ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର

ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଚଳଚଞ୍ଚଳ ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠ। ହଜାର ହଜାର ଶ୍ରଦ୍ଧାଳୁ ଓ କାଉଡିଆମାନେ କଂକ୍ରିଟ ସେତୁ ଦେଇ ଆସି ବାବା ଧବଲେଶ୍ୱରଙ୍କ ଶ୍ରାବଣୀ ଲିଙ୍ଗରେ ଜଳ ଲାଗି କରିଛନ୍ତି । ବିଶ୍ଵାସ ରହିଛି ଧବଳେଶ୍ଵରଙ୍କ ମସ୍ତକରେ ଜଳଲାଗି କଲେ ମାନସିକ ପୂରଣ ହୋଇଥାଏ।

ସେଥିପାଇଁ ଓଡ଼ିଶାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଛୁଟି ଆସିଥାନ୍ତି ଏହି ପବିତ୍ର ପୀଠକୁ। ଚଳିତ ବର୍ଷ ଧବଳେଶ୍ଵର ପୀଠକୁ ପ୍ଲାଷ୍ଟିକ ଘଡିକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଥିବାରୁ କାଉଡ଼ିଆମାନେ ମାଟି ଏବଂ ପିତଳ ଘଡିରେ ଜଳଲାଗି କରିଥିଲେ।

ପୂଜକ ସମିତି ପକ୍ଷରୁ ରାତ୍ର ୪ଟାରେ ପହଡ ଖୋଲାଯାଇ ୧୦୮ କଳସ ପବିତ୍ର ଜଳରେ ବାବାଙ୍କୁ ସ୍ନାନ କରି ମଙ୍ଗଳାଆଳତୀ ପରେ ସମସ୍ତ ନୀତିକାନ୍ତି ସମାପନ କରାଯାଇଥିଲା। ପରେ ଶ୍ରଦ୍ଧାଳୁମାନେ ଜଳଲାଗି କରିଥିଲେ। ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ନୂତନ ସେତୁର ପ୍ରବେଶ ପଥରୁ ପୀଠ ପର୍ଯ୍ୟନ୍ତ ବ୍ୟାରିକେଡ୍ ନିର୍ମାଣ କରିଛି । କାଉଡ଼ିଆ ଭକ୍ତମାନେ ଶୃଙ୍ଖଳିତ ଭାବେ ଜଳାଭିଷେକ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । କାଉଡ଼ିଆମାନେ ସେତୁ ପ୍ରବେଶ ପରେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ରହିବେ । ସେଠାରୁ ଜଳ କଳସକୁ ନେଇ ବାବା ଧବଳେଶ୍ୱରଙ୍କ ନିକଟରେ ଜଳଲାଗି କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥି ସହ ଧବଳେଶ୍ୱର ଘାଟର ଉଭୟ ପାଶ୍ୱର୍ରେ ଅଗ୍ନିଶମ ବିଭାଗର କର୍ମଚାରୀ ମୁତୟନ ରହିବା ସହ କେହି ଯେପରି ନଦୀର ଗଭୀର ପାଣିକୁ ନଯାଆନ୍ତି ସେଥିପ୍ରତି କଡ଼ା ନଜର ଦେବାକୁ ନିର୍ଦ୍ଦେଶ ରହିଛି ।

ମଞ୍ଚେଶ୍ୱର ପାର୍ଶ୍ୱ ସହ ପୀଠରେ ଦୁଇଟି ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଖୋଲାଯାଇଛି । ଡାକ୍ତର ଓ କର୍ମଚାରୀ ଉପସ୍ଥିତ ରହିବା ସହ କେହି ଅସୁସ୍ଥ ଅନୁଭବ କଲେ ତାଙ୍କୁ ଚିକିତ୍ସା କରାଯାଇ ଔଷଧ ଦେବାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୀଠରେ ଯେପରି ବିଦ୍ୟୁତ ବିଭ୍ରାଟ ନ ହୁଏ ସେଥିପ୍ରତି ବିଭାଗ ସଜାଗ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରବିବାର ଠାରୁ ପୀଠକୁ କାଉଡ଼ିଆଙ୍କ ସମାଗମ ହେବା ସହ ଭୋର ସମୟରେ ପାଣି ଢାଳିବା ପାଇଁ ରାତିଯାପନ କରିଥାନ୍ତି । ହେଲେ ପୂଜକ ସମିତି ପକ୍ଷରୁ ଟିକଟ ବ୍ୟବସ୍ଥା କରାଯାଇଥିବା ବେଳେ ଧାଡ଼ି ବାନ୍ଧି ବ୍ୟାରିକେଡ୍ ମାଧ୍ୟମରେ ଶୃଙ୍ଖଳିତ ଭାବେ ଜଳ ଲାଗି କରିବେ । ପ୍ଲାଷ୍ଟିକ୍ କଳସରେ ପାଣି ଢାଳିବା ଉପରେ କଟକଣା ଲଗାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହ ୧୨ ଜଣ ଅଫିସର ମୁତୟନ ହେବେ । ପୀଠରେ ଜଣେ ମାଜଷ୍ଟ୍ରେଟ୍ ଉପସ୍ଥିତ ରହିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।