ସୁରେଶ ମହାପାତ୍ର ହେଲେ ଓଇଆରସି ଅଧ୍ୟକ୍ଷ, ୨୮ରେ ମୁଖ୍ୟ ଶାସନ ସଚିବ ପଦରୁ ନେବେ ଅବସର

ଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ୱ ମିଳିଛି। ସେ ଓଡ଼ିଶା ବିଦ୍ୟୁତ ନିୟାମକ ପ୍ରାଧୀକରଣ (ଓଇଆରସି)ର ପରବର୍ତ୍ତୀ ଅଧ୍ୟକ୍ଷ ହେବେ

ସୁରେଶ ମହାପାତ୍ର ହେଲେ ଓଇଆରସି ଅଧ୍ୟକ୍ଷ, ୨୮ରେ ମୁଖ୍ୟ ଶାସନ ସଚିବ ପଦରୁ ନେବେ ଅବସର

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ୱ ମିଳିଛି। ସେ ଓଡ଼ିଶା ବିଦ୍ୟୁତ ନିୟାମକ ପ୍ରାଧୀକରଣ (ଓଇଆରସି)ର ପରବର୍ତ୍ତୀ ଅଧ୍ୟକ୍ଷ ହେବେ। ଶକ୍ତି ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ପଦରୁ ସୁରେଶ ମହାପାତ୍ର ଅବସର ନେଲା ପରେ ନୂତନ ଦାୟିତ୍ବ ଗ୍ରହଣ କରିବେ।

ସୂଚନାଯୋଗ୍ୟ, ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ୨୦୨୧ ମସିହା ଜାନୁଆରି ୧ ତାରିଖରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଅସିତ ତ୍ରିପାଠୀ ଅବସର ଗ୍ରହଣ କରିବା ପରେ ସେ ଏହି ପଦରେ ଅବସ୍ଥାପିତ ହୋଇଥିଲେ। ୧୯୮୬ ବ୍ୟାଚର ଆଇଏଏସ୍ ସୁରେଶ ମହାପାତ୍ର ୧୪ ମାସ ଅର୍ଥାତ ୨୦୨୨ ଫେବ୍ରୁଆରି ଯାଏ ସେ ଏହି ପଦବିରେ କାର୍ଯ୍ୟ କରିବାର ଥିଲା। କିନ୍ତୁ ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳକୁ ୨ ଥର ବୃଦ୍ଧି କରିଥିଲେ।

ପ୍ରଶାସନିକ ମହଲରେ ଜଣେ ଦକ୍ଷ ଅଧିକାରୀ ଭାବେ ଜଣାଶୁଣା ଶ୍ରୀ ମହାପାତ୍ର ଦୀର୍ଘ ୩୪ ବର୍ଷର ଚାକିରି ଜୀବନରେ ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପଦବିରେ ସଫଳତାର ସହ କାର୍ଯ୍ୟ କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି।

ସୁରେଶ ଚନ୍ଦ୍ର ମହାପାତ୍ର ୧୯୬୨ ମସିହାରେ ଦେବଗଡ଼ ଜିଲ୍ଲାର କନସର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ କେଉଁଝରର ଡିଏନ୍ ହାଇସ୍କୁଲରୁ ମାଟ୍ରିକ ପାସ କରିବା ପରେ ରେଭେନ୍ସା କଲେଜରୁ ୧୯୮୨ରେ ବିଏସସି ପାସ କରିଥିଲେ। ଏହାପରେ ୧୯୮୫ରେ ସେ ଆଇଏସଏମ୍, ଧାନବାଦରୁ ଏମଏସସି ଟେକ୍ ପାଠ୍ୟକ୍ରମ ସମାପ୍ତ କରି ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ।