ଶିମିଳିପାଳରେ ପାଟ୍ରୋଲିଂ ପାଇଁ ମୁତୟନ ହେବ ୧୪ଟି ଆଧୁନିକ ଗାଡ଼ି
ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ବ୍ୟାପକ କରିବା ଲାଗି ମୁତୟନ ହେବ ଆଧୁନିକ ବାହନ।

ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ବ୍ୟାପକ କରିବା ଲାଗି ମୁତୟନ ହେବ ଆଧୁନିକ ବାହନ। ଅଭୟାରଣ୍ୟରେ ପାଟ୍ରୋଲିଂ ପାଇଁ ୧୪ଟି ନୂଆ ବୋଲେରୋ କ୍ୟାମ୍ପର୍ସ ଗାଡ଼ି ନିୟୋଜିତ ହେବ। ଓଡ଼ିଶା ଖଣି ନିଗମର ସହାୟତାରେ ଅଭୟାରଣ୍ୟ ପାଇଁ ଏହି ଗାଡ଼ିଗୁଡିକୁ କିଣାଯାଇଛି।
ଏଗୁଡ଼ିକ ମୌସୁମୀ ଋତୁରେ ଅଭୟାରଣ୍ୟରେ ଥିବା ଘାଟି ତଥା କାଦୁଆ ରାସ୍ତାରେ ସହଜରେ ଚାଲିପାରିବ। ଏହାସହ ଗାଡ଼ିରେ ଅଧିକ ସଂଖ୍ୟାରେ ବନ୍ୟ କର୍ମଚାରୀମାନେ ପାଟ୍ରୋଲିଂରେ ଯାଇପାରିବେ।
ସେହିପରି ଏହିସବୁ ଗାଡ଼ିରେ ରିମୋଟ୍ କଣ୍ଟ୍ରୋଲ ସର୍ଚ୍ଚ ଲାଇଟ୍ ଖଞ୍ଜାଯାଇଛି, ଯାହାଦ୍ୱାରା ରାତିରେ ସବୁ ଦିଗକୁ ଦେଖିହେବ। ଏହାସହ ଗାଡ଼ିରେ ଲାଗିଥିବା ୱିଞ୍ଚ ମାଧ୍ୟମରେ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିବାରେ ସୁବିଧା ହେବ।। ଗାଡ଼ିଗୁଡ଼ିକୁ ବିଶେଷ କରି ଅଭୟାରଣ୍ୟର ସମ୍ବେଦନଶୀଳ ଅଞ୍ଚଳରେ ପାଟ୍ରୋଲିଂ ପାଇଁ ବ୍ୟବହାର କରାଯିବ।
ଶିମିଳିପାଳ ଭାରତର ଅନ୍ୟତମ ବୃହତ ଅଭୟାରଣ୍ୟ। ଏଠାରେ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ୨୧୪ଟି କ୍ୟାମ୍ପ, ୧୬ଟି ୱାଚଟାୱାର, ୧୯ଟି ଚେକ୍ ପଏଣ୍ଟ ରହିଛି। ଏଗଡ଼ିକୁ ସଂଯୋଗ କରିବା ପାଇଁ ଅଭୟାରଣ୍ୟରେ ପ୍ରାୟ ୧୦୦୦ କିଲୋମିଟରର ରାସ୍ତା ରହିଛି। ଏସବୁର ତଦାରଖ କରିବା ଲାଗି ଅଧିକ ସଂଖ୍ୟାରେ ପାଟ୍ରୋଲିଂ ଗାଡ଼ି ମୁତୟନ କରାଯିବାର ଆବଶ୍ୟକତା ରହିଥିଲା।
ପୂର୍ବରୁ ଶିମିଳିପାଳରେ ପାଟ୍ରୋଲିଂବେଳେ ଅନେକଥର ବନ କର୍ମଚାରୀ ଓ ଶିକାରୀଙ୍କ ମଧ୍ୟ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଶିକାରୀମାନଙ୍କ ଆକ୍ରମଣରେ କିଛି ବନ କର୍ମଚାରୀଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା। ତେବେ ଏବେ ମୁତୟନ ହୋଇଥିବା ଆଧୁନିକ ଗାଡ଼ି ଦ୍ଵାରା ଶିମିଳିପାଳରେ ଜୀବଜନ୍ତୁଙ୍କ ସୁରକ୍ଷାକୁ ଆହୁରି ବ୍ୟାପକ କରାଯାଇପାରିବ ବୋଲି ଅଭୟାରଣ୍ୟ କର୍ତ୍ତୃପକ୍ଷ ଆଶାବାଦୀ ଅଛନ୍ତି।