କରନ୍ତୁ ଏହି କାମ ନଚେତ୍ ଜାନୁୟାରୀ ୧ରୁ କରିପାରିବେନି ଅନଲାଇନ୍ ପେମେଣ୍ଟ
ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ନିଷ୍କ୍ରିୟ ୟୁପିଆଇ ଆଇଡି ଗୁଡ଼ିକୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛି

ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ନିଷ୍କ୍ରିୟ ୟୁପିଆଇ ଆଇଡି ଗୁଡ଼ିକୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛି | ଯଦି ଆପଣ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ୟୁପିଆଇ ଆଇଡି ଜରିଆରେ ଅନଲାଇନ୍ କାରବାର କରିନାହାଁନ୍ତି, ତେବେ ଆପଣଙ୍କର ୟୁପିଆଇ ଆଇଡି ୨୦୨୪ ଜାନୁୟାରୀ ୧ରୁ ବ୍ଲକ୍ ହେଇଯିବ |
ଗୁଗୁଲ୍ ପେ, ଫୋନ୍ ପେ ଓ ପେଟିଏମ୍ ପରି ପ୍ଲାଟଫର୍ମଗୁଡିକ ଅନଲାଇନ୍ ଟଙ୍କା ପଠାଇବା ପାଇଁ ୟୁପିଆଇ ଆଇଡି ବ୍ୟବହାର କରନ୍ତି । ଏହି ୟୁପିଆଇ ଆଇଡି ଗୁଡ଼ିକ ସମ୍ପୃକ୍ତ ଗ୍ରାହକଙ୍କ ମୋବାଇଲ୍ ନମ୍ବର ସହିତ ଲିଙ୍କ୍ ହୋଇଥାଏ । ଅନେକ ଥର ଗୋଟିଏ ମୋବାଇଲ୍ ନମ୍ବର ସହିତ ଏକାଧିକ ୟୁପିଆଇ ଆଇଡି ଲିଙ୍କ୍ ହୋଇଥାଏ, ଯାହା ଦୀର୍ଘ ସମୟ ଧରି ବ୍ୟବହୃତ ହୁଏ ନାହିଁ ।
ୟୁପିଆଇ ଆଇଡି ବ୍ଲକ୍ ଏଡ଼ାଇବା ପାଇଁ କଣ କରିବେ?
ଯଦି ଆପଣ ନିଜ ପୁରୁଣା ନିଷ୍କ୍ରିୟ ୟୁପିଆଇ ଆଇଡି ବନ୍ଦ ହେବା ଚାହୁଁନାହାଁନ୍ତି, ତେବେ ଡିସେମ୍ବର ୩୧ ପୂର୍ବରୁ ଏହି ଆଇଡି ଗୁଡ଼ିକୁ ସକ୍ରିୟ କରିବାକୁ ପଡ଼ିବ । ଏଥିପାଇଁ ଆପଣଙ୍କୁ ୟୁପିଆଇ ଆଇଡି ମାଧ୍ୟମରେ ଅତିକମରେ ଗୋଟିଏ ଟ୍ରାଞ୍ଜାକ୍ସନ କରିବାକୁ ପଡ଼ିବ ।
ପୁରୁଣା ୟୁପିଆଇ ଆଇଡି କାହିଁକି ବନ୍ଦ ହେଉଛି?
ଏନପିସିଆଇ ରିପୋର୍ଟ ଅନୁଯାୟୀ, ଗ୍ରାହକମାନେ ପୁରୁଣା ୟୁପିଆଇ ଆଇଡିକୁ ନିଷ୍କ୍ରିୟ ନକରି ନୂଆ ମୋବାଇଲରେ ନୂଆ ୟୁପିଆଇ ଆଇଡି ସହ ମୋବାଇଲ୍ ନମ୍ବର ଲିଙ୍କ୍ କରୁଛନ୍ତି | ଏହି ପ୍ରସଙ୍ଗରେ ଟେଲିକମ୍ ନିୟାମକ ଟ୍ରାଇ ନିର୍ଦ୍ଦେଶାବଳୀ ଜାରି କରିଛି। ଏନପିସିଆଇର ନିର୍ଦ୍ଦେଶରେ ସମସ୍ତ ବ୍ୟାଙ୍କ ଏବଂ ତୃତୀୟ ପକ୍ଷ ଆପ୍ ବର୍ଷକରୁ ଊର୍ଦ୍ଧ୍ବ ସମୟ ଧରି ନିଷ୍କ୍ରିୟ ଥିବା ୟୁପିଆଇ ଆଇଡି ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି | ନିଷ୍କ୍ରିୟ ୟୁପିଆଇ ଆଇଡି ସହିତ ଠକେଇର ସମ୍ଭାବନା ବି ରହିଛି | ତେଣୁ ବହୁ ସମୟ ଧରି ନିଷ୍କ୍ରିୟ ରହିଥିବା ୟୁପିଆଇ ଆଇଡି ଗୁଡ଼ିକୁ ବନ୍ଦ କରିବା ପାଇଁ ଏନପିସିଆଇ ନିର୍ଦ୍ଦେଶ ଦେଇଛି ।