୩ ମାସ ପରେ ଫେରୁଥିଲେ ଘରକୁ, ଅଧା ରହିଗଲା ସ୍ୱପ୍ନ
କୋଲକାତାରେ ରହୁଥିଲେ, ଟ୍ରାନ୍ସପୋର୍ଟ ବ୍ୟବସାୟ ସମ୍ଭାଳୁଥିଲେ ।

କୋଲକାତାରେ ରହୁଥିଲେ, ଟ୍ରାନ୍ସପୋର୍ଟ ବ୍ୟବସାୟ ସମ୍ଭାଳୁଥିଲେ । ଦୀର୍ଘ ତିନି ମାସ ପରେ ଘରକୁ ଆସିବା ବେଳେ ଘଟିଲା ଟ୍ରେନ ଦୁର୍ଘଟଣା । ଆଉ ଘରେ ପହଁଚିଲା ମୃତଦେହ । ଏମିତି ଘଟଣା ଏବେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅର୍ଜୁନପୁର ଗାଁରେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।ବାପାଙ୍କ ବ୍ୟବସାୟ ଚଳାଉଥିଲେ ପୁଅ ଆଲୋକ ନାୟକ । ଦୀର୍ଘ ୩ ମାସ ହେବ ଘରକୁ ଫେରିନଥିଲେ । ସେଦିନ ରୁମ୍ରେ ଖାଉଥିବା ବେଳେ ଘର କଥା ମନେ ପଡ଼ିଲା । ସାଙ୍ଗ ସହ ଫେରିଲେ ଘରକୁ । ହାୱାଡା ଷ୍ଟେସନରେ ବାପାଙ୍କୁ ଫୋନ କରି କହିଲେ ମୁଁ କରମଣ୍ଡଳରେ ଘରକୁ ଯାଉଛି । ବାପା କହିଥିଲେ ମାମୁଁ ଷ୍ଟେସନ ଯାଉଛନ୍ତି, ସାଙ୍ଗ ହୋଇ ଆସିବୁ । କିନ୍ତୁ ପ୍ରାୟ ୭ଟା ବେଳେ ବାପା ଫୋନ କଲେ ଯେ ପୁଅ କେତେ ବାଟରେ ହେଲାଣି । କିନ୍ତୁ ଆଉ ଫୋନ ଲାଗିଲା ନାହିଁ ।
ପରେ ପରେ ଶୁଣିଲେ କରମଣ୍ଡଳ ଦୁର୍ଘଟଣା ହୋଇଛି । ସଂଗେ ସଂଗେ ଘର ଲୋକେ ବାହାରିଲେ ବାହାନଗା । କିନ୍ତୁ ବାପା ପ୍ରଥମେ ସୋର ମେଡିକାଲ, ପରେ ବାଲେଶ୍ଵର ମେଡିକାଲ ବୁଲି ବୁଲି ଦୁର୍ଘଟଣାସ୍ଥଳରେ ପହଁଚିଲେ । ରାତି ପ୍ରାୟ ୩ଟା ବେଳେ ଟ୍ରେନରୁ ବାହାରିଲା ଆଲୋକର ମୃତଦେହ । ବାପା କହୁଥିଲେ ପୁଅ କୁ ମେଡିକାଲ ନେଇ ଚାଲ , କିନ୍ତୁ ପୁଅ ଆଉ ନଥିଲେ । ଏବେ ମା ଶଯ୍ୟାଶାୟୀ । କାହାକୁ ଭେଟିବା କିମ୍ବା କଥା ହେଉ ନାହାନ୍ତି ।ଯବାନ ପୁଅକୁ ହରାଇ ବାପା , ପରିବାର ଓ ଘର ଲୋକେ ସ୍ତବ୍ଧ । ତେବେ ଆଲୋକଙ୍କ ସହ ଆସୁଥିବା ସାଙ୍ଗଙ୍କ କହିବା କଥା ଯେ ସେ ବହୁତ ଖୁସିଥିଲେ । ସ୍ଲିପର କୋଚ୍ ର ଉପର ବର୍ଥ ରେ ବସି ସିଙ୍ଗଡ଼ା ଖାଉଥିଲେ । ପରେ କଣ ହେଲା ଯେ ତାକୁ ଆଉ ପାଇଲି ନାହିଁ । ବହୁତ ଡାକିଲି, ସେ ଶୁଣିଲା ନାହିଁ । ଆଲୋକଙ୍କ ମୃତ୍ୟ ପରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସହ ଅନେକ ଲୋକେ ପରବାର ଲୋକଙ୍କୁ ଭେଟି ଆଶ୍ୱାସନା ଦେଇଛନ୍ତି ।
କିନ୍ତୁ ପୁଅ ଅବିବାହିତ ଥିବାରୁ ନିୟମ ଆନୁଯାୟୀ ଶୁଦ୍ଧି କର୍ମ ଚାଲିଛି । କେନ୍ଦ୍ର ସରକାର ଙ୍କ ତରଫରୁ ସହାୟତା ରାଶି ମିଳି ସାରିଛି । ରାଜ୍ୟ ସରକାର ଙ୍କ ସହାୟତା ପାଇଁ ସ୍ଥାନୀୟ ଅଧିକାରୀ ମାନେ ଯାଇ କାଗଜପତ୍ର ସଂଗ୍ରହ କରୁଛନ୍ତି । ସେପଟେ ପୁଅର ମୃତ୍ୟୁ ଏବେ ପରିବାରକୁ ସ୍ଥବ୍ଧ କରିଦେଇଛି ।