ଜାଳେଣି ଗ୍ୟାସ୍ ର ଅହେତୁକ ଦରଦ ବୃଦ୍ଧି ନେଇ ତେଜୁଛି ଜନ ଅସନ୍ତୋଷ

ମହଙ୍ଗା ମାଡ଼ରେ ତ୍ରାହି ତ୍ରାହି ମଧ୍ୟବିତ୍ତ ପରିବାର, ଅହେତୁକ ଦରଦ ବୃଦ୍ଧି ନେଇ ତେଜୁଛି ଜନ ଅସନ୍ତୋଷ 

ଜାଳେଣି ଗ୍ୟାସ୍ ର  ଅହେତୁକ ଦରଦ ବୃଦ୍ଧି ନେଇ ତେଜୁଛି ଜନ ଅସନ୍ତୋଷ

 ଦୁଇବର୍ଷ ମଧ୍ୟରେ କେବେ ଶସ୍ତା ହୋଇନାହିଁ ରୋଷେଇ ଗ୍ୟାସ, ୧୦୦ କି ୨୦୦ ନୁହେଁ ଏତେ ଟଙ୍କା ବଢିଲାଣି ଗ୍ୟାସ ସିଲିଣ୍ଡରର ଦାମ

ପୁଣିଥରେ ଗ୍ୟାସ ସିଲିଣ୍ଡରର ଦାମକୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି । ପାଖାପାଖି ୭ମାସ ପରେ ଏବେ ପୁଣି ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ସରକାର ଅହେତୁକ ଭାବେ ବୃଦ୍ଧି କରିଛନ୍ତି । ସବୁଠାରୁ ବଡକଥା ହେଉଛି ଅନ୍ତର୍ଜାତୀୟ ବଜାରରେ ଏଲପିଜିର ଦାମ ଅସ୍ଥିର ଥିବା ବେଳେ ସରକାର କିନ୍ତୁ ବିଗତ ୨ବର୍ଷ ମଧ୍ୟରେ କେବେ ବି ଗ୍ୟାସ ସିଲିଣ୍ଡରର ଦାମ କମ କରିନାହାଁନ୍ତି ।

ଆଇଓସିଏଲ ବା ଇଣ୍ଡିଆନ ଅଏଲ କର୍ପୋରେଶନର ୱେବସାଇଟ ମୁତାବକ ଗତବର୍ଷ ଗ୍ୟାସ ସିଲିଣ୍ଡରର ଦାମ ୪ଥର ବୃଦ୍ଧି କରାଯାଇଥିଲା । ଶେଷଥର ପାଇଁ ୨୦୨୧ ଏପ୍ରିଲ ମାସରେ ଗ୍ୟାସ ସିଲିଣ୍ଡରର ଦାମ କମ ହୋଇଥିଲା । ଏହା ଏକ ସାଧାରଣ ଥିଲା କି ଆଇଓସିଏଲ ତରଫରୁ ଗ୍ୟାସ ସିଲିଣ୍ଡର ପ୍ରତି ମାତ୍ର ୧୦ ଟଙ୍କା ଦାମ କମ୍ କରାଯାଇଥିଲା । ଏଥିରେ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ୮୧୯ ଟଙ୍କାରୁ ୮୦୯ ଟଙ୍କାକୁ କମିଥିôଲା । ସେବେଠାରୁ ଏବେ ପର୍ଯ୍ୟନ୍ତ ସରକାର ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ୯ଥର ବୃଦ୍ଧି କରିସାରିଲେଣି ।

ଏପ୍ରିଲ ୨୦୨୧ରେ ଗ୍ୟାସ ସିଲିଣ୍ଡରର ଦାମ ୮୦୯ ଟଙ୍କା ଥିଲା । ଏହାପରେ ମୋଟ ୯ଥରରେ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ୨୮୪ଟଙ୍କା ବୃଦ୍ଧି ପାଇସାରିଲାଣି । ଏହି କ୍ରମରେ ୨୦୨୧ ମସିହାରେ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ୨୦୫.୫ ଟଙ୍କା ବୃଦ୍ଧି ପାଇଥିଲା । ସେହିଭଳି ୨୦୨୨ ମସିହାରେ ୧୫୩.୫ଟଙ୍କା ବୃଦ୍ଧି ପାଇଥିଲା । ଚଳିତ ବର୍ଷ ପ୍ରଥମଥର ପାଇଁ ଗ୍ୟାସ ସିଲିଣ୍ଡରର ଦାମ ୫୦ ଟଙ୍କା ବୃଦ୍ଧି କରାଯାଇଛି ।

