ନନ୍ଦନକାନନ ପାଇଁ ଦୁଃଖର ଦିନ: ୩ ଜନ୍ତୁ ମୃତ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୋଟିଏ ଦିନରେ ଆଖି ବୁଜିଲେ ୩ ଜନ୍ତୁ

ନନ୍ଦନକାନନ ପାଇଁ ଦୁଃଖର ଦିନ: ୩ ଜନ୍ତୁ ମୃତ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୋଟିଏ ଦିନରେ ଆଖି ବୁଜିଲେ ୩ ଜନ୍ତୁ ।ରବିବାର ପ୍ରାଣୀ ଉଦ୍ୟାନରେ ଅସୁସ୍ଥ କୃଷ୍ଣସାର ମୃଗ ଶାବକର ମୃତ୍ୟୁ ହୋଇଥିଲା । ଶାବକଟି ଶନିବାର ଦିନ ୬୭(ଗ) ଖୁଆଡରେ ଜନ୍ମ ହୋଇଥିଲା । ଜନ୍ମ ହେବା ପରେ କୃଷ୍ଣସାର ମୃଗ ଶାବକଟି ଠିକ୍‌ ଭାବରେ ଠିଆ ହୋଇପାରୁନଥିବାରୁ ମା’ଠାରୁ ସ୍ତନ୍ୟପାନ କରିପାରୁ ନଥିଲା । ଫଳରେ ଶାବକଟିକୁ ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ସଠିକ୍ ତାପମାତ୍ରା ମଧ୍ୟରେ ରଖାଯାଇ ଚିକିତ୍ସା କରାଯାଉଥିଲା । ରବିବାର ସକାଳୁ ଶାବକଟି ଅଚେତ ହୋଇ ପଡିଥିବା ଦେଖି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଶାବଟିର ମୃତ୍ୟୁ ହୋଇଥିବା ଜଣାପଡିଥିଲା । ତେବେ ଶାବକଟି ଦୁର୍ବଳ ଜନ୍ମ ହୋଇଥିବାରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

ସେପଟେ ୬୭(କ) ଖୁଆଡ଼ରେ ରହୁଥିବା ଏକ ମାଈ କୁଜି ହରିଣର ମୃତ୍ୟୁ ହୋଇଛି । ରବିବାର ମଧ୍ୟାହ୍ନରେ କୁଜି ହରିଣଟି ଖୁଆଡ଼ରେ ଅଚେତ ହୋଇପଡ଼ିଥିଲା । ପ୍ରାଣୀ ଚିକିତ୍ସକ ହରିଣଟିର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ହରିଣଟିର ମୃତ୍ୟୁ ହୋଇଥିବା ଜଣାପଡିଥିଲା । କୁଜି ହରିଣଟି କିଛି ଦିନ ହେବ ଅସୁସ୍ଥ ଥିଲା । ଠିକ୍‌ ଭାବରେ ଖାଦ୍ୟ ଗ୍ରହଣ କରୁନଥିଲା । ଦିନକୁ ଦିନ ଦୁର୍ବଳ ହୋଇ ପଡୁଥିଲା ।

ସେହିପରି ୩୬(ଗ) ଖୁଆଡ଼ରେ ଥିବା ଏକ କୁଟୁରାର ମୃତ୍ୟୁ ହୋଇଛି । କୁଟୁରାଟି କିଛି ଦିନ ହେବ ଅସୁସ୍ଥ ଥିଲା । ଚିକିତ୍ସାଧୀନ ଅବସ୍ଥାରେ କୁଟୁରାଟିର ମୃତ୍ୟୁ ହୋଇଛି । ତେବେ ୩ ଜନ୍ତୁଙ୍କର ମୃତଦେହ ବ୍ୟବଚ୍ଛେଦ କରାଯାଇ ନମୁନା ସଂଗ୍ରହ ହୋଇ ପରୀକ୍ଷା ପାଇଁ ପଠାଯାଇଛି ।