ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ
ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ । ରବିବାର ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ହେବ ।

ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ । ରବିବାର ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ହେବ । ବାହୁଡ଼ା ଦିନ ଏହା ଲଘୁଚାପ ରୂପ ନେବ । ଏହା ପ୍ରଭାବରେ ରବିବାରଠାରୁ ପ୍ରବଳ ବର୍ଷା ହେବ । ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ ହେବ ଓ ଏହା ଲଘୁଚାପରେ ପରିଣତ ହେବ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି ।
୧୪ ଓ ୧୫ ଦୁଇ ଦିନ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) କହିଛି । ପୁରୀ ସମେତ ପୂରା ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।
ପ୍ରଫେସର ପଶୁପାଳକଙ୍କ ଆକଳନ ଅନୁସାରେ, ଉତ୍ତର ବଙ୍ଗୋପସାଗରରେ ରବିବାର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପରେ ଏହା ଲଘୁଚାପ ରୂପ ନେବ । ୧୬ ତାରିଖ ଯାଏ ପ୍ରବଳ ବର୍ଷା ହେବ । ୧୭ରେ ଏହା ମଧ୍ୟପ୍ରଦେଶକୁ ମୁହାଁଇପାରେ । ୧୮ରେ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ଲଘୁଚାପର ରୂପ ନେବ । ୨୦ ତାରିଖ ଯାଏ ଏହା ଓଡ଼ିଶା ସଂଲଗ୍ନ ସମୁଦ୍ରରେ ରହିବ । ୨୧ରେ ଉତ୍ତର ଓଡ଼ିଶା ଏବଂ ୨୨ରେ ଝାଡ଼ଖଣ୍ଡ ଆଡ଼କୁ ମୁହାଁଇପାରେ ବୋଲି ସେ କହିଛନ୍ତି ।
ଦୁଇଟି ଯାକ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଗଞ୍ଜାମ, ନୟାଗଡ଼, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡିରେ ସବୁଠୁ ଅଧିକ ବର୍ଷା ହେବ ବୋଲି ସେ କହିଛନ୍ତି । ଉତ୍ତର ଉପକୂଳରେ କମ୍ ବର୍ଷା ହେବ । ୨୨ରେ ସୁନ୍ଦରଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଆସନ୍ତା ୧୦ ଦିନରେ ଦକ୍ଷିଣ ଓଡ଼ିଶାରେ ମୋଟ ୧୨୦ରୁ ୧୮୦ମିମି ବର୍ଷା ହୋଇପାରେ । କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ୧୦୦ରୁ ୧୪୦ମିମି ଓ ଉତ୍ତର ପଶ୍ଚିମରେ ୮୦ରୁ ୧୦୦ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ।
ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁରରେ ମୋଟ ୫୦ମିମି ବର୍ଷା ହୋଇପାରେ ।
ତଳି ହୋଇ ଯାଇଥିଲେ ଜମି ଓ ବର୍ଷାକୁ ଦେଖି ରୋଇବା ଆରମ୍ଭ କରନ୍ତୁ । ତଳି ପକାଇବାକୁ ୨୦ ଦିନ ହୋଇଥିଲେ ବେଉଷଣ କରନ୍ତୁ । ଯେଉଁମାନେ ତଳି ପକାଇ ନାହାନ୍ତି ଯେମିତି ବର୍ଷାରେ ଏହା ଧୋଇ ନ ଯିବ ସେଥିପାଇଁ ଉଚ୍ଚା ଜମିରେ ତଳି ପକାଇବାକୁ ସେ ପରାମର୍ଶ ଦେଇଛନ୍ତି ।
ଆଜି ସନ୍ଧ୍ୟାରେ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଭଲ ବର୍ଷା ହୋଇଛି । ଆଜି ନବରଙ୍ଗପୁରରେ ୩୭.୨, ମାଲକାନଗିରିରିରେ ୩୧.୬, କୋରାପୁଟରେ ୧୧.୮ ଓ ପାରାଦୀପରେ ୬ମିମି ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ପାରାଦୀପରେ ୭୩.୭, ଢେଙ୍କାନାଳର କଙ୍କଡାହାଡ଼ରେ ୫୧.୪, କେନ୍ଦ୍ରାପଡ଼ା ଗରଦପୁରରେ ୪୨, କୋରାପୁଟ ଲମତାପୁଟରେ ୩୫ମିମି ବର୍ଷା ହୋଇଛି ।