ପଦ୍ମପୁରରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟ୍: କହିଲେ, ମନ କଥା ନ କହି, କାହା ହାତଲେଖା ପଢୁଛନ୍ତି...
ପଦ୍ମପୁରରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ । ଟ୍ବିଟ୍ କରି ଧର୍ମେନ୍ଦ୍ର କହିଲେ ଯେ, ପଦ୍ମପୁରରେ ମଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ସେ ନିଜ ମନ କଥା ନ କହି କାହା ହାତ ଲେଖା ପଢୁଛନ୍ତି ।

ଭୁବନେଶ୍ୱର: ପଦ୍ମପୁରରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ । ଟ୍ବିଟ୍ କରି ଧର୍ମେନ୍ଦ୍ର କହିଲେ ଯେ, ପଦ୍ମପୁରରେ ମଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ସେ ନିଜ ମନ କଥା ନ କହି କାହା ହାତ ଲେଖା ପଢୁଛନ୍ତି । ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁରକୁ ଜିଲ୍ଲା କରିବାର ପ୍ରତିଶ୍ରୁତି, ଏବେ ବି ଘୋଷଣାରେ ସୀମିତ । ଜିଲ୍ଲା ଘୋଷଣା କରିବାର ନିର୍ଦ୍ଧାରିତ ତାରିଖ ନ କହିବା ପଦ୍ମପୁରବାସୀଙ୍କ ପାଇଁ ପ୍ରତାରଣା ସଦୃଶ ନୁହେଁ କି ବୋଲି ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଧର୍ମେନ୍ଦ୍ର ଲେଖିଛନ୍ତି ଯେ, ଦୀର୍ଘ 23 ବର୍ଷର ଶାସନ ଦାୟିତ୍ୱରେ ରହିବା ପରେ ପଦ୍ମପୁରର ପାଇକମାଳରେ ଥିବା ଗୋଟେ ପିଏଚସିକୁ ସିଏଚସି ଭାବେ ପରିଣତ କରି ମୁଁ ଯାହା କହେ ତାହା କରେ ବୋଲି କହିବା କେତେ ଦୂର ଠିକ୍ ? ଏଥିରୁ ରାଜ୍ୟରେ ବିକାଶର ଚିତ୍ର ସ୍ପଷ୍ଟ ଅନୁମେୟ । ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲାରେ ଦୁଇଟି ନିର୍ବାଚନମଣ୍ଡଳୀର ଦାୟିତ୍ୱ ନେଲା ପରେ ବି ବରଗଡ ଜିଲ୍ଲା ସମେତ ଏହି ଅଞ୍ଚଳରୁ ହଜାର ହଜାର ଯୁବକ ଯୁବତୀ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ କେବେ କରିବେ ? ମୁଁ ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଇଦେବାକୁ ଚାହୁଁଛି ଯେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଓଡ଼ିଶା ରେଲ୍ ଇନଫ୍ରାଷ୍ଟ୍ରକଚର ଡେଭେଲପମେଣ୍ଟ ଲିମିଟେଡ (ORIDL) ବରଗଡ ରୋଡ- ନୂଆପଡା ରେଳ ଲାଇନର ଦାୟିତ୍ୱ ସଠିକ ଭାବେ ନିର୍ବାହ କରିଛନ୍ତି କି ? ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଫସଲ ବୀମାରେ ଘରୋଇ କମ୍ପାନୀଙ୍କୁ ଆପଣ ସାମିଲ କରିଥିଲେ କି ନାହିଁ ? ବରଗଡ ସୋହେଲାରେ ଚାଷୀଙ୍କ ପାଇଁ ଘୋଷଣା କରିଥିବା 100 ଟଙ୍କା ବୋନସ ରାଜ୍ୟ ସରକାର ଦେଇଛନ୍ତି କି ? ମୁଖ୍ୟମନ୍ତ୍ରୀ ବରଗଡରେ ଜଳସେଚନ ପାଇଁ ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ କରିବେ ? ଆପଣ ନିର୍ଦ୍ଧାରିତ ସମୟ ସୀମା କହିବେ କି, କେବେ ଏହାର ସୁଫଳ ବରଗଡର ନାଗରିକଙ୍କୁ ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 1 ହଜାର କୋଟି ଟଙ୍କାରୁ ଅଧିକ ଦୁର୍ନୀତିରେ ଓଡ଼ିଶା ସରକାରଙ୍କ ସମ୍ପୃକ୍ତି ଅଛି କି ନାହିଁ ? ବରଗଡ଼ ସମେତ ପଶ୍ଚିମ ଓଡ଼ିଶାକୁ ଆବାସ ଯୋଜନାରେ ଘର ବଣ୍ଟନରେ ପାତରଅନ୍ତର କରିଛନ୍ତି ନା ନାହିଁ ? ମୁଖ୍ୟମନ୍ତ୍ରୀ ନିଜ ରାଜନୈତିକ ଫାଇଦା ଦେଖି ପ୍ରତ୍ୟେକ ଯୋଜନା ପ୍ରଣୟନ କରନ୍ତି । ଆମ ଦଳ ବିଜେପି ଯୋଜନା ପ୍ରଣୟନ କରିବା ସହିତ କାର୍ଯ୍ୟକାରୀ କରିବାରେ ବିଶ୍ୱାସ କରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ପଷ୍ଟ ବିଚାର ଅଛି, ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।