‘5T’ ପରେ ବଜାରକୁ ଆସିଲା ସରକାରଙ୍କ ନୂଆ ବିଚାରଧାରା ‘5C’

5T ପରେ ଏବେ 5C । ବଜାରକୁ ଆସିଲା ସରକାରଙ୍କ ଦ୍ୱିତୀୟ ବିଚାରଧାରା । ରାଜ୍ୟରେ ଶିକ୍ଷା କ୍ଷେତ୍ରରେ 5T ପରେ ଏବେ ଲାଗୁ ହେବାକୁ ଯାଉଛି 5C । 5C ଅର୍ଥ କମ୍ୟୁନିଟି, କନେକ୍ଟ, କୋଲାବରେସନ, କ୍ରିଏଟ, କୋପରେସନ । ଏହା ଏକ ଯୋଜନା ନୁହେଁ ବରଂ ଏହା ମୋ ସ୍କୁଲ ଅଭିଯାନର ଏକ ଅଂଶବିଶେଷ । 5C କୌଣସି ନୂଆ ସ୍କିମ ନୁହେଁ, ଏହା ଏକ ବିଚାରଧାରା ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ଏସ୍ ଅଶ୍ବଥି ।
5C ବାବଦରେ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, 5C ମାଧ୍ୟମରେ ବିଦ୍ୟାଳୟ, ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକଙ୍କ ସମେତ ବିଭିନ୍ନ ଆଲୁମିନିଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରାଯିବ । ଏହା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଅଭିପ୍ରେରିତ କରାଯିବ । ମୋ ସ୍କୁଲର ଇଣ୍ଟେଗ୍ରେଲ ପାର୍ଟ ହେଉଛି 5C । ମୋ ସ୍କୁଲ କାର୍ଯ୍ୟକ୍ରମର ଏହା ଅନ୍ତର୍ନିହିତ ଅଂଶ । ବର୍ତ୍ତମାନ ମଧ୍ୟ ରାଜ୍ୟର ସମସ୍ତ ବିଦ୍ୟାଳୟର 5C ଅଧିନରେ କାମ ଚାଲୁଛି । ଆସନ୍ତା ବର୍ଷକୁ ଏହାକୁ ଅଧିକ ବ୍ୟାପକ କରାଯିବା ସହ ସମସ୍ତଙ୍କୁ ଜଣାଇ ଦିଆଯିବ ବୋଲି ସୂଚନା ଦେଇ କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ।
ତେବେ ପୂର୍ବରୁ 5T କୁ ଏକ ବିଚାରଧାରା କହି ରାଜ୍ୟ ସରକାରଙ୍କ ପ୍ରାୟ ସମସ୍ତ ବିଭାଗକୁ ଏହା ଅଧିନକୁ ସରକାର ନେଇଥିବା ବେଳେ ବିରୋଧୀ ଏହାକୁ କଡା ବିରୋଧ କରିଥିଲେ । ଏବେ ସରକାର ପୁଣି 5C ନାମରେ ଏକ ନୂଆ ବିଚାରଧାରା ଆଣିଥିବା ବେଳେ ଆଗକୁ ବିରୋଧୀ ଏହାକୁ କିଭଳି ଗ୍ରହଣ କରୁଛନ୍ତି ଓ ଏହାକୁ ମୋ ସ୍କୁଲ ଅଭିଯାନର ଅଂଶ ବୋଲି କୁହାଯାଉଥିବାରୁ ସ୍କୁଲ ଶିକ୍ଷା କ୍ଷେତ୍ରରେ ଏହା କଣ ପରିବର୍ତ୍ତନ ଆଣୁଛି ତାହା ଦେଖିବାକୁ ବାକି ରହିଲା।