୭୮ ବର୍ଷରେ ନବୀନ

୭୮ ବର୍ଷରେ ନବୀନ

କ୍ଷମତା ରାଜନୀତିର ସମ୍ଭ୍ରାନ୍ତ ଅଳିନ୍ଦରେ ଆତଯାତ ହୋଇ ସୁଦ୍ଧା ରାଜନୀତିରୁ ନିରାପଦ ଦୂରତା ଅବଲମ୍ବନ କରୁଥିବା ନବୀନଙ୍କ ପ୍ରତ୍ୟକ୍ଷ ରାଜନୀତିର ପ୍ରବେଶ ପ୍ରସଙ୍ଗ ଏକ ସମୟରେ ଥିଲା ଅକଳ୍ପନୀୟ। ଆକସ୍ମିକ ଭାବରେ ରାଜନୀତିରେ ପ୍ରବେଶ କରିଥିବା ନବୀନ ଇତିମଧ୍ୟରେ ପୂରଣ କରିଛନ୍ତି ରାଜନୈତିକ ଜୀବନର ଅପରାଜେୟ ୨୬ ବର୍ଷ। ଜୀବନର ୭୭ତମ ଶରତ ଅତିକ୍ରମ ସହ ସାରା ଦେଶରେ ସୃଷ୍ଟି କରିଛନ୍ତି ନୂଆ ଇତିହାସ।

ଦୀର୍ଘ ଅବଧି କ୍ଷମତାସୀନ ଜୀବିତ ମୁଖ୍ୟମନ୍ତ୍ରୀ ସୂଚୀରେ ନବୀନ ସମ୍ପ୍ରତି ଦେଶର ଏକମାତ୍ର ନେତା। ସାମାଜିକ ଗଣମାଧ୍ୟମରେ ତାଙ୍କର ଅନୁଗାମୀଙ୍କ ସଂଖ୍ୟା ଅକଳନ ଏବଂ ଜାତୀୟ ଗଣମାଧ୍ୟମର ଆକଳନ ଅନୁସାରେ ରାଜ୍ୟରେ ସବୁଠୁ ଲୋକପ୍ରିୟ। ରାଜ୍ୟର ୫୫%ରୁ ଊର୍ଦ୍ଧ୍ବ ଭୋଟ ତାଙ୍କ ଦଳ ବିଜେଡି ସପକ୍ଷରେ ଏବଂ ୭୦%ରୁ ଊର୍ଦ୍ଧ୍ବ ଓଡ଼ିଆ ତାଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହାନ୍ତି। ଗତ ୨୬ ବର୍ଷ ଧରି ତାଙ୍କ ଉପରେ ରାଜ୍ୟବାସୀଙ୍କ ପ୍ରଚଣ୍ଡ ଆଶୀର୍ବାଦରେ ଟିକିଏ ବି ଊଣା ହୋଇ ନାହିଁ ଏବଂ ନବୀନ ପୁଣି ଷଷ୍ଠଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି। ଦୂରଦର୍ଶୀ ନେତୃତ୍ୱ ତାଙ୍କୁ କରିଛି ଓଡ଼ିଶା ପ୍ରଗତିର ଅପ୍ରତିମ ବିନ୍ଧାଣି, ଅନ୍ୟପକ୍ଷରେ ରାଜ୍ୟବାସୀ ତାଙ୍କ ମଥାରେ ଦେଇଛନ୍ତି ଅପରାଜେୟର ବିଜୟ ତିଳକ।

ଓଡ଼ିଶା ବିକାଶର ଅଗ୍ରସାରଥୀ ବିଜୁବାବୁ ଏକ ସମୃଦ୍ଧ ଓ ସଶକ୍ତ ଓଡ଼ିଶା ଗଠନର ସ୍ୱପ୍ନ ଦେଖିଥିଲେ। ମହିଳାଙ୍କୁ ସ୍ୱାବଲମ୍ବୀ, ଯୁବକମାନଙ୍କୁ ଆତ୍ମନିର୍ଭର କରିବା ଲାଗି ସେ ଗ୍ରହଣ କରିଥିଲେ ନୂଆ ପଦକ୍ଷେପ। ତାଙ୍କ ଅବର୍ତ୍ତମାନରେ ବିଜୁଙ୍କ ପଦାଙ୍କ ଅନୁସରଣ କରି ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନକୁ ଉଜାଗର ଲାଗି ଅଗ୍ରସର ହୋଇଛନ୍ତି ନବୀନ। ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ କେନ୍ଦ୍ରର ଆଭିମୁଖ୍ୟ ବିରୋଧରେ ନିଜର ନିଷ୍କମ୍ପ ଓ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ଅପରପକ୍ଷରେ ଦେଶ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ କେନ୍ଦ୍ରକୁ ଦେଇଛନ୍ତି ଅକୁଣ୍ଠ ସମର୍ଥନ।

ତୃଣମୂଳସ୍ତରରେ ମିଶନ ଶକ୍ତି ଜରିଆରେ ରାଜ୍ୟର ୭୦ ଲକ୍ଷ ମହିଳାଙ୍କୁ ସ୍ୱାବଲମ୍ବୀ କରି ସେମାନଙ୍କର ଜୀବନଧାରଣରେ ଉନ୍ନତି ଆଣିବାକୁ ନିଆଯାଇଥିବା ପଦକ୍ଷେପ ସାଙ୍ଗକୁ ଲୋକସଭା ନିର୍ବାଚନରେ ଏକ ତୃତୀୟାଂଶ ମହିଳାଙ୍କୁ ସୁଯୋଗ ଦେଇ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ। ଚାଷର ଉନ୍ନତି ଓ ଚାଷୀଙ୍କ ଆୟ ବୃଦ୍ଧି ନିମନ୍ତେ ଲକ୍ଷ୍ୟଭେଦୀ ଯୋଜନା ପ୍ରସ୍ତୁତ କରିଛନ୍ତି। ରାଜ୍ୟର ସ୍ୱାସ୍ଥ୍ୟ ବଜେଟ୍‌ ବୃଦ୍ଧି କରାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜରିଆରେ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସେବାର ଗ୍ୟାରେଣ୍ଟି ଦେଇଛନ୍ତି। ପ୍ରଶାସନିକ ଶୃଙ୍ଖଳା, ଦଳୀୟ ଅନୁଶାସନ ଓ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତାକୁ ଗୁରୁତ୍ୱ ଦେଇଛନ୍ତି ନବୀନ। ପରିଣତିସ୍ୱରୂପ ଦଳରୁ ବାଦ ