ମୟୁରଭଞ୍ଜରେ ଥମୁନି ହାତୀ ମୃତ୍ୟୁ ଘଟଣା
ଆଜି ପୁଣି ଏକ ହାତୀ ମୃତ୍ୟୁ ଖବର ଆସିଛି ।

ହାତୀ ଶାବକର ଗଳିତ ମୃତଦେହ ଉଦ୍ଧାର । ମୟୁରଭଞ୍ଜରେ ଥମୁନି ହାତୀ ମୃତ୍ୟୁ ଘଟଣା । ଆଜି ପୁଣି ଏକ ହାତୀ ମୃତ୍ୟୁ ଖବର ଆସିଛି । ବେତନଟୀ ରେଞ୍ଜ ଅଧିନସ୍ଥ ଅସନବଣୀ ସଂରକ୍ଷିତ ଜଙ୍ଗଲର ଭଦ୍ରାଷୋଳ ଗାଁରେ ଏକ ହାତୀଛୁଆର ମୃତଦେହ ଉଦ୍ଧାର କରିଛି ବନବିଭାଗ । ହାତୀ ଶାବକର ବୟସ ପାଖାପାଖି ୬ ମାସ ହୋଇଥିବା ଅନୁମାନ କରାଯାଉଛି । ତେବେ ପ୍ରାୟ ସପ୍ତାହେ ପୂର୍ବରୁ ହାତୀ ଛୁଆଟିର ମୃତ୍ୟୁ ହୋଇଥିବା କୁହାଯାଉଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ବେତନଟି ଓ ରାସଗୋବିନ୍ଦପୁର ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବ ଲାଗି ରହିଥାଏ । ହାତୀ ଦାଉରୁ ଲୋକଙ୍କୁ ସୁରକ୍ଷା ଦେବା ଏବଂ ହାତୀଙ୍କ ଗତିବିଧି ଉପରେ ନଜର ରଖିବାରେ ବନବିଭାଗ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଚଳିତ ବର୍ଷ ମୟରଭଂଜ ବନାଂଚଳରେ ୪ଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଚଳିତ ମାସରେ ୨ଟି ହାତୀଙ୍କୁ ମୃତଦେହ ଉଦ୍ଧାର ହୋଇଛି । ଗତ ୧୨ ତାରିଖରେ ଶିମିଳିପାଳ କପ୍ତିପଦା ରେଂଜରୁ ଦନ୍ତାର ମୃତଦେହ ଠାବ ହୋଇଥିଲା । ଆଜି ଆଉ ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି ।