ଡିସେମ୍ବର ସୁଦ୍ଧା ସବୁ ଗାଡ଼ିରେ ଟ୍ରାକିଂ ଓ ସେଫ୍ଟି ଡିଭାଇସ ବାଧ୍ୟତାମୂଳକ

ରାଜ୍ୟରେ ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ସମସ୍ତ ଗାଡ଼ିରେ ଏଣିକି ଲୋକେସନ୍ ଟ୍ରାକିଙ୍ଗ୍ ଓ ସେଫ୍ଟି ଡିଭାଇସ୍ ଲଗାଇବା ହେବ ବାଧ୍ୟତାମୂଳକ

ଡିସେମ୍ବର ସୁଦ୍ଧା ସବୁ ଗାଡ଼ିରେ ଟ୍ରାକିଂ ଓ ସେଫ୍ଟି ଡିଭାଇସ ବାଧ୍ୟତାମୂଳକ

ରାଜ୍ୟରେ ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ସମସ୍ତ ଗାଡ଼ିରେ ଏଣିକି ଲୋକେସନ୍ ଟ୍ରାକିଙ୍ଗ୍ ଓ ସେଫ୍ଟି ଡିଭାଇସ୍ ଲଗାଇବା ହେବ ବାଧ୍ୟତାମୂଳକ । ଏହି ଡିଭାଇସ୍ ନଥିଲେ ଆସନ୍ତା ଅକ୍ଟୋବର ପହିଲାରୁ କୌଣସି ନୂଆ ଗାଡ଼ି ପଞ୍ଜୀକରଣ କରାଯିବ ନାହିଁ । ସେହିପରି ୨୦୨୩ ସେପ୍ଟେମ୍ବର ୩୦ତାରିଖ ପୂର୍ବରୁ ଯେଉଁ ଗାଡ଼ିଗୁଡ଼ିକ ପଞ୍ଜୀକରଣ ହୋଇଛି ସମ୍ପୃକ୍ତ ଗାଡ଼ିର ମାଲିକମାନେ ୨୦୨୩ ଡିସେମ୍ବର ୩୧ତାରିଖ ସୁଦ୍ଧା ନିଜ ଗାଡ଼ିରେ ଏହି ଡିଭାଇସ୍ ଲଗାଇବାକୁ ବାଧ୍ୟ ବୋଲି ଜଣାପଡିଛି ।

ତେବେ ରାଜ୍ୟ ପରିବହନ କମିଶନର ମଙ୍ଗଳବାର ଦିନ ଏକ ସାର୍ବଜନୀନ ନୋଟିସ୍ ଜାରି କରି ପରିବହନ ସେବା ଯୋଗାଉଥିବା ଗାଡ଼ିରେ ଭେଙ୍କିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍‌(ଭିଏଲଟିଡି) ଓ ପାନିକ୍ ବଟନ୍ ଲଗାଇବାକୁ ବାଧ୍ୟତାମୂଳକ କରିଛନ୍ତି । ଏଥିପାଇଁ ସମୟସୀମା ମଧ୍ୟ ଧାର୍ଯ୍ୟ ହୋଇଛି । ବିଶେଷକରି ରାସ୍ତାରେ ଚାଲୁଥିବା ଗାଡ଼ିଗୁଡ଼ିକ ଉପରେ ନଜର ରଖିବା ଏବଂ ମହିଳା ଓ ଶିଶୁ ଯାତ୍ରୀମାନଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ସମସ୍ତ ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ଗାଡ଼ିଗୁଡ଼ିକରେ ଏହି ଲୋକେସନ୍ ଟ୍ରାକିଙ୍ଗ୍ ଓ ସେଫ୍ଟି ଡିଭାଇସ୍ ଲଗାଇବାକୁ କୁହାଯାଇଛି ।

ଦୁଇଚକିଆ, ତିନିଚକିଆ ଓ ରିକ୍ସାକୁ ବାଦ୍ ଦେଇ ଅନ୍ୟ ସମସ୍ତ ଗାଡ଼ି ଯଥା ବସ୍‌, ଶିକ୍ଷାନୁଷ୍ଠାନ ବସ୍‌, ଆମ୍ବୁଲାନ୍ସ, ସବୁପ୍ରକାରର କ୍ୟାବ୍‌, ଓମିନି ବସ୍‌, ମୋଟର କ୍ୟାବ୍‌, ପ୍ରାଇଭେଟ୍ ସର୍ଭିସ ଗାଡ଼ି ଓ ନ୍ୟାସନାଲ ପରମିଟ୍ ଥିବା ମାଲବାହୀ ଗାଡ଼ିଗୁଡ଼ିକରେ ଏହି ଭିଏଲଟିଡି ଡିଭାଇସ୍ ଲାଗିବ । ଅକ୍ଟୋବର ୧ ତାରିଖରେ ଅବା ଏହାପରେ ଯେଉଁ ନୂଆ ଗାଡ଼ିଗୁଡ଼ିକ କ୍ରୟ ହେବ ସେଥିରେ ପଞ୍ଜୀକରଣ ସମୟରେ ଭିଏଲଟିଡି ଡିଭାଇସ୍ ଲଗାଇବା ଜରୁରୀ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଯେଉଁ ଗାଡ଼ିଗୁଡ଼ିକ ଚଳିତ ମାସ ୩୦ ତାରିଖ ମଧ୍ୟରେ କ୍ରୟ ହୋଇଛି ସେଗୁଡ଼ିକ ୨୦୨୩ ଡିସେମ୍ବର ୩୧ତାରିଖ ପୂର୍ବରୁ ଏହି ଡିଭାଇସ୍ ଲଗାଇବେ । ଯଦି କୌଣସି ପୁରୁଣା ଗାଡ଼ିରେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହି ଭିଏଲଟିଡି ଡିଭାଇସ୍ ନଲାଗେ, ତା’ହେଲେ ସମ୍ପୃକ୍ତ ଗାଡ଼ିକୁ ଫିଟନେସ, ମାଲିକାନା ପରିବର୍ତ୍ତନ, ପରମିଟ୍ ଓ ନ୍ୟାସନାଲ ପରମିଟ୍ ଆଦି ସୁବିଧା ମିଳିବ ନାହିଁ ।

ରାଜ୍ୟ ସରକାରଙ୍କ ପରିବହନ ବିଭାଗର ୱେବସାଇଟକୁ ଯାଇ କ୍ଷମତାପ୍ରାପ୍ତ ବିକ୍ରେତାଙ୍କୁ ଚୟନ କରି ଅବା ନିକଟସ୍ଥ ରେଟ୍ରୋ ଫିଟମେଣ୍ଟ ସେଣ୍ଟର(ଆରଏଫସି)କୁ ଯାଇ ଏହି ଡିଭାଇସ୍ ଗାଡି ମାଲିକମାନେ ଗାଡ଼ିରେ ଲଗାଇ ପାରିବେ । ଗାଡ଼ି ମାଲିକମାନେ ସରକାରଙ୍କ ଦ୍ୱାରା ଅନୁମୋଦିତ ଯେକୌଣସି କମ୍ପାନୀର ଭିଏଲଟିଡି ଡିଭାଇସ୍ ଲଗାଇ ପାରିବେ । ଶେଷ ସମୟରେ ଭିଡ଼ ହ୍ରାସ ନିମନ୍ତେ ଗାଡ଼ିମାଲିକମାନେ ଧାର୍ଯ୍ୟ ସମୟସୀମା ପୂର୍ବରୁ ଭିଏଲଟି ଡିଭାଇସ୍ ଲଗାଇବାକୁ ପରିବହନ କମିଶନର ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ର ପରିବହନ ମନ୍ତ୍ରଣାଳୟର ଗାଇଡଲାଇନ୍ ଅନୁସାରେ ସମସ୍ତ ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ଗାଡ଼ିରେ ଏହି ଡିଭାଇସ୍ ଲଗାଇବା ବାଧ୍ୟତାମୂଳକ । ପୂର୍ବରୁ ରାଜ୍ୟ ସରକାର ଏହି ଅବଧିକୁ ବାରମ୍ବାର ବୃଦ୍ଧି କରି ଆସୁଥିଲେ ।