ଗର୍ଜିଲା କଂଗ୍ରେସ, ୧୮ ରେ ବ୍ଲକ୍ ଘେରାଉ

ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସର ରଣହୁଙ୍କାର: ୧୮ରେ ସମସ୍ତ ବ୍ଲକ୍‌ ଘେରାଉ ପାଇଁ ଆହ୍ବାନ

ଗର୍ଜିଲା କଂଗ୍ରେସ, ୧୮ ରେ ବ୍ଲକ୍ ଘେରାଉ

ଭୁବନେଶ୍ବର: ୯ ଦଫା ଦାବି ନେଇ ଆସନ୍ତା ୧୮ ତାରିଖରେ ରାଜ୍ୟର ସମସ୍ତ ୩୧୪ ବ୍ଲକ୍‌ କାର୍ଯ୍ୟାଳୟ ଘେରଉ କରିବ ରାଜ୍ୟ କଂଗ୍ରେସ। ଆନ୍ଦୋଳନ ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ସମ୍ବଳିତ ଏକ ସ୍ମାରକପତ୍ର ବିଡିଓଙ୍କୁ ପ୍ରଦାନ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ, ଦଳର ୯ ଦଫା ଦାବି ମଧ୍ୟରେ ରହିଛି ବ୍ଲକ୍‌ସ୍ତରରେ ଚାଲିଥିବା ୧୫-୫୦ ପ୍ରତିଶତ ପିସି କାରବାର ବନ୍ଦ କରିବା। ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତ୍ୟେକ ପଞ୍ଚାୟତକୁ ମଞ୍ଜୁର ହୋଇଥିବା ୫୦ଲକ୍ଷ ଟଙ୍କାର ପ୍ରକଳ୍ପ ତାଲିକା ପଞ୍ଚାୟତ ମାଧ୍ୟମରେ ଖର୍ଚ୍ଚ କରିବା, ନାରୀ ନିର୍ଯାତନା ବନ୍ଦ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିୟମ ଅନୁଯାୟୀ ହିତାଧିକାରୀ ବାଛିବା, ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦର ବୃଦ୍ଧି ନିୟନ୍ତ୍ରଣ ପାଇଁ ଖାଲି ପଡ଼ିଥିବା ୨.୨୬ଲକ୍ଷ ସରକାରୀ ପଦବି ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉ। ରାଜ୍ୟର ଧାନର ଅଭାବୀ ବିକ୍ରି ବନ୍ଦ କରିବା, ପ୍ରତି ବ୍ଲକ୍‌ରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା, ୨୪ ଘଣ୍ଟିଆ ଗୁଣାତ୍ମକ ବିଜୁଳି ସେବା ଓ ଟାଟା କମ୍ପାନିର ଖାଉଟି ଶୋଷଣ ନୀତିକୁ ବନ୍ଦ, ଅନୁସୂଚିତ ଜାତି, ଜନଜାତି ପଛୁଆବର୍ଗଙ୍କ ପାଇଁ କଂଗ୍ରେସ ସରକାର ସମୟରେ ହୋଇଥିବା ଅଧିକାରର ସୁରକ୍ଷା ପ୍ରସଙ୍ଗରେ ଏହି ଆନ୍ଦୋଳନ କରାଯିବ। ରାଜ୍ୟର ଜନସାଧାରଣଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏହି ଆନ୍ଦୋଳନରେ ସାମିଲ ହେବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି।

କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଥିଲେ, ରାଜ୍ୟ ସରକାରଙ୍କ ବିଫଳତା ଆଉ କାହାରିକୁ ଅଛପା ନାହିଁ। ସରକାର ପ୍ରତ୍ୟେକ ବ୍ଲକ୍‌ରେ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ବି ୨୪ବର୍ଷରେ ବୃହତ କିମ୍ବା ମଧ୍ୟମ ଜଳସେଚନ ପ୍ରକଳ୍ପ‌ ହୋଇପାରିଲାନାହିଁ। ପୁଞ୍ଜି ବିନିଯୋଗ ନାଁରେ ରୋମ୍‌ଠାରୁ ଦୁବାଇ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଗସ୍ତ କରୁଛନ୍ତି। ଏହାସତ୍ତ୍ବେ ରାଜ୍ୟରେ କୌଣସି ଶିଳ୍ପ ପ୍ରତିଷ୍ଠା ହୋଇପାରିନାହିଁ। ନିଯୁକ୍ତି ସୃଷ୍ଟି କରିବା ପାଇଁ ସରକାର ଯେଉଁ ଆଶ୍ବାସନା ଦେଇଥିଲେ ତାହା କେବଳ ଧୂଆଁବାଣ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ପିସିସି ଗଣମାଧ୍ୟମ ସେଲ୍‌ର ଅଧ୍ୟକ୍ଷ ଗଣେଶ୍ବର ବେହେରା କହିଲେ, ବିଜେଡିର ବହୁ ଘୋଷିତ ସ୍ବଚ୍ଛ ସରକାର ଧ୍ବନୀ ଆଉ ଶୁଣିବାକୁ ମିଳୁନାହିଁ। ମନରେଗା କାର୍ଯ୍ୟକ୍ରମ ପାଇଁ ପ୍ରତି ଜିଲ୍ଲାରେ ଜଣେ ଲେଖାଏ ଅମ୍ବୁଡସମ୍ୟାନ୍ ନିଯୁକ୍ତିର ବ୍ୟବସ୍ଥା ଥିବା ବେଳେ ସରକାର ନିଯୁକ୍ତି ଦେଉନାହାନ୍ତି। ତେଣୁ ଯୋଜନାରେ ତୋଷାରପାତ ବଢ଼ି ଚାଲଛି ବୋଲି ଶ୍ରୀ ବେହେରା ଅଭିଯୋଗ କରିଥିଲେ।