ଦୟା ନଦୀକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ସ୍ଥାପନ କରାଯିବ ଟ୍ରିଟମେଣ୍ଟ ପ୍ଲାଣ୍ଟ

ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବାକୁ ଆରମ୍ଭ ହୋଇଛି ପ୍ରକିୟା ।

ଦୟା ନଦୀକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ସ୍ଥାପନ କରାଯିବ ଟ୍ରିଟମେଣ୍ଟ ପ୍ଲାଣ୍ଟ

ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବାକୁ ଆରମ୍ଭ ହୋଇଛି ପ୍ରକିୟା । ନଦୀ ପାଣିକୁ ପ୍ରଦୂଷଣମୁକ୍ତ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନଗର ଉନ୍ନୟନ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏ ସଂକ୍ରାନ୍ତରେ ଆଜି 5T ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ବିଭିନ୍ନ ପ୍ରତିଷ୍ଠାନର ଦୂଷିତ ଜଳକୁ ସ୍ୱେରେଜ ଲାଇନ୍‌ ସହିତ ସଂଯୋଗ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ଏହା ସହିତ ବିଏମସି ର ସବୁ ଘର ଯେପରି ସ୍ୱେରେଜ ଲାଇନ୍‌ ସହିତ ଶୀଘ୍ର ସଂଯୁକ୍ତ ହୋଇପାରିବ ସେ ଦିଗରେ ମଧ୍ୟ ସଚେତନତା ସୃଷ୍ଟି କରିବାପାଇଁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ୱରରେ ୱାଟ୍‌କୋ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ସ୍ୱେରେଜ କାମ ଚାଲିଛି । ବିଭିନ୍ନ ଏଜେନ୍ସି ସହ ସମନ୍ୱୟ ରକ୍ଷାକରି କାମ କଲେ ଜନସାଧାରଣଙ୍କ ବିଶେଷ ଅସୁବିଧା ହେବ ନାହିଁ ବୋଲି ପାଣ୍ଡିଆନ ମତଦେବା ସହିତ ସ୍ୱେରେଜ କାମ ତ୍ୱରାନ୍ୱିତ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ଏବଂ ବସ୍ତି ସମେତ ସହରର ସବୁ ଅଞ୍ଚଳ ଯେପରି ସ୍ୱେରେଜ ବ୍ୟବସ୍ଥା ସହିତ ସଂଯୁକ୍ତ ହେବ ସେଦିଗରେ ପଦକ୍ଷେପ ନେବା ପାଇଁ ପାଣ୍ଡିଆନ ୱାଟ୍‌କୋ କୁ ନିର୍ଦ୍ଦେଶ ଦେଇଛନ୍ତି ।

ଦୟା ନଦୀର ଜଳକୁ ବିଶୁଦ୍ଧ କରିବା ପାଇଁ ଦୟା ଓ ଗଙ୍ଗୁଆର ସଂଯୋଗ ସ୍ଥଳରେ ୱାଟ୍‌କୋ ପକ୍ଷରୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳଯୁକ୍ତ ଏକ ବିଶୋଧନ ପ୍ଲାଣ୍ଟ ନିର୍ମାଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ଏହାସହ ସହରର ବିଭିନ୍ନ ନର୍ଦ୍ଦମା ଜଳ ବିଶୋଧନ ପ୍ଲାଣ୍ଟରେ ପହଞ୍ଚିବା ପୂର୍ବରୁ ସେଗୁଡିକର ୱାଟ୍‌କୋ ଓ SPCB ପକ୍ଷରୁ ନିୟମିତ ବୈଷୟିକ ଯାଞ୍ଚ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବାପାଇଁ, ବିଏମସି ଅଞ୍ଚଳର ବର୍ଜ୍ୟବସ୍ତୁ ସୃଷ୍ଟିକାରୀ ଶିଳ୍ପ ତଥା ଅନ୍ୟ ପ୍ରତିଷ୍ଠାନଗୁଡିକ ଉପରେ ତୀକ୍ଷ୍ଣ ନଜର ରଖି ଏହାର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ପାଣ୍ଡିଆନ ବିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ ଅଧ୍ୟକ୍ଷତାରେ ଗଠିତ 'ଦୟା ଟାସ୍କ ଫୋର୍ସ' ଦୟା ନଦୀ ପାଣିକୁ ବିଶୁଦ୍ଧ ରଖିବା ପାଇଁ ବିଭିନ୍ନ ଏନର୍ଜି ସହିତ ସମନ୍ଵୟ ରଖି ପଦକ୍ଷେପ ନେଇଛି । ବୈଠକରେ ବଳବନ୍ତ ସିଂ ନିଆ ଯାଇଥିବା ପଦକ୍ଷେପ ସମ୍ପର୍କରେ ଏକ ପ୍ରେଜେଣ୍ଟେସନ ଉପସ୍ଥାପିତ କରିଥିଲେ ।