ଗ୍ରାମରକ୍ଷୀଙ୍କ ଉପରେ ମାଡ଼ିଗଲା ହାଇୱା

ଘଟଣା ସ୍ଥଳରେ ମୃତ୍ୟୁ, ଉତ୍ୟକ୍ତ ସ୍ଥାନୀୟ ଲୋକେ ଅସ୍ଥାୟୀ କ୍ୟାମ୍ପ ପୋଡ଼ିଲେ

ଗ୍ରାମରକ୍ଷୀଙ୍କ ଉପରେ ମାଡ଼ିଗଲା ହାଇୱା

ସକାଳୁ ସକାଳୁ ଶୌଚ ହେବାକୁ ଯାଉଥିବା ଗ୍ରାମରକ୍ଷୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌। ଫଳରେ ଘଟଣାସ୍ଥଳରେ ସେ ଆଖି ବୁଜିଲେ । ଏହାକୁ କେନ୍ଦ୍ର କରି  ଲୋକେ ତାତିବା ପରେ ବାଲି ଖାଦାନରେ ଥିବା ଏକ ଅସ୍ଥାୟୀ ଘରକୁ ଜାଳି ଦେଇଛନ୍ତି। କେବଳ ସେତିକି ନୁହେଁ ମୃତକଙ୍କ ପୁଅକୁ ଚାକିରି ସହ ୫୦ ଲକ୍ଷର କ୍ଷତିପୂରଣ ଜିଦ୍‌ରେ ଉତ୍ତ୍ୟକ୍ତ ଲୋକେ ପ୍ରାୟ ୪ ଘଣ୍ଟା ଧରି ରାଜପଥକୁ ଅବରୋଧ କରିଥିଲେ । ଏପରି ଅଭାବନୀୟ ଘଟଣା ଆଜି ସକାଳେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବସପୁର ବାଲି ଘାଟ ନିକଟରେ ଘଟିଛି। ମୃତକ ହେଲେ ଆରିପଦାଗାଁର ଲକ୍ଷ୍ମଣ ମଲ୍ଲିକ ।

ଲକ୍ଷ୍ମଣ ବସପୁର ଗାଁର ଗ୍ରାମରକ୍ଷୀ ରୂପେ କାମ କରନ୍ତି । ଆଜି ସକାଳେ ସେ ଶୌଚ ହେବା ନିମନ୍ତେ ନିକଟସ୍ଥ ନଦୀକୁ ଯାଉଥିଲେ। ଏହି ସମୟରେ ବାଲି ଖାଦାନକୁ ଯାଉଥିବା ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।