ରାଜ୍ୟର ଦୃଷ୍ଟି ଓ ଶୃତିି ବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ୟୁନିଟ ୩ରେ ଥିବା ଭୀମ ଭୋଇ ଦୃଷ୍ଟିହୀନ ସରକାରୀ  ଉଚ୍ଚ ବିଦ୍ୟାଳୟ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ସରକାରୀ  ଉଚ୍ଚ ବିଦ୍ୟାଳୟକୁ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ଲୋକାର୍ପିତ କରିଛନ୍ତି

ରାଜ୍ୟର ଦୃଷ୍ଟି ଓ ଶୃତିି ବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର ୦୩/୦୭: ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ୟୁନିଟ ୩ରେ ଥିବା ଭୀମ ଭୋଇ ଦୃଷ୍ଟିହୀନ ସରକାରୀ  ଉଚ୍ଚ ବିଦ୍ୟାଳୟ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ସରକାରୀ  ଉଚ୍ଚ ବିଦ୍ୟାଳୟକୁ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ଲୋକାର୍ପିତ କରିଛନ୍ତି l ଏହାଦ୍ଵାରା ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଦୃଷ୍ଟିବାଧିତ ଓ ଶ୍ରୁତିବାଧିତ ପିଲାମାନେ ଆସି ଛାତ୍ରାବାସରେ ରହି +୨ ପଢ଼ିବାର ସୁଯୋଗ ପାଇବେl ପୂର୍ବରୁ ଏହି ପିଲାମାନେ ସାଧାରଣ ବର୍ଗର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷା ଲାଭ କରୁଥିଲେ ଓ ସେଠାରେ ସେମାନଙ୍କ  ପାଇଁ  ବିଶେଷ ସୁବିଧା  ଉପଲବ୍ଧ ନଥିଲାl

ଏହି ଛାତ୍ରଛାତ୍ରୀଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଧନ୍ଦାମୂଳକ ଶିକ୍ଷାରେ ଆଇ .ଟି  ଓ  ଆଇ .ଟି . ସମ୍ବଳିତ ସେବା ବିଷୟରେ ଶିକ୍ଷାଦାନର ସୁବିଧା କରାଯାଇଛି l ଭୀମ ଭୋଇ ଦୃଷ୍ଟିବାଧିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା ବିଷୟ ସହିତ ଆଇ.ଟି. ଖୋଲାଯାଇଥିବା ବେଳେ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳରେ ବିଜ୍ଞାନ ବିଷୟ ସହିତ ଆଇ.ଟି. ଶିକ୍ଷାର ସୁଯୋଗ ସୃଷ୍ଟି ହୋଇଛିl

ଏହି ଅବସରରେ ଦୃଷ୍ଟିବାଧିତ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଅଡ଼ିଓ  ଷ୍ଟୁଡିଓ ଏବଂ  ଶ୍ରୁତିବାଧିତ ପିଲାଙ୍କ ନିମନ୍ତେ ଭରଚୁଆଲ ଷ୍ଟୁଡିଓକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ଏହାସହିତ ଦୁଇ ବିଦ୍ୟାଳୟର ସମସ୍ତ ପିଲାଙ୍କୁ ନୂଆ ସ୍କୁଲ ବ୍ୟାଗ, ଦୃଷ୍ଟିହୀନ ପିଲାଙ୍କ ପାଇଁ ବ୍ରେଲିସ୍ଲେଟ, ବିଭିନ୍ନ ପ୍ରକାର ଖେଳ ସାମଗ୍ରୀ ମୁଖ୍ୟମନ୍ତ୍ରୀ ବଣ୍ଟନ  କରିଛନ୍ତିl

ଉଭୟ ଛାତ୍ରାବାସର ଅନ୍ତେବାସୀଙ୍କ ବ୍ୟବହାର ପାଇଁ ନୂଆ ବିଛଣା, ଖାଇବା ବାସନ  ଆଦି  ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପ୍ରଦାନ କରଯାଇଛି ଓ ଏହା ସହିତ ଥଣ୍ଡା ପାନୀୟ ଜଳ  ସୁବିଧା ପାଇଁ ଫ୍ରିଜ ଓ ଶିକ୍ଷଣ କାର୍ଯ୍ୟକ୍ରମ ଓ ମନୋରଞ୍ଜନ ପାଇଁ  ଉଭୟ ଛାତ୍ରାବାସକୁ ଟିଭି ପ୍ରଦାନ କରାଯାଇଛିl ଏହି ଦୁଇ ବିଦ୍ୟାଳୟର ଶିକ୍ଷକ-ଛାତ୍ର ଅନୁପାତ ପ୍ରତି ଦଶ ଜଣ ଛାତ୍ରଙ୍କ ପାଇଁ ଜଣେ ଶିକ୍ଷକ ଥିବାବେଳେ ଭୀମ ଭୋଇ ଦୃଷ୍ଟିବାଧିତ ବିଦ୍ୟାଳୟରୁ ଚଳିତ ବର୍ଷ ୧୦ ଜଣ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତି ବାଧିତ ବିଦ୍ୟାଳୟରୁ ୧୪ ଜଣ ଛାତ୍ରଛାତ୍ରୀ ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀନ୍ନ ହୋଇଛନ୍ତିl ଏଠାରେ ପିଲାମାନଙ୍କର ନିଃଶୁଳ୍କ ନାମ ଲେଖାର ବ୍ୟବସ୍ଥା କରାଯାଇଛିl

ଫାଇବ ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ଦୁଇ ବିଦ୍ୟାଳୟରେ ଉପଯୋଗୀ ସ୍ମାର୍ଟ ଶ୍ରେଣୀ ଗୃହ, ଇ-ପାଠାଗାର, ବିଜ୍ଞାନାଗାର, ବିଭିନ୍ନ ଖେଳ ସୁବିଧା ଆଦି କରାଯାଇଛି। ଦୁଇ ବିଦ୍ୟାଳୟରେ ସରକାର ଉଚ୍ଚ ମାଧ୍ୟମିକ ଖୋଲିବାର ଆଦେଶନାମା ଛାତ୍ର, ଶିକ୍ଷକ ଓ ଅଭିଭାବକ ମହଲରେ ଆନନ୍ଦର ଲହରୀ ସୃଷ୍ଟି କରିଛିl ପ୍ରାରମ୍ଭରେ ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ପିଲାମାନେ ବାଦ୍ୟ ଓ ସଂଗୀତ ପରିବେଷଣ କରି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେl

ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଉପସ୍ଥିତ ରହି ଉଭୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେl ଅନ୍ୟମାନଙ୍କ ମଧ୍ୟରେ ଫାଇବ-ଟି ସଚିବ ଭିକେ ପାଣ୍ଡିଆନ୍ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଅଶ୍ୱଥି ଏସ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର  ଆୟାର, ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ  ମିଶ୍ର  ପ୍ରମୁଖ  ଉପସ୍ଥିତ  ଥିଲେ।

ପରେ ମୁଖ୍ୟମନ୍ତ୍ରୀ ରାଜ୍ଯ ପଣ୍ୟାଗାର ନିଗମ ର  କର୍ପୋରେଟ  ବିଲଡ଼ିଂର ଶିଳାନ୍ୟାସ  କରିଥିଲେ।ଏଥିରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ  ନାୟକ, ବିଧାୟକ ଅନନ୍ତ ଜେନା, ରାଜ୍ଯ  ପଣ୍ୟାଗାର ନିଗମ ଅଧ୍ୟକ୍ଷ  ପ୍ରମୂଖ  ଉପସ୍ଥିତ  ଥିଲେ।