ଧନୀକଙ୍କ ସୂଚୀରେ ପୁଣି ତଳକୁ ଖସିଲେ ଗୌତମ ଆଦାନୀ, ଜାଣନ୍ତୁ ଏବେ ରହିଲେ କେତେ ନମ୍ବର ରେ ?
ଆଦାନୀ ଗ୍ରୁପ ସେୟାରରେ ପୁଣି ଥରେ ହ୍ରାସ ଦେଖା ଯାଇଛି

ଧନୀକଙ୍କ ସୂଚୀରେ ପୁଣି ତଳକୁ ଖସିଲେ ଗୌତମ ଆଦାନୀ,
ଜାଣନ୍ତୁ ଏବେ ରହିଲେ କେତେ ନମ୍ବର ରେ ?
ମୁମ୍ବାଇ ୨୯।୩: ଆଦାନୀ ଗ୍ରୁପ ସେୟାରରେ ପୁଣି ଥରେ ହ୍ରାସ ଦେଖା ଯାଇଛି। ଗତ ୩ ବ୍ୟବସାୟୀକ ଦିବସରେ ଆଦାନୀ ଗ୍ରୁପର ମାର୍କେଟ କ୍ୟାପିଟାଲାଇଜେସନରେ ପ୍ରାୟ ୮୦ ହଜାର କୋଟି ଟଙ୍କାର ହ୍ରାସ ଦେଖା ଯାଇଛି। ଯାହାର ପ୍ରଭାବ ଗୌତମ ଆଦାନୀଙ୍କ ମୋଟ ନେଟ୍ୱର୍ଥ ଉପରେ ପଡିଛି। ଫଳରେ ସେ ବିଲେନିୟରଙ୍କ ସୂଚୀରେ ପୁଣି ତଳକୁ ଖସିଛନ୍ତି। ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁସାରେ ଗତ କିଛି ସମୟ ହେଲା ହିଣ୍ଡନବର୍ଗ ରିପୋର୍ଟର ପ୍ରଭାବ ହ୍ରାସ ହେବା କାରଣରୁ ଆଦାନୀ ଗ୍ରୁପ ସେୟାର ମୂଲ୍ୟ ପୁଣି ବଢିଥିଲା। ଫଳରେ ଆଦାନୀ ଧନୀକଙ୍କ ସୂଚୀର ୨୧ତମ ସ୍ଥାନକୁ ପହଞ୍ଚି ପାରିଥିଲେ।
ତେବେ ଗତ ୩ଦିନରେ ଆଦାନୀଗ୍ରୁପ ସେୟାର ମୂଲ୍ୟ ପୁଣି ହ୍ରାସ ହୋଇଛି। ଫଳରେ ଆଦାନୀଙ୍କ ନେଟୱର୍ଥ ହ୍ରାସ ସହ ସେ ବିଲେନିୟର ଇଣ୍ଡେକ୍ସର ୨୪ ତମ ସ୍ଥାନକୁ ଖସିଯାଇଛନ୍ତି। ମଙ୍ଗଳବାର କାରବାର ବନ୍ଦ ହେବା ବେଳକୁ ସେୟାର ବଜାରରେ ଲିଷ୍ଟେଡ ଆଦାନୀ ଗ୍ରୁପର ସବୁ ସେୟାର ଲାଲ ସଂକେତରେ ବନ୍ଦ ହୋଇଥିଲା। ବଜାରରେ ଗୌତମ ଆଦାନୀଙ୍କ କମ୍ପାନୀମାନଙ୍କ ସେୟାର ମୂଲ୍ୟ ହ୍ରାସ ଯୋଗୁ ତାଙ୍କର ମୋଟ ନେଟୱର୍ଥ ଏବେ ୫୪.୮ବିଲିୟନ ଡଲାରକୁ ଖସିଆସିଛି।