ଗ୍ୟାସ୍ ଦରବୃଦ୍ଧି ସାଢ଼େଚାରିକୋଟି ଓଡ଼ିଆଙ୍କୁ ବାଧୁଛି,

ଏନେଇ କେବେବି ଚୁପ୍ ବସିବନି ବିଜେଡି: କହିଛନ୍ତି ସୌମ୍ୟରଂଜନ

ଭୁବନେଶ୍ବର: ଗ୍ୟାସ ଦରବୃଦ୍ଧିକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଖଣ୍ଡପଡ଼ା ବିଧାୟକ ତଥା ବରିଷ୍ଠ ବିଜେଡି ନେତା ସୌମ୍ୟରଂଜନ ପଟ୍ଟନାୟକ। ଆଜି ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୌମ୍ୟରଂଜନ କହିଛନ୍ତି, ୫୦ ଟଙ୍କା ଗ୍ୟାସ ଦର ବୃଦ୍ଧି ଲୋକଙ୍କୁ ବାଧିଛି। ଏହା ସାଢ଼େ ୪ କୋଟି ଓଡ଼ିଆଙ୍କୁ ବହୁତ ବାଧିଛି। ୨୦୧୪ରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଜ୍ଜ୍ବଳା ଯୋଜନା ଘୋଷଣା କରିଥିଲେ, ସେଥିରେ ଘରେ ଘରେ ଗ୍ୟାସ୍ ଯୋଗାଇ ଦିଆଯାଇଥିଲା। ସେ ସମୟରେ ଗ୍ୟାସର ମୂଲ୍ୟ କମ୍ ଥିଲା। ହେଲେ ଆଜି ୯ ବର୍ଷ ଭିତରେ ଏହାର ତିନିଗୁଣା ବୃଦ୍ଧି ହୋଇଛି। ଏହାକୁ ନେଇ ଆମେ ଚୁପ୍ ବସିବୁନି।

୨୦୧୪ରେ ଯେବେ ବିଜେପି ସରକାର ଆସିଲା, ସେବେ ଯୋଜନାଗୁଡ଼ିକ ମଧ୍ୟରୁ ଯେଉଁ ଯୋଜନା ସାଧାରଣ ଲୋକଙ୍କ ମନକୁ ଛୁଇଁଥିଲା ତାହା ହେଉଛି ଉଜ୍ଜ୍ୱଳା ଯୋଜନା। ସେବେ ଅନେକ ଉତ୍ସାହିତ କଲା ଭଳି କଥା କହିଥିଲେ ପ୍ରଧାନମନ୍ତ୍ରୀ, ଯାହା ଦଳ ମତ ନିର୍ବିଶେଷରେ ସମସ୍ତଙ୍କ ମନକୁ ଛୁଇଁ ଥିଲା। ଆଜି ଯେବେ ଗ୍ୟାସ ଦର ବଢୁଛି ପ୍ରଧାନମନ୍ତ୍ରୀଙ୍କ ସେ ପ୍ରତିଶ୍ରୁତି ମନକୁ ଆସୁଛି। ତଥ୍ୟ କହୁଛି, ପୂର୍ବରୁ ୨୧ ଲକ୍ଷ ପରିବାର ଗ୍ୟାସ ଉପଭୋକ୍ତା ଥିଲେ। ମୋଦୀ ସରକାରଙ୍କ କାର୍ଯ୍ୟକ୍ରମ ଫଳରେ ୪ ଗୁଣ ବଢି ଏହା ୮୮ଲକ୍ଷରେ ପହଞ୍ଚିଛି। ଆଗରୁ ୨୦ ପ୍ରତିଶତ ଘରେ ଗ୍ୟାସ ଚୁଲା ଜଳୁଥିବା ବେଳେ ଏବେ ୮୦ ପ୍ରତିଶତ ଘରେ ଗ୍ୟାସ ବ୍ୟବହାର ହେଉଛି। କିନ୍ତୁ ୨୦୧୪ରେ ଗ୍ୟାସ ସିଲିଣ୍ଡର ଦାମ ୪୫୦ ଆଉ ଏବେ ୧୧୪୫ ଟଙ୍କାରେ ପହଞ୍ଚିଛି। ମାମାନଙ୍କ ଆଖିରୁ ଲୁହ ଦୂର କରିବାକୁ ଯେଉଁ ଯୋଜନା ହୋଇଥିଲା, ତାହା ଏବେ ଲୋକଙ୍କୁ କନ୍ଦେଇଲାଣି। ଏହି ଗ୍ୟାସ ଦର କାହିଁକି ବଢିଲା କାରଣ କଣ ସେଥିରେ ବିଜେପି ଚୁପ। ଆମେ ପ୍ରଶ୍ନ କରୁଛୁ ବିଜେପି କାହିଁକି ଏହି ଘଟଣାରେ ନିରବ।

ସେ ଆହୁରି କହିଛନ୍ତି, କେନ୍ଦ୍ର ସରକାର ଚାଉଳ କାଟିଲେ। ଏବେ ଗ୍ୟାସ ଦରବୃଦ୍ଧି କଲେ। ପ୍ରଧାନମନ୍ତ୍ରୀ ୫ କେଜି ଚାଉଳ କାଟିବା ପ୍ରମାଣିତ କରୁଛି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଚାହୁଁନାହାନ୍ତି। ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ବାର୍ଥ ବିଜେଡିର ସ୍ବାର୍ଥ। ବିଜେଡି ଓଡ଼ିଶାର ଘରେ ଘରେ ରହିଛି। କେନ୍ଦ୍ର ସରକାର ଯାହା ଚାହୁଁଛନ୍ତି ଆଉ ଯାହାର ମେରିଟ ଅଛି ଆମେ ସମର୍ଥନ ଦେଇ ଆସିଛୁ। କିନ୍ତୁ ଓଡ଼ିଶାର ସ୍ୱାର୍ଥ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗ ଯେବେ ଆସିବ ବିଜେଡି ଚୁପ ବସିବନି। କିନ୍ତୁ ବିଜେପି ଚୁପ କାହିଁକି ।

ଆନ୍ଦୋଳନ ପାଇଁ ସଜବାଜ ହେବାର ଆଭାସ ମିଳିଲାଣି