ଗର୍ଭ ଗୃହରେ ଉତ୍ପାତ କରୁଛନ୍ତି ମୂଷା-ଅସରପା ! ଚିନ୍ତା ରେ ସେବାୟତ , ଶ୍ରଦ୍ଧାଳୁ ଙ୍କ ଉଦବେଗ
ପାରମ୍ପରିକ ଉପାୟରେ କର୍ପୁର, ଚୂଆ, ଚନ୍ଦନ ଓ କସ୍ତୁରୀରେ ପ୍ରସ୍ତୁତ ସାମଗ୍ରୀରେ ଅସରପା ବଂଶ ନିପାତ ସହ ମୂଷାମରା ଯନ୍ତ୍ର ବହୁଳ ବ୍ୟବହାର ପାଇଁ ଉଠିଛି ଦାବି

ଗର୍ଭ ଗୃହରେ ଉତ୍ପାତ କରୁଛନ୍ତି ମୂଷା-ଅସରପା !
ପାରମ୍ପରିକ ଉପାୟରେ କର୍ପୁର, ଚୂଆ, ଚନ୍ଦନ ଓ କସ୍ତୁରୀରେ ପ୍ରସ୍ତୁତ ସାମଗ୍ରୀରେ ଅସରପା ବଂଶ ନିପାତ ସହ ମୂଷାମରା ଯନ୍ତ୍ର ବହୁଳ ବ୍ୟବହାର ପାଇଁ ଉଠିଛି ଦାବି ।
ଗର୍ଭଗୃହରେ ମୂଷାଙ୍କ ଦୌରାତ୍ମ୍ୟ, ଅସରପାଙ୍କ ପ୍ରାଦୁର୍ଭାବ । ସୁରକ୍ଷିତ ଅଛି ତ ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ? ଅକ୍ଷତ ଅଛନ୍ତି ତ ଚତୁର୍ଦ୍ଧା ମୂରତି ? ଏହାକୁ ନେଇ ବେଶ୍ କିଛି ଦିନ ଧରି ସେବକ ଓ ଭକ୍ତଙ୍କ ମନରେ ଯେଉଁ ବିରାଟ ଶଙ୍କା ଓ କ୍ଷୋଭ ଉପୁଜିଛି । ତାର ସ୍ପଷ୍ଟ ଚିତ୍ର ଖୁବଶୀଘ୍ର ପଦାକୁ ଆସିବ ବୋଲି ଜଣା ପଡିଛି । କାରଣ ଶ୍ରୀମନ୍ଦିର ଗର୍ଭଗୃହରେ ଚାଲିଛି ଶ୍ରୀଜିଉମାନଙ୍କ ଖସାପଡ଼ା ନୀତି । ଦଇତାପତି ସେବକମାନେ ତନ୍ନ ତନ୍ନ କରି ଶ୍ରୀଅଙ୍ଗର ସବୁ ସ୍ଥାନ ଯାଞ୍ଚ କରିବେ। ଯେହେତୁ ଗର୍ଭଗୃହରେ ମୂଷାଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଥିବା ନେଇ ଖୋଦ୍ ଶ୍ରୀଅଙ୍ଗ ଲାଗି ସେବକମାନେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ଓ ଖୋଦ୍ ପରିଚାଳନା କମିଟି ସଦସ୍ୟ ବି ଏହାକୁ ମାନିଛନ୍ତି, ତେଣୁ ତାର ପ୍ରତକାର ପାଇଁ ସମସ୍ତଙ୍କ ଦାବି ।
ଗର୍ଭଗୃହ ସେବକଙ୍କ ଅଭିଯୋଗ ହେଉଛି ଯେ ଠାକୁରଙ୍କ ସେବା ପୂଜାବେଳେ ବଡ଼ ବଡ଼ ମୂଷା ଡିଆଁ କୁଦା କରୁଛନ୍ତି । ଠାକୁରଙ୍କ ମାଳ, ଚୂଳ ସହ ଧୂପ ଶିକୁଳାରେ ଜଳୁଥିବା ଅଖଣ୍ଡ ଦୀପରୁ ଘିଅ ଖାଇ କନକ ମୁଣ୍ଡି ଚାନ୍ଦୁଆରେ ଲୁଚି ବଂଶ ବିସ୍ତାର କରୁଛନ୍ତି । ସେମାନଙ୍କୁ ଧରିବାକୁ ସ୍ୱତନ୍ତ୍ର ସେବକ ଓ ବ୍ୟବସ୍ଥା ଥିଲେ ବି ତାହା ଫଳପ୍ରଦ ହେଉନି ।
ତେଣେ ପ୍ରତିକାର ପାଇଁ ଜଣେ ଦାତା ଏକ ମୂଷା ଘଉଡ଼ାଇବା ମେସିନ୍ ବି ଦାନ କରିଥିବା ଶ୍ରୀମନ୍ଦିର ପ୍ରଶାସନ କହିଛି । ହେଲେ ତାର କଟୁ କଂପନ ଶବ୍ଦ ଠାକୁରଙ୍କ ଶୟନ ନୀତିରେ ବିଭ୍ରାଟ ସୃଷ୍ଟି କରିବ । ତେଣୁ ପାରମ୍ପରିକ ଉପାୟରେ କର୍ପୁର, ଚୂଆ, ଚନ୍ଦନ ଓ କସ୍ତୁରୀରେ ପ୍ରସ୍ତୁତ ସାମଗ୍ରୀରେ ଅସରପା ବଂଶ ନିପାତ ସହ ମୂଷାମରା ଯନ୍ତ୍ର ବହୁଳ ବ୍ୟବହାର ପାଇଁ ଉଠିଛି ଦାବି ।
