ଦୁଇ ଦିନିଆ କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରସ୍ତ ରେ 5T ସଚିବ

ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା , ଜିଲ୍ଲାପାଳ ଅମ୍ରିତ ଋତୁରାଜ ଙ୍କ କାର୍ଯ୍ୟ ନେଇ ସନ୍ତୋଷ ପ୍ରକାଶ

ଦୁଇ ଦିନିଆ କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରସ୍ତ ରେ 5T ସଚିବ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ 5T ସଚିବ ଶ୍ରୀ ଭି.କେ.ପାଣ୍ଡିଆନ କେନ୍ଦ୍ରାପଡ଼ା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି।

ପ୍ରସିଦ୍ଧ ବଳଦେବଜୀଉ, ଦଧିବାମନଜୀଉ ଓ ରାମଚଣ୍ଡୀ ମନ୍ଦିର ପରିଦର୍ଶନ କରି ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ପରେ ମହାକାଳପଡ଼ା ବ୍ଲକ ସ୍ଥିତ ଅଡୋଇଠାରେ ପ୍ରସ୍ତାବିତ ନିପ୍ପନ ଷ୍ଟିଲ୍ ପ୍ଳାଣ୍ଟ ଅଞ୍ଚଳ ପରିଦର୍ଶନ କରି ପ୍ରକଳ୍ପର ପ୍ରାକ୍‌ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି। ଏହାର କାମ ତୁରନ୍ତ ଆରମ୍ଭ କରିବା ସହ ମାର୍ଶାଘାଇ-ଜମ୍ବୁ କେନାଲ ରାସ୍ତାର ପ୍ରସ୍ତାବିତ ସଂପ୍ରସାରଣ କାର୍ଯ୍ୟ ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଆରଏମସି କମ୍ପ୍ଲେକ୍ସଠାରେ ୫୦୦ ଏମ୍‌.ଟି ବିଶିଷ୍ଟ ଶୀତଳଭଣ୍ଡାର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରି ଏହାକୁ ଖୁବଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ସେ ଜଜାଙ୍ଗ ସ୍ଥିତ ଗୋଲଡେନ୍‌ ଗ୍ରାସ ହସ୍ତଶିଳ୍ପ ପ୍ରକଳ୍ପ ବୁଲି ଦେଖି ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସୁବିଧା ଅସୁବିଧା ବିଷୟରେ ବୁଝିଛନ୍ତି।

5T ସଚିବ ପଟ୍ଟାମୁଣ୍ଡାଇ ସ୍ଥିତ ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ପ୍ଲମ୍ବିଙ୍ଗ ଟେକ୍ନୋଲୋଜି ଗସ୍ତ କରି ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ସେଠାରେ ନିର୍ମାଣାଧୀନ ଇଣ୍ଡୋର ଷ୍ଟାଡିୟମ ଓ ଇଣ୍ଡୋର ହଲ ନିର୍ମାଣ କାମ ଅନୁଧ୍ୟାନ କରି ଶୀଘ୍ର କାର୍ଯ୍ୟ ଶେଷ କରିବାକୁ ପରାମର୍ଶ ଦେଇଛନ୍ତି।

ଏହାପରେ ଡେରାବିଶ ବ୍ଲକରେ ଥିବା ମିଶନ ଶକ୍ତି କେଫ ପରିଦର୍ଶନ କରି ସେଠାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଭେଟିଛନ୍ତି। ଲୋକଙ୍କ ଆବଶ୍ୟକତାକୁ ଦେଖି ନୂଆ ନୂଆ ପ୍ରକାରର ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରି ନିଜ ପାଇଁ ବଜାର ସୃଷ୍ଟି କରିବାରୁ 5T ସଚିବ ପରାମର୍ଶ ଦେଇଛନ୍ତି।

ଏଥିସହ 5T ସଚିବ ପ୍ରାୟ ୧୩୦ଟି ନାଗରିକ ସମାଜର ସଦସ୍ୟମାନଙ୍କ ସହ ଆଲୋଚନା କରି ଜିଲ୍ଲାର ବିକାଶ ଓ ସମସ୍ୟା ସମ୍ପର୍କରେ ବୁଝିଛନ୍ତି। ପରେ ବିଭିନ୍ନସ୍ତରୀୟ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଆଲୋଚନା କରି ଲୋକଙ୍କ ପାଇଁ ଅଧିକରୁ ଅଧିକ ଜୀବିକା ସୃଷ୍ଟି କରିବା ଦିଗରେ ପ୍ରୟାସ ଜାରି ରଖିବାକୁ କହିଛନ୍ତି।

କେନ୍ଦ୍ରାପଡ଼ା ଗସ୍ତର ଦ୍ଵିତୀୟ ଦିନରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିବା ସହ ଏହାର ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମେ ଜିଲ୍ଲାର ବିଭିନ୍ନ ମନ୍ଦିର ଓ ମଠ ବୁଲି ଦେଖି ଏହାର ସୌନ୍ଦର୍ଯ୍ୟକରଣ ପାଇଁ ତୁରନ୍ତ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ କହିଛନ୍ତି।

5T ସଚିବ ଜିଲ୍ଲାର ବିଭିନ୍ନ ସରକାରୀ ଓ ସହାୟତାପ୍ରାପ୍ତ କଲେଜଗୁଡ଼ିକର ପ୍ରତିନିଧି ଓ ଛାତ୍ରମାନଙ୍କୁ ଭେଟି ଆଲୋଚନା କରିଛନ୍ତି। ପ୍ରତ୍ୟେକ କଲେଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଗୁଡ଼ିକର ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା ପାଇଁ ରିପୋର୍ଟ ପ୍ରସ୍ତୁତ କରି ପ୍ରସ୍ତାବ ଦେବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜକନିକା ଓ ରାଜନଗର ବ୍ଲକର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି 5T ସଚିବ ସ୍ଥାନୀୟ ଅଧିକାରୀ, ରୋଗୀ ଓ ପରିବାର ଲୋକଙ୍କ ସହ କଥା ହୋଇଛନ୍ତି। ଦୁଇଟିଯାକ ସ୍ବାସ୍ଥ୍ୟକେନ୍ଦ୍ର କାୟାକଳ୍ପ ପୁରସ୍କାର ପାଇଥିବାରୁ ଖୁସିବ୍ୟକ୍ତ କରି ରୋଗୀମାନଙ୍କ ପାଇଁ ଆହୁରି ଉତ୍ତମ ସୁବିଧା ସୁନିଶ୍ଚିତ କରିବାକୁ ସେ କହିଛନ୍ତି।

5T ସଚିବ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ମା’ ମଙ୍ଗଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ମେଡିକାଲ କ୍ୟାଣ୍ଟିନ ପରିଦର୍ଶନ କରି ସେମାନଙ୍କ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଛନ୍ତି। ରୋଗୀମାନଙ୍କୁ ଅଧିକ ପୁଷ୍ଟିଯୁକ୍ତ ଓ ସ୍ବାସ୍ଥ୍ୟକର ଖାଦ୍ୟ ପ୍ରଦାନ କରିବାକୁ ସେ ମା’ମାନଙ୍କୁ ପରାମର୍ଶ ଦେଇଛନ୍ତି।

ଆଳିରେ ଥିବା ଏକ ଫୁଟବଲ ଷ୍ଟାଡିଅମ ପରିଦର୍ଶନ କରି ଏହାର ଉନ୍ନତିକରଣ ପାଇଁ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରେ 5T ଅଧୀନରେ ରୂପାନ୍ତରିତ ତରଶ ହାଇସ୍କୁଲ ଓ ବଡ଼ପାଲୀ ହାଇସ୍କୁଲ ବୁଲି ଦେଖି ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକଙ୍କ ସହିତ ଆଲୋଚନା କରିଛନ୍ତି।

ଏହା ପରେ 5T ସଚିବ ରାଜନଗର ବ୍ଲକରେ ଥିବା ଦୁଗ୍ଧ ପ୍ରକ୍ରିୟାକରଣ ୟୁନିଟ ଓ ମିଶନ ଶକ୍ତି କେଫ୍ ବୁଲି ଦେଖିବା ସହ କାର୍ଯ୍ୟ ପ୍ରଣାଳୀ ବିଷୟରେ ଅନୁଧ୍ୟାନ କରି ଏହାର ଉଚ୍ଚ ପ୍ରଶଂସା କରିଛନ୍ତି। ମିଶନ ଶକ୍ତି ଗୋଷ୍ଠୀ ମାନଙ୍କ ଦ୍ବାରା ଏଭଳି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ଯୋଗ୍ୟ ବୋଲି ସେ କହିଛନ୍ତି।