୩୫୪୯ ପିଲା ପାଇଲେ ‘ଓଡିଆ ଭାଷା ବୃତ୍ତି’ ପୁରସ୍କାର
ସୁରଭି ୨୦୨୩ କାର୍ୟ୍ୟକ୍ରମର ଉଦ୍ଯାପିତ । ଭୁବନେଶ୍ବରରେ ୩ ଦିନ ଧରି ଏହି କାର୍ୟ୍ୟକ୍ରମ ଚାଲିଥିବା ବେଳେ ଶେଷ ଦିନରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ

ସୁରଭି ୨୦୨୩ କାର୍ୟ୍ୟକ୍ରମର ଉଦ୍ଯାପିତ । ଭୁବନେଶ୍ବରରେ ୩ ଦିନ ଧରି ଏହି କାର୍ୟ୍ୟକ୍ରମ ଚାଲିଥିବା ବେଳେ ଶେଷ ଦିନରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ତେବେ ୩୫୪୯ ଜଣ ପିଲା ‘ଓଡିଆ ଭାଷା' ବୃତ୍ତି ପାଇଛନ୍ତି । ଏହି ବୃତ୍ତି ଅନୁଯାୟୀ ପିଲାମାନଙ୍କୁ ୫୦୦୦ ଟଙ୍କା ଦିଆଯାଇଛି । ରାଜ୍ୟସ୍ତରରେ ପ୍ରଥମ ପାଞ୍ଚଜଣକୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିବା ବେଳେ ଏହି କାର୍ୟ୍ୟକ୍ରମରେ ପାଖାପାଖି ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
୩ ଦିନ ଧରି ଚାଲିଥିବା ପିଲାଙ୍କ ମହୋତ୍ସବ ସୁରଭି ଗୁରୁବାର ଦିନ ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ୟ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କୁ ନିଜ ଚିନ୍ତାଧାରାକୁ ଉଚ୍ଚ କରିବାକୁ ପ୍ରେରଣା ଦେଇଛନ୍ତି । ଏହି କାର୍ୟ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସ୍ଥାନୀୟ ୟୁନିଟ-୯ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଏହି କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା ।
ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,"ଆମ ପିଲାମାନଙ୍କ ଭିତରେ ଅସୀମ ପ୍ରତିଭା ରହିଛି । ପାଠ ସହିତ ନାଚ, ଗୀତ, କ୍ରୀଡ଼ା, କଳା, ଅଭିନବ ବୈଜ୍ଞାନିକ ଚିନ୍ତାଧାରା ସବୁ କ୍ଷେତ୍ରରେ ଆମ ଛାତ୍ରଛାତ୍ରୀଙ୍କ ପ୍ରତିଭା ଅଛି । ଆଗକୁ ବଢ଼ିବା ପାଇଁ କଠିନ ପରିଶ୍ରମ କର, ଚିନ୍ତାଧାରାକୁ ବଡ଼ କର । ନିଜର ସାମର୍ଥ୍ୟକୁ ବିଶ୍ୱ ସ୍ତରକୁ ନେବା ପାଇଁ ଚେଷ୍ଟା କର । ଦେଖିବ, ତୁମେ ଅସୀମିତ ସଫଳତା ପାଇଁ ସାରା ଦେଶରେ, ବିଶ୍ବରେ ସୁନାମ ଅର୍ଜନ କରିବ ।"
ସେ ଆହୁରି ମଧ୍ୟ କହିଛନ୍ତି," ରାଜ୍ୟରେ ରୂପାନ୍ତରର ଯୁଗ ପିଲାମାନଙ୍କ ସ୍କୁଲ୍ରୁ ହିଁ ଆରମ୍ଭ ହୋଇଛି । ପିଲାମାନେ ଏବେ ଡିଜିଟାଲ୍ ଟେକ୍ନୋଲୋଜି ଜରିଆରେ ପାଠ ପଢୁଛନ୍ତି । ସ୍କୁଲର ପରିବେଶ ମଧ୍ୟ ବେଶ୍ ସୁନ୍ଦର ହୋଇଯାଇଛି । ସୁନ୍ଦର ଖେଳ ପଡିଆ ମଧ୍ୟ ହୋଇଛି । ତୁମେ ଏବେ କାହା ଠାରୁ କମ୍ ନୁହଁ । ମୋର ପୁରା ବିଶ୍ବାସ, ତୁମର (ଛାତ୍ରଛାତ୍ରୀମାନଙ୍କର) ଭବିଷ୍ୟତ ଖୁବ ଉଜ୍ଜଳ ହେବ। ମୋର ଆଶୀର୍ବାଦ ମଧ୍ୟ ତୁମ ସାଥିରେ ଅଛି ଓ ରହିବ।”
ତେବେ ଚଳିତ ବର୍ଷ ୩୫୪୯ ଜଣ ପିଲାଙ୍କୁ ‘ଓଡିଆ ଭାଷା ବୃତ୍ତି’ ପ୍ରଦାନ କରାଯାଇଛି । ପ୍ରତ୍ୟେକ ପିଲା ୫ହଜାର ଟଙ୍କାର ଏକକାଳୀନ ବୃତ୍ତି ପାଇଛନ୍ତି । ଏହି ବୃତ୍ତି ରାଶି ଅନଲାଇନ୍ ଜରିଆରେ ସେମାନଙ୍କ ଆକାଉଣ୍ଟକୁ ପଠାଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ଓଡିଆ ଭାଷାରେ ଅଧିକ ନମ୍ବର ରଖିଥିବା ପିଲାମାନଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଇଛି । ରାଜ୍ୟସ୍ତରରେ ଶ୍ରେଷ୍ଠ ପାଞ୍ଚଜଣଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି ।