ମୁଖ୍ୟମନ୍ତ୍ରୀ ଚୌକିରେ ବସିଲେନି ଆତିଶୀ
ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆତିଶୀ

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆତିଶୀ। ସୋମବାର ସଚିବାଳୟରେ ପହଁଞ୍ଚି ଗ୍ରହଣ କରିଛନ୍ତି କାର୍ଯ୍ୟଭାର। ହେଲେ ସିଏମଙ୍କ ଚୌକି ରେ ବସିନଥି ଲେ ଆତିଶି।ସେ ଏହି ଆସନକୁ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପାଇଁ ଖାଲି ରଖିଛନ୍ତି। ସିଏମ୍ ଚେୟାର ପାଖରେ ଆଉ ଏକ ଚୌକିରେ ବସି ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଛନ୍ତି।
କେଜ୍ରିଓ୍ବାଲଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ହୋଇଥିବା ଆତିଶି କହିଛନ୍ତି, ଆମ ଆଦମୀର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଭଗବାନ ରାମଙ୍କ ଭଳି ମର୍ଯ୍ୟାଦା ଓ ନୈତିକତାର ଉଦାହରଣ ସୃଷ୍ଟି କରିଛନ୍ତି। ଭଗବାନ ରାମ ନିଜ ବାପାଙ୍କ ବଚନକୁ ରକ୍ଷା କରି ୧୪ ବର୍ଷ ବନବାସ ଯାଇଥିଲେ। ତେଣୁ ଆମେ ତାଙ୍କୁ ମର୍ଯ୍ୟାଦାପୁରୁଷୋତ୍ତମ କହୁ। ତାଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ ମର୍ଯ୍ୟାଦା ଓ ନୈତିକତାର ଉଦାହରଣ। ସେଭଳି କେଜ୍ରିଓ୍ବାଲ ଦେଶର ରାଜନୀତିରେ ମର୍ଯ୍ୟାତା ଓ ନୈତିକତାର ଉଦାହରଣ ସୃଷ୍ଟି କରିଛନ୍ତି। ’
ଆତିଶି କହିଛନ୍ତି, ବିଜେପି କେଜ୍ରିଓ୍ବାଲଙ୍କ ଉପରେ କାଦୁଅ ଛିଟା ପକାଇଛି। ତାଙ୍କ ଉପରେ ମିଛ ମକଦ୍ଦମା ଲଗାଇ ଗିରଫ କରିବା ପରେ ୬ ମାସ ମଧ୍ୟ ଜେଲ୍ରେ ରଖିଛି। ଯେତେବେଳେ କେଜ୍ରିଓ୍ବାଲଙ୍କୁ ସୁପ୍ରିମକୋର୍ଟ ଜାମିନ୍ ଦେଇଥିଲେ ସେ କହିଥିଲେ କେଜ୍ରିଓ୍ବାଲଙ୍କ ଗିରଫଦାରୀ ର୍ଦୁଭାବନା ଅନୁସାରେ କରାଯାଇଛି। ଆଉ କେହି ମୁଖ୍ୟମନ୍ତ୍ରୀ ହୋଇଥିଲେ ତାଙ୍କୁ ଚୌକିରେ ବସିବାରେ ଦୁଇ ମିନିଟ୍ ସମୟ ଲାଗିନଥାନ୍ତା, କିନ୍ତୁ କେଜ୍ରିଓ୍ବାଲ କହିଥିଲେ, ସେ ପର୍ଯ୍ୟନ୍ତ ଏହି ଚୌକିରେ ବସିବିନି ଯେ ପର୍ଯ୍ୟନ୍ତ ଦିଲ୍ଲୀର ଲୋକେ ମୋ ଉପରେ ଭରସା ନକରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀ ଚୌକି କେଜ୍ରିଓ୍ବାଲଙ୍କର ରହିବ। ମୋତେ ପୁରା ଭରସା ରହିଛି, ଫେବୃଆରୀରେ ହେବାକୁ ଥିବା ନିର୍ବାଚନରେ ଦିଲ୍ଲୀର ଲୋକଙ୍କ ଭଲ ପାଇବା ଓ ଆର୍ଶିବାଦ ତାଙ୍କୁ ମିଳିବ।’ ଅନ୍ୟପକ୍ଷେ ଆତିଶିଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିଛି ବିଜେପି। ଦିଲ୍ଲୀର ବିଜେପି ଜିଲ୍ଲାଧ୍ୟକ୍ଷ ବୀରେନ୍ଦ୍ର ସଚଦେବା କହିଛନ୍ତି, ଏଭଳି କରି ସେ ମୁଖ୍ୟମନ୍ତ୍ରୀ ପଦର ଗାରିମା ନଷ୍ଟ କରିଛନ୍ତି। ଏହାସହ ଜନତାଙ୍କ ଭାବନାକୁ ଆଘାତ ଦେଇଛନ୍ତି। ସ୍ପଷ୍ଟ ଭାଷାରେ ଏହାକୁ କେବଳ ଚାମଚା ଗିରି ହିଁ କହିହେବ।