫ ବର୍ଷ ହେଲା ପଲ୍ଲୀବାଣୀ ମିଶନ ପକ୍ଷରୁ ଓଡ଼ିଆ ଜର୍ଣ୍ଣାଲିଜମ ଆୱାର୍ଡ ପ୍ରଦାନ କରାଯାଇ ଆସୁଛି ।

ଏହି ଅବସରରେ କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଅଭିଭାଷଣ ରେ କହିଥିଲେ ଯେ 

ଓଡ଼ିଶାର ସାମ୍ବାଦିକ ବନ୍ଧୁ ମାନଙ୍କୁ ପୁରସ୍କୃତ କରି ମୁଁ ଆଜି ଗର୍ବିତ । ସାମ୍ବାଦିକତା ପୁରସ୍କାରରେ ସମ୍ମାନିତ ହୋଇଥିବା ବନ୍ଧୁ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ନୂଆଦିଲ୍ଲୀରେ ଓଡ଼ିଆ ସାମ୍ବାଦିକ ମାନଙ୍କୁ ପ୍ରତିବର୍ଷ ସମ୍ମାନିତ କରିବାର ପରମ୍ପରାକୁ ଜାରି ରଖି ସେମାନଙ୍କର କାର୍ଯ୍ୟ ତଥା ଅବଦାନକୁ ସମ୍ମାନ ଜଣାଉଥିବାରୁ ପଲ୍ଲୀବାଣୀ ମିଶନକୁ ଧନ୍ୟବାଦ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ଫକୀର ମୋହନ ସେନାପତିଙ୍କ ଭଳି ଅନେକ ମହାପୁରୁଷ ସାମ୍ବାଦିକ ଥିଲେ । ଫକୀରମୋହନ ଥିଲେ ଗାନ୍ଧୀ ଚେତନାର ଅଗ୍ରଦୂତ । ଗାନ୍ଧିଜୀଙ୍କ ଅସହଯୋଗ ଓ ଲବଣ ସତ୍ୟାଗ୍ରହର ବହୁ ପୂର୍ବରୁ ଏହି କଥା କହିଥିଲେ ଫକୀରମୋହନ ।
ଆଜି ଓଡ଼ିଶାରେ ସତ କଣ, ତାହା ପ୍ରଶ୍ନବାଚୀ । ଯେଉଁ ମହାମନିଷୀଙ୍କ ନେତୃତ୍ୱରେ ୧୯୩୬ ରେ ଓଡ଼ିଶା ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟ ଗଠନର ମାନ୍ୟତା ପାଇଥିଲା ତାହା ଯଦି ସତ ଥିଲା ତା’ ହେଲେ ଆଜି କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ନେତାଙ୍କ ଫଟୋ ଲାଗିବାର ଅର୍ଥ କଣ ? ଓଡ଼ିଶାରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାର କାମ କଣ ? ଓଡ଼ିଶାରେ ଦୀର୍ଘ ୨୩ ବର୍ଷର ସ୍ଥାୟୀ ଶାସନର ଅର୍ଥ ନୁହେଁ, ସାମ୍ବିଧାନିକ ବ୍ୟବସ୍ଥାକୁ ଅବମାନନା କରିବା ?
ଓଡ଼ିଆ ଭାବରେ ଯେତିକି ଗର୍ବିତ, ଆଜି ମୁଁ ସେତେ ଚିନ୍ତିତ । ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ସାର୍ ରାଜା ବାସୁଦେବ ସୁଢଳ ଦେବ, ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଲଢେଇ, ସ୍ୱାଭିମାନ ଓଡ଼ିଶା ସତ ନା ଏବେ ରାଜ୍ୟରେ ଅଗଣତାନ୍ତ୍ରିକ ପ୍ରକ୍ରିୟାରେ ଜୋର୍ ଦେବା ସତ ?
ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ଶହୀଦ ବାଜି ରାଉତ, ଲକ୍ଷ୍ମଣ ନାୟକ, ନିର୍ମଳ ମୁଣ୍ଡା, ମାଧୋ ସିଂହ, ହାତୀ ସିଂହ ସ୍ୱତନ୍ତ୍ର ଓଡ଼ିଶାର ଯେଉଁ ବହ୍ନି ଜଳାଇଥିଲେ ତାହା ସତ ନା ଓଡ଼ିଶାର ବର୍ତ୍ତମାନର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଭୁଷୁଡାଇଦେବା, ତାହା ସତ ? ଓଡ଼ିଶାରେ ଯେଉଁ ଘଟଣା ଦେଖାଯାଉଛି ତାହା କେବେ ହେଲେ ଭାରତର ଗଣତନ୍ତ୍ରରେ ଦେଖାଯାଇନାହିଁ । ମୁଁ ଚିନ୍ତିତ ଅଛି, ଆମ ଓଡ଼ିଆ ଜାତି, ତା’ ପ୍ରସଙ୍ଗକୁ କେମିତି ଆଗକୁ ନେବ ? ଓଡ଼ିଶାର ସାମ୍ବାଦିକ ବନ୍ଧୁମାନେ ଏହି ପ୍ରସଙ୍ଗ ଉପରେ ଭିନ୍ନ ମତ ହେଉ ପଛେ, ବିତର୍କ କରନ୍ତୁ, ଏହା ହିଁ ମୋର ଆଶା ।