ନବୀନଙ୍କ ଟେନସନ୍ ଡବଲ
୨୪ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ

୨୪ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ । କିଛି ଏମିତି ପ୍ଲାନ କରିଛି ଦଳ । ଖାଲି ଏତିକି ନୁହେଁ ବରଂ ଜିଲ୍ଲା ଗସ୍ତ ପୂର୍ବରୁ ଦଳୀୟ ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ନବୀନ । ଜିଲ୍ଲାୱାରୀ ଆଲୋଚନା କରିବା ବେଳେ ନେତାଏ ଦେଉଛନ୍ତି ଭିନ୍ନଭିନ୍ନ ବୟାନ । ହେଲେ ନବରଙ୍ଗପୁର ଜିଲ୍ଲାର ସମୀକ୍ଷା କରିବା ବେଳେ ପ୍ରଦୀପ ମାଝି ଯେଉଁ ବିସ୍ଫୋରକ ବୟାନ ଦେଲେ ପରେ ପରେ ବଦ୍ରୀ ପାତ୍ର ସେଥିରେ ଘିଅ ଢାଳିଲେ । ଖାଲି ଏତିକି ନୁହେଁ ବରଂ ଅଶ୍ଵନୀ ପାତ୍ର ବି ତାଳ ଦେଲେ । ତାହା ନବୀନଙ୍କ ଟେନସନକୁ ଆହୁରି ଦ୍ଵିଗୁଣିତ କରିଛି । ଅଶ୍ଵିନୀ ରୋକଠୋକ କହିଛନ୍ତି, ଦଳୀୟ ନେତା ଯେଉଁ ମାନେ ବିମୁଖ ହୋଇଛନ୍ତି ବିଶେଷ କରି ବିଭିନ୍ନ କ୍ୟାଡ଼ର ଓ ଲିଡ଼ର ମାନେ ତାଙ୍କୁ କେମିତି ପୁଣି ଥରେ ଫେରେଇ ଆଣି ପାରିବା ସେ ଦିଗରେ କାମ କରାଯିବା ଉଚିତ ।
ପାଂଚ ପାଂଚ ଥର ଶାସନ କ୍ଷମତାରେ ରହିବା ପରେ ଏସନ ପରାଜୟର ସ୍ଵାଦ ଚାଖିଛି ବିଜେଡି । ହେଲେ ଏହାକୁ ଦଳର ସୁପ୍ରିମୋ କି ନେତା ଗ୍ରହଣ କରିବା ମୁଡ୍ରେ ନାହାନ୍ତି । ସେଇଥି ଲାଗି ତ କେମିତି କଳବଳେ କୌଶଳେ ଶାସନ କ୍ଷମତାକୁ ଫେରିବେ ସେନେଇ ପ୍ଲାନ କରୁଛନ୍ତି । ବୋଧହୁଏ ସେଇଥି ଲାଗି ବଢୁଥିବା ଟେନସନକୁ ଦେଖି ଆସନ୍ତା ୨୭ ତାରିଖରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଡାକିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ମିଟିଂରେ ଦଳର ସମସ୍ତ ତୁଙ୍ଗ, ବରିଷ୍ଠ ନେତା, ଯୁବ, ଛାତ୍ର, ମହିଳା ସଙ୍ଗଠନର ପ୍ରମୁଖ ନେତୃବୃନ୍ଦଙ୍କ ସହ ଜିଲ୍ଲା ସଭାପତିଙ୍କୁ ଶଙ୍ଖ ଭବନ ଡକରା ଦିଆଯାଇଛି । କୁହାଯାଉଛି କି ଏହି ବୈଠକରେ ଦଳର ପରାଜୟକୁ ନେଇ ଆଲୋଚନା ହେବ । ଏହାସହ ଆଗାମୀ ଦିନରେ ହେବାକୁ ଥିବା ପଦଯାତ୍ରାକୁ ବି ନେଇ ଆଲୋଚନା ହେବ ।
ଶାସକ ଦଳରୁ ବିରୋଧୀ ଆସନକୁ ଯିବା ପରେ ଏବେ ବିଜେଡିର ଚରମ ବିଶୃଙ୍ଖଳା ଦେଖାଗଲାଣି । କେହି କାହାକୁ ମାନିବାକୁ ପ୍ରସ୍ତୁତ ନୁହେଁ । ତେଣୁ ଏମିତି ପରିସ୍ଥିତିରେ ଆଗାମୀ ପଂଚାୟତ ନିର୍ବାଚନକୁ କେମିତି ନବୀନ ଲଢିବେ ତାହାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଗଲାଣି । କଥା ହେଲା, ଶାସନରେ ଥିବା ସମୟରେ ଦଳୀୟ ନେତାଙ୍କ ଅସନ୍ତୋଷ କି ପରାମର୍ଶ ବାହାରକୁ ଆସିବାକୁ ଦେଉନଥିଲେ ନବୀନ । ସୁପ୍ରିମୋଙ୍କ ପାଖରେ ପହଞ୍ଚି ନିଜ କଥା ରଖିବା ବି ବିଜେଡି ନେତାଙ୍କ ପାଇଁ ସମ୍ଭବ ନଥିଲା । ନବୀନଙ୍କ ନିକଟରେ ରହି ନିର୍ଦ୍ଦିଷ୍ଟ କୋଟେରୀ ଦ୍ବାରା ଦଳ ଚଳାଉଥିବା ଭି.କେ ପାଣ୍ଡିଆନ୍ କଳ ବଳ କୌଶଳ ଲଗାଇ ନେତାଙ୍କ ସ୍ବରକୁ ଚାପି ଦେବାରେ ସକ୍ଷମ ହେଉଥିଲେ । ନେତା ମନ୍ତ୍ରୀ ମାନେ ଭି.କେ ପାଣ୍ଡିଆନ୍ ଙ୍କ ପାଇଁ କେତେବେଳେ ଟେଣ୍ଟ ବାନ୍ଧୁଥିଲେ ତ ଆଇ କେବେ ଟ୍ରାଫିକ୍ ଜଗୁଆଳି ସାଜୁଥିଲେ । ହେଲେ ଏବେ ନବୀନଙ୍କୁ ଭେଟି ନେତାଏ ଆଲୋଚନା କରୁଥିବାରୁ ବିଜେଡିକୁ ନେଇ ଏବେ ଚର୍ଚ୍ଚା ଜୋର ।