ଦିଲ୍ଲୀ-ଏନସିଆରରେ ବର୍ଷା ତାଣ୍ଡବ; ବିଭିନ୍ନ କାରଣରୁ ୯ମୃତ, ୩ଜଣ ଆହତ
ଦିଲ୍ଲୀ-ଏନସିଆରରେ ବର୍ଷା ବିତ୍ପାତ

ଦିଲ୍ଲୀ-ଏନସିଆରରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଦିଲ୍ଲୀ-ଏନସିଆର୍ ଅଞ୍ଚଳରେ ମୋଟ୍ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ଅନ୍ୟପଟେ ବର୍ଷା ଯୋଗୁ ଦିଲ୍ଲୀରେ ଟ୍ରାଫିକ ସମସ୍ୟା ଦେଖାଦେଇଛି । ରାସ୍ତାରେ ଅଟକି ରହିଛି ଶହ ଶହ ଗାଡି।
ସୂଚନା ଅନୁଯାୟୀ, ଦିଲ୍ଲୀ ଗାଜିପୁର ଅଞ୍ଚଳରେ ଏକ ଡ୍ରେନରେ ପଡିଯାଇ ଜଣେ ମହିଳା ଓ ଜଣେ ଶିଶୁଙ୍କ ପ୍ରାଣହାନି ଘଟିଛି । ସେହିପରି ଦିଲ୍ଲୀର ଏକ ପରିବାର ହାଟରେ ଦୋକାନ ପଡ଼ିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।ଗୁରୁଗ୍ରାମରେ ବିଦ୍ୟୁତ୍ ଆଘାତରେ ୩ ଜଣ ପ୍ରାଣ ହରାଇଛନ୍ତି। ନୋଏଡ଼ାରେ ମଧ୍ୟ ବିଭିନ୍ନ କାରଣରୁ ୨ଜଣ ପ୍ରାଣ ହରାଇଛନ୍ତି ।
ବର୍ଷା ଯୋଗୁ ଦିଲ୍ଲୀରେ ବିମାନ ଯାତ୍ରା ପ୍ରଭାବିତ ହୋଇଛି। କେତେକ ବିମାନକୁ ଜୟପୁର ଓ ଲକ୍ଷ୍ନୌ ଅଭିମୁଖେ ଗତିପଥ ପରିବର୍ତ୍ତନ କରାଯାଇଛି। ପ୍ରବଳ ବର୍ଷା ଯୋଗୁ ଆଜି ଦିଲ୍ଲୀର ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି। ସେପଟେ ପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ ଦିଲ୍ଲୀରେ ରେଡଆଲର୍ଟ ଜାରି କରାଯାଇଛି। ଅଗଷ୍ଟ ୫ ଯାଏ ରାଜଧାନୀରେ ବର୍ଷା ତାଣ୍ଡବ ଆଶଙ୍କା ଥିବା ସୂଚନା ରହିଛି ।