ଓଡିଶା ପାଇଁ ଗୌରବ ଆଣିଲେ ଶିବାନୀ

ଭାରତୀୟ ବିଚ୍‌ ଭଲି ବଲ୍‌ ଦଳରେ ହେଲେ ସାମିଲ୍‌

ଓଡିଶା ପାଇଁ ଗୌରବ ଆଣିଲେ ଶିବାନୀ

ମହାକାଳପଡ଼ା ୨୦।୦୪ : ଗାଁ ପାଇଁ ଗୌରବ ଶିବାନୀ । ସ୍ୱତନ୍ତ୍ର ଅଲିମ୍ପିକ୍‌ ବିଶ୍ୱ ଗ୍ରୀଷ୍ମକାଳୀନ ଭାରତୀୟ ବିଚ୍‌ ଭଲି ବଲ୍‌ ଦଳରେ ସାମିଲ ହେଲେ ଶିବାନୀ । ନିଜର କଠିନ ପରିଶ୍ରମ ବଳରେ ଭାରତୀୟ ବିଚ୍ ଭଲିବଲ ଦଳରେ ସ୍ଥାନ ପାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବଡତୋଟା ଛପାଲି ଗାଁର ପବିତ୍ର ପରିଡ଼ା ଏବଂ ରୀନାରାଣୀ ପରିଡ଼ାଙ୍କ ଝିଅ ଶିବାନୀ ପ୍ରିୟଦର୍ଶିନୀ ପରିଡ଼ା ।

ଆସନ୍ତା ଜୁନ ୧୨ ରୁ ୨୬ ତାରିଖରେ ଜର୍ମାନର ବର୍ଲିନ୍ ଠାରେ ଅନୁଷ୍ଠିତ ହେବ ସ୍ବତନ୍ତ୍ର ଅଲମ୍ପିକ୍ ବିଶ୍ବ ଗ୍ରୀଷ୍ମ କ୍ରୀଡା । ବିଚ୍ ଭଲି ବଲ ଭାରତୀୟ ଦଳରେ ସେ ନିଜର ସ୍ଥାନ ପକ୍କା କରିଛନ୍ତି । ଏବେ ତାଙ୍କୁ ମିଳିଛି ଆନ୍ତର୍ଜାତୀୟ ସ୍ତରରେ ଖେଳିବାର ସୁଯୋଗ । ଶିବାନୀଙ୍କ ସ୍ବପ୍ନ ହୋଇଛି ସାକାର । ବେଳାଭୂମିରେ ନିଜର ଦକ୍ଷତା ଦେଖାଇବେ । ଶ୍ରେଷ୍ଠ ପ୍ରଦର୍ଶନ କରି ଭାରତ ପାଇଁ ଗୌରବ ଓ ସମ୍ମାନ ଆଣିବେ ବୋଲି ଶିବାନୀ କହିଛନ୍ତି ।

ଶିବାନୀ ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷା ଅନୁଷ୍ଠାନରେ ଯୁକ୍ତ ୩ର ପ୍ରଥମ ବାର୍ଷିକ ଛାତ୍ରୀ । ନିଜର ଦକ୍ଷତା ପ୍ରତିପାଦନ କରି ବିଦେଶୀରେ ନିଜର ଜଲଓ୍ୱା ଦେଖାଇବାର ସୁଯୋଗ ପାଇଛନ୍ତି । ଏ ଖବର ପ୍ରଚାର ହେବା ପରେ ବିଭିନ୍ନ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

ଶିବାନୀଙ୍କୁ ଗାଁରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିରେ ବ୍ଲକ ଶିକ୍ଷା ଅଧିକାରୀ ତନ୍ମୟ କୁମାର ବେହେରା , ଆସୋସିଏସନର ବ୍ଲକ ସମ୍ପାଦକ ବ୍ୟାସ ଦେବ ବେବର୍ତ୍ତା , ପ୍ରେମ ଚାନ୍ଦ ବିଦ୍ୟାପିଠ ପ୍ରଧାନ ଶିକ୍ଷକ ଶୁଶିଲ ନାଥ ଶର୍ମା , ଜମ୍ବୁ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ , ପ୍ରିୟଦର୍ଶିନୀ ତରାଇ , ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବିଚିତ୍ରାନନ୍ଦ ସାମଲ ସହକାରୀ ଶିକ୍ଷକ ରଘୁନାଥ ଦାସ, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଜିଲ୍ଲା ସ୍ତରୀୟ ଆର.ପି ଛବି ମହାକୁଡ଼ , ଅନ୍ନପୂର୍ଣ୍ଣା ସାହୁ ସମେତ ବ୍ଲକର ୬୫ଟି ବିଦ୍ୟାଳୟର କ୍ରୀଡା ଶିକ୍ଷକ ଯୋଗଦେଇଥିଲେ ।