ଗତ ୨୪ ଘଣ୍ଟାରେ ଆଦାନୀଙ୍କୁ ୩.୨୪ ବିଲିୟନ ଡଲାର ଅର୍ଥାତ ୨୬ ହଜାର କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡିଛି। ସେହିପରି ଗତ ୩ ଦିନର କାରବାର ଉପରେ ନଜର ପକାଇଲେ ଆଦାନୀଙ୍କ ମୋଟ ମାର୍କେଟ କ୍ୟାପ୍ ହ୍ରାସ ହୋଇ ୮,୯୦, ୭୫୦ କୋଟି ଟଙ୍କାକୁ ଖସି ଆସିଛି। ଯାହା ଗତ ୨୩ ତାରିଖରେ ୯,୭୦,୭୩୦ କୋଟି ଟଙ୍କା ଥିଲା। ଏହି ହିସାବରେ ଦେଖିଲେ ୩ ଦିନରେ ଆଦାନୀଙ୍କର ମୋଟ ୭୯,୯୮୦ଟଙ୍କା କ୍ଷତି ହୋଇଛି।
୩ଟି ବ୍ୟବସାୟୀକ ଦିବସରେ ଏନଡି ଟିଭି ସେୟାରର ପରଫର୍ମାନ୍ସ ବହୁତ ଖରାପ ଥିବା ଦେଖା ଯାଇଛି। ଯାହା ଏହି ସମୟର ସର୍ବାଧିକ ୧୩.୭୭ ପ୍ରତିଶତ ହ୍ରାସ ହୋଇଛି। ଏହା ଛଡା ଆଦାନୀ ପାୱାରର ୧୩.୫୯, ଆଦାନୀ ୱିଲମର ଷ୍ଟକରେ ୧୨.୬୦ ପ୍ରତିଶତ ହ୍ରାସ ହୋଇଛି। ଏଥିରେ ମଙ୍ଗଳବାର ଦିନ ଆଦାନୀ ପାୱାର, ଆଦାନୀ ୱିଲମର, ଆଦାନୀ ଗ୍ରିନ, ଆଦାନୀ ଟୋଟାଲ ଗ୍ୟାସ୍ ଓ ଆଦାନୀ ଟ୍ରାନ୍ସମିସନ ଲିମିଟେଡର ସେୟାର ଲୋଅର ସର୍କିଟ୍ ଲାଗି ଯାଇଥିଲା। ଏଥିରେ ଆଦାନୀ ଏଣ୍ଟରପ୍ରାଇଜେସଙ୍କ ସେୟାର ୭ ପ୍ରତିଶତ ହ୍ରାସରେ ବନ୍ଦ ହୋଇଥିଲା। ତେବେ ବୁଧବାର ସେୟାର ବଜାର ଖୋଲିବା ବେଳେ ଆଦାନୀଙ୍କ କିଛି କମ୍ପାନୀଙ୍କ ସେୟାରରେ ୨ ପ୍ରତିଶତ ଅଭିବୃଦ୍ଧି ଦେଖାଯାଇଛି।
ଟପ୍-୧୦ ବିଲେନିୟରଙ୍କ ସୂଚୀରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟଙ୍କ ରାଜ ଥିଲା। ତେବେ ବର୍ତ୍ତମାନ ଦେଶର ଦୁଇ ଧନପତି କୁବେର ଟପ୍ ୧୦ ସୂଚୀରୁ ବାଦ ପଡିଛନ୍ତି। ଏଥିରେ ମୁକେଶ ଅମ୍ବାନୀ ତାଙ୍କର ମୋଟ ନେଟୱର୍ଥ ୭୭.୬ ବିଲିୟନ ଡଲାର ସହ ସୂଚୀର ଦ୍ୱାଦଶ ସ୍ଥାନରେ ଥିବା ବେଳେ ହିଣ୍ଡନବର୍ଗ ରିପୋର୍ଟ କାଳରେ ଆଦାନୀ ହରାଇଥିବା ସ୍ଥାନରୁ ବେଶ୍ ଦୂରକୁ ଯାଇ ସାରିଲେଣି।