ପାରାଦୀପରୁ କେନ୍ଦ୍ରାପଡ଼ା ଦେଇ କେନ୍ଦୁଝର ଚାଲିବ ମେମୋ

କେନ୍ଦ୍ରାପଡ଼ାବାସୀଙ୍କ ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ ଘଟିବ

ପାରାଦୀପରୁ କେନ୍ଦ୍ରାପଡ଼ା ଦେଇ କେନ୍ଦୁଝର ଚାଲିବ ମେମୋ

କେନ୍ଦ୍ରାପଡ଼ାବାସୀଙ୍କ ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ ଘଟିବ  । ବହୁ ପ୍ରତୀକ୍ଷିତ ପାରାଦୀପ-ହରିଦାସପୁର ରେଳ ଲାଇନ୍ରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବ  । ପାରାଦୀପରୁ କେନ୍ଦ୍ରାପଡା ଦେଇ କେନ୍ଦୁଝରକୁ ମେମୋ ଟ୍ରେନ୍ ଚାଲିବ  । ଆସନ୍ତା ୫ ତାରିଖରେ ଓଡିଶା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଦେଖାଇ ଏହି ଟ୍ରେନ୍ର ଶୁଭାରମ୍ଭ କରିବେ  ।
୨୦୨୦ ମସିହାରେ ପାରାଦୀପ-ହରିଦାସପୁର ରେଳ ଲାଇନ୍ରେ ମାଲ୍ବାହୀ ଟ୍ରେନ୍ ଚାଲିଥିଲା  । ତା’ପରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବା ପାଇଁ ଦାବି ହୋଇ ଆସୁଥିଲା  । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କେନ୍ଦ୍ରାପଡା ଗସ୍ତ ସମୟରେ ସ୍ଥାନୀୟ ଲୋକ ପୁଣି ଯାତ୍ରୀବାହୀ ଟ୍ରେନ୍ ଚଳାଇବା ପାଇଁ ଦାବି କରିଥିଲେ  । ସ୍ଥାନୀୟ ଲୋକଙ୍କ ଅନୁରୋଧ କ୍ରମେ ଟ୍ରେନ୍ ଚଳାଇବାକୁ ନିଷ୍ପତି ନେଇଛି ରେଳ ମନ୍ତ୍ରଣାଳୟ ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୫ ତାରିଖ ଦିନ ଓଡିଶା ଗସ୍ତରେ ଆସିବେ । ଯାଜପୁର ଜିଲ୍ଲା ଚଣ୍ଡୀଖୋଲରେ ପ୍ରଧାନମନ୍ତ୍ରୀ ମୋଦୀ ମେମୁ ଟ୍ରେନର ଶୁଭାରମ୍ଭ କରିବେ  । ଏହା ସହ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବେ । ସେହି ସମୟରେ ପତାକା ଦେଖାଇ ପ୍ରଧାନମନ୍ତ୍ରୀ ମେମୋ ଟ୍ରେନ୍ର ଶୁଭାରମ୍ଭ କରିବେ ବୋଲି ଜଣାପଡିଛି । ଡିଆରଏମ୍ ଏସ.ଏସ. ବାଜୱାଙ୍କ କହିବା ଅନୁସାରେ କମିଶନ ଅଫ୍ ରେଲୱେ ସେଫଟିର ବିଶେଷଜ୍ଞଟିମ୍ ରବିବାର ଟ୍ରାକ୍ ଯାଂଚ କରିଥିଲେ । ତା’ପରେ ଟ୍ରାକ୍ରେ ଟ୍ରାଏଲ୍ ହୋଇଛି  । ଆସନ୍ତାକାଲି ମଧ୍ୟ ଟ୍ରାକ୍ରେ ଟ୍ରାଏଲ୍ ହେବ  । ତା’ପରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୫ ତାରିଖରେ ଟ୍ରେନ୍ର ଶୁଭାରମ୍ଭ ହେବ । ଟ୍ରେନ୍ଟି ପାରାଦୀପରୁ ଛାଡି କେନ୍ଦ୍ରାପଡା ଦେଇ କେନ୍ଦୁଝର ଯିବ  ।