ଏଣେ ଆଜି ଚୈତ୍ର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ଅନୁଷ୍ଠିତ ହେଉଛି ଶ୍ରୀଜିଉଙ୍କ ଖସାପଡ଼ା ନୀତି । କଣ ଏ ଅତିଗୁପ୍ତ ନୀତି ? ଯାହାକୁ ନେଇ ଭକ୍ତଙ୍କ ମନରେ ପ୍ରବଳ ଉତ୍କଣ୍ଠା ଥିବାବେଳେ ବୁଝାଇଛନ୍ତି ବରିଷ୍ଠ ଦଇତାପତି । ସେ କହିଛନ୍ତି, ଶ୍ରୀଜିଉ ମାନଙ୍କ ଶ୍ରୀପୟର ସୁରକ୍ଷା ପାଇଁ ବର୍ଷକୁ ଦୁଇରୁ ତିନି ଥର ଏନୀତି କରାଯାଏ ରତ୍ନବେଦୀ ଉପରେ ଦଇତାପତି ସେବକଙ୍କର ଏହା ଏକ ଗୋଷ୍ଠୀଗତ ସେବା । ଏଥିରେ ଚତୁର୍ଦ୍ଧାମୂରତିଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଉପଚାର କରାଯାଏ ।
ଯେହେତୁ ଆଗକୁ ସ୍ନାନପୂର୍ଣ୍ଣମୀ, ରଥଯାତ୍ରା ଓ ବାହୁଡ଼ାଯାତ୍ରା ଆଦି ଆସୁଛି । ତେଣୁ ପହଣ୍ଡିରେ ଯେପରି ଶ୍ରୀପୟର ଅକ୍ଷତ ରହିବ ତାପୂର୍ବରୁ ଏ ନୀତି କରାଯାଉଛି । ଏହି ସମୟରେ ଶ୍ରୀଅଙ୍ଗରେ କୌଣସି କ୍ଷତ ଥିଲେ ତାହା ସ୍ପଷ୍ଟ ଦୃଶ୍ୟମାନ ହୋଇଯାଏ । ପ୍ରାୟ ୪ରୁ ୫ଘଣ୍ଟା ଧରି ଏଗୁପ୍ତ ନୀତି ସମୟରେ କୌଣସି ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ା ଯାଇନଥାଏ । ତେଣୁ ମୂଷା ଓ ଅସରପାଙ୍କ ପ୍ରାଦୁର୍ଭାବରୁ ଶ୍ରୀଜିଉମାନଙ୍କ ଶ୍ରୀଅଙ୍ଗକୁ କେତେ କ୍ଷତି ପହଞ୍ଚିଛି ତାହା ଆଜିର ଖସାପଡ଼ି ନୀତି ପରେ ହିଁ ସ୍ପଷ୍ଟ ହେବ।
ତେବେ ନୀତି ପରେ ଜଣା ପଡିଛି ଯେ ଶ୍ରୀ ଜିଉଙ୍କ ଶ୍ରୀଅଙ୍ଗର ହୋଇନି କ୍ଷତି, ଖସାପଡ଼ା ନୀତି ପରେ କିଛି ଏଭଳି ସୂଚନା ଦେଇଛନ୍ତି ବରିଷ୍ଠ ଦଇତାପତି ସେବାୟତା । ଗତକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଶେଷ ହୋଇଛି । ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ରଙ୍କ କୌଣସି କ୍ଷତି ହୋଇନାହିଁ କିନ୍ତୁ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗର ପାଟରେ କ୍ଷତି ହୋଇଛି ।
ମୂଷା ଓ ଅସରପା ଏସବୁକୁ କାଟି ଦେଇଥିବା କହିଛନ୍ତି ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ରା । ଖସାପଡା ନୀତି ସମୟରେ ଏହାକୁ ଭରଣା କରାଯାଇଛି । କୌଣସି ପ୍ରକାରରେ ମହାପ୍ରଭୁଙ୍କ ଦାରୁ କ୍ଷତି ହୋଇନାହିଁ କିନ୍ତୁ ତୁରନ୍ତ ମୂଷାର ଦୋରାତ୍ମକୁ ଦୂର ନକଲେ ଶ୍ରୀଅଙ୍ଗ ପ୍ରତି ବିପଦ ରହିଛି ବୋଲି ସେ ଦୋହରାଇଛନ୍ତି ।
ସେପଟେ ରଥଯାତ୍ରା ସମୟରେ ଏକ ଲୁହା ଜାଲି ଲଗାଇବା ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ଓ ଅସରପାର ସଂଖ୍ୟା ବଢ଼ିବା ପରେ ଶ୍ରୀଅଙ୍ଗ ପ୍ରତି ବିପଦ ଦେଖାଦେଇଛି ।
ସୂଚନାଥାଉ କି, ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନରେ ବଡ଼ ବଡ ମୂଷା, ଅସରପା ବୁଲୁ ଥିବାରୁ ଏଥିଯୋଗୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ ଦେଖା ଦେଇଥିବା ଜଣାପଡ଼ିଛି। ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେ, ବେଳେବେଳେ ସେବାୟତମାନେ ଶ୍ରୀଅଙ୍ଗ ପାଖକୁ ଯିବା ସମ୍ଭବପର ହେଉନାହିଁ। କାରଣ ସେବା ପାଇଁ ଗଲା ବେଳେ ମୂଷା ଅନେକ ସମସ୍ୟା ସୃଷ୍ଟି କରୁଛନ୍ତି।