ଲୁହା କଡ଼େଇ ବ୍ୟବହାର କରାଯିବାକୁ ନେଇ ଚାରିଆଡ଼େ ନିନ୍ଦା:ପାଳିଆ ସେବକ ନିଲମ୍ବିତ
ଶ୍ରୀମନ୍ଦିର ରୋଷେଇରେ ଲୁହା କଡ଼େଇ ବ୍ୟବହାର ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି

ବିଶ୍ବ ପ୍ରସିଦ୍ଧ ପୁରୀ ଜଗନ୍ନାଥ ମନ୍ଦିର ଓ ମହାପ୍ରଭୁଙ୍କ ମହାପ୍ରସାଦ ପାଇଁ ଭକ୍ତ ହଜାର ହଜାର କିଲୋମିଟର ଦୂରରୁ ଆସିଥାନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତମାନେ କୃତାର୍ଥ ହେଉଥିବା ବେଳେ ମହାପ୍ରସାଦ ପାଇଁ ଅପୂର୍ବ ଆନନ୍ଦଲାଭ କରିଥାନ୍ତି। କିନ୍ତୁ ଶ୍ରୀମନ୍ଦିରରେ ଯେତେବେଳେ କୌଣସି ବିଶୃଙ୍ଖଳା ପରିସ୍ଥିତି ଦେଖାଯାଏ, ଭକ୍ତମାନେ ଗଭୀର ଆଘାତ ପାଇଥାନ୍ତି। ମହାପ୍ରଭୁଙ୍କ ରୋଷେଇରେ ଲୁହା କଡ଼େଇ ବ୍ୟବହାର ହୋଇଥିବା ନେଇ ଅଭିଯୋଗ ଆସିଛି। ଲୁହା କଡ଼େଇ ବ୍ୟବହାର କରାଯିବାକୁ ନେଇ ଚାରିଆଡ଼େ ନିନ୍ଦା କରାଯାଉଛି।
ଶ୍ରୀମନ୍ଦିର ରୋଷେଇରେ ଲୁହା କଡ଼େଇ ବ୍ୟବହାର ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ରୋଷେଇରେ ନିୟୋଜିତ ୩ ଜଣ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ଜଣେ ପାଳିଆ ସେବକ ମହାପ୍ରଭୁଙ୍କ ସେବାପୂଜାରୁ ନିଲମ୍ବିତ ହୋଇଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମହାପ୍ରଭୁଙ୍କ ସେବା କାର୍ଯ୍ୟରେ ବିଶୃଙ୍ଖଳାକୁ ହାଲୁକା ଭାବେ ନିଆଯିବ ନାହିଁ। ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ।