କେନ୍ଦ୍ର-ରାଜ୍ୟ ସରକାରଙ୍କ ସମନ୍ବୟ ଯୋଗୁଁ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିଛି: ମନସୁଖ ମାଣ୍ଡଭିୟ

କେନ୍ଦ୍ର-ରାଜ୍ୟ ସରକାରଙ୍କ ସମନ୍ବୟ ଯୋଗୁଁ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିଛି: ମନସୁଖ ମାଣ୍ଡଭିୟ

ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ ଗତ ୨ ତାରିଖ ସନ୍ଧ୍ୟା ସମୟରେ ଟ୍ରେନ ଦୁର୍ଘଟଣାରେ ଆହତମାନଙ୍କୁ ଆଜି ଅପରାହ୍ନରେ ତିନି କେନ୍ଦ୍ରମନ୍ତ୍ରୀ ଭେଟିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ, ଶିକ୍ଷା, ଦକ୍ଷତା, ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ କଟକ ବଡ଼ମେଡିକାଲରେ ଆହତମାନଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ଏସସିବି ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ତିନି କେନ୍ଦ୍ର ମନ୍ତ୍ରୀ ଏସସିବି ଅଧିକ୍ଷକ, ଡିନ, ପ୍ରଫେସର୍, ପିଜି ଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ମାଣ୍ଡଭିୟ କହିଥିଲେ ଦେଶରେ ଏସସିବି ର ନାମ ଯଥେଷ୍ଟ ରହିଛି। ଏହି ଟ୍ରେନ ଦୁର୍ଘଟଣାରେ ଗୁରୁତର ଆହତଙ୍କ ଚିକିତ୍ସାରେ ଯେଉଁ ତତ୍ପରତା ଦେଖାଇଛନ୍ତି ସେଥି ପାଇଁ ଏସସିବିର ଗୁରୁତ୍ୱ ଆହୁରି ବଢ଼ି ଯାଇଛି। କେନ୍ଦ୍ର-ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସମନ୍ବୟ ଯୋଗୁଁ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିଛି।

ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ପ୍ରଶାସନିକ ଅଧିକାରୀ ଏହି ଉଦ୍ଧାର କାର୍ଯ୍ୟ ବେଶ୍ ଆନ୍ତରିକତା ସହ କରିଛନ୍ତି। ସବୁ ବିଭାଗ ମଧ୍ୟରେ ସମନ୍ଵୟ ଯୋଗୁଁ ଲୋକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପାରିଛି।