ପ୍ରତ୍ୟେକ ଟ୍ରକ ମାଲିକଙ୍କୁ ସମାନ ପରିବହନ ଭଡ଼ା ମିଳୁ

ପ୍ରତ୍ୟେକ ଟ୍ରକ ମାଲିକଙ୍କ ମିଳୁ ସମାନ ପରିବହନ ଭଡ଼ା; ଟ୍ରାନ୍ସପୋର୍ଟ ନଗର ନିର୍ମାଣ ନ ହେଲେ ବ୍ୟାପକ ଆନ୍ଦୋଳନ

ପ୍ରତ୍ୟେକ ଟ୍ରକ ମାଲିକଙ୍କୁ ସମାନ ପରିବହନ ଭଡ଼ା ମିଳୁ

ରାଉରକେଲା: ଲୁହାପଥର ପରିବହନ ଭଡ଼ା, ଟ୍ରାନ୍ସପୋର୍ଟ ନଗର ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ଏକାଠି ହୋଇଛନ୍ତି ଟ୍ରକ, ଟିପ୍ପର, ଟ୍ରେଲର ସଂଘ। ଏମାନଙ୍କ ମଧ୍ୟରେ ଅଛନ୍ତି ରାଉରକେଲା ମାଇନିଂ ଏରିଆ ଟ୍ରକ ଆଣ୍ଡ ଟିପ୍ପର ଓନର୍ସ ଆସୋସିଏସନ୍‌ (ଆର୍‌ଏମ୍‌ଟିଟିଓଏ୍), ବେଦବ୍ୟାସ ଟ୍ରକ ଓନର୍ସ ଆସୋସିଏସନ୍‌, ରାଉରକେଲା ଟ୍ରକ୍‌ ଓନର୍ସ ଆସୋସିଏସନ୍‌, ଟ୍ରେଲର ଓନର୍ସ ଆସୋସିଏସନ୍‌। ଆଜି ଆର୍‌ଏମ୍‌ଟିଟିଓଏ କାର୍ଯ୍ୟାଳୟରେ ଉପଦେଷ୍ଟା ବିଶ୍ବରଞ୍ଜନ ବେଉରାଙ୍କ ନେତୃତ୍ବରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସଂଘର ବହିଷ୍କୃତ ସଭ୍ୟ ଓ ଗାଡ଼ି ମାଲିକଙ୍କ ପ୍ରମୁଖ ସମସ୍ୟାଗୁଡ଼ିକରେ ଆଲୋଚନା କରାଯାଇଥିଲା। ବେଦବ୍ୟାସ ଟ୍ରକ ସଂଘର ବିଜୟ ପ୍ରଧାନ ଲୁହାପଥର ପରିବହନକୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ ହେବା ଦରକାର। ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ନା ସ୍ଥାନୀୟ ଜନପ୍ରତିନିଧି କେହି ଗାଡି ମାଲିଙ୍କ ଦୁଃଖ ଶୁଣୁ ନାହାନ୍ତି। ସେ କହିଛନ୍ତି ପ୍ରତ୍ୟେକ ଗାଡ଼ିକୁ ସମାନ ପରିବହନ ଭଡ଼ା ଓ ଲୋଡିଂ ମିଳିବା ଆବଶ୍ୟକ।

ଏ ସଂକ୍ରାନ୍ତରେ ଟ୍ରକ, ଟିପ୍ପର ଓ ଟ୍ରେଲର ସଂଘର ପ୍ରତିନିଧି ରାଉରକେଲା ଆରକ୍ଷୀ ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ ବୈଠକ ବସି ସମାନ ଭଡା ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ତାଙ୍କ ବଦଳି ପରେ ନୂତନ ଆରକ୍ଷୀ ଅଧୀକ୍ଷକଙ୍କୁ ମଧ୍ୟ ଦାବିପତ୍ର ଦିଆଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ଲାଗୁ ହୋଇପାରିନି। ଗାଡିମାଲିଙ୍କ ବୃହତ ସ୍ବାର୍ଥ ଦୃଷ୍ଟିରୁ ଏହାକୁ ତୁରନ୍ତ ଲାଗୁ କରିବାର ଦରକାର। ସେମିତି ଦୀର୍ଘଦିନ ଧରି ବେଲ୍‌ଡିହିରେ ଟ୍ରାନ୍ସପୋର୍ଟନଗର ନିର୍ମାଣ ପାଇଁ ଦାବି ହୋଇ ଆସୁଛି। ପିପି ମୋଡରେ କୁହାଯାଉଥିଲେ ହେଁ, ଆଜି ପର୍ଯ୍ୟନ୍ତ ଇଟା ଖଣ୍ଡିଏ ପଡ଼ିନାହିଁ। ବାହାର ରାଜ୍ୟ ଓ ଜିଲ୍ଲାରୁ ଆସୁଥିବା ଗାଡ଼ିଗୁଡ଼ିକ କମ୍‌ଭଡ଼ାରେ ମାଲ ପରିବହନ କରୁଥିବାରୁ ଏହା ତୁରନ୍ତ ବନ୍ଦ କରିବାକୁ ଦାବି କରିଥିଲେ। ବିଶ୍ବରଞ୍ଜନ ବେଉରା କହିଛନ୍ତି, ୪ଟି ଆସୋସିଏସନ୍‌ର କୌଣସି ସଭ୍ୟ ଆସୋସିଏସନ୍‌ର ସମ୍ବିଧାନକୁ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିକଟରେ ନୂତନ ସଂଘ ଗଠନ ସଭ୍ୟମାନଙ୍କୁ ଆର୍‌ଏମ୍‌ଟିଟିଓଏରୁ ସମ୍ବିଧାନ ନିୟମ ଅନୁଯାୟୀ ବାହାର କରାଯାଇଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆର୍‌ଏମ୍‌ଟିଟିଓଏର ଦିଲୀପ ମହାନ୍ତି, ଶିବ ବିଶୋୟୀ, ସୁମନ୍ତ ବୈରିବାଦ, ବିଶ୍ବମ୍ବର ସାମଲ, ବିଶ୍ବନାଥ ସାହୁ, ଶ୍ରୀନିବାସ ରାଉତ, ନିରଞ୍ଜନ ମିଶ୍ର,ଧର୍ମେନ୍ଦ୍ର ଦୁବେ, ମୁକେଶ ସିଂ, ଜଗଦୀଶ ଜସ୍ବାଲ, ରଣଜିତ ସାହୁ, ଗୁରିନ୍ଦର ସିଂ, ଆଇନ ପରାମର୍ଶଦାତା ସତ୍ୟ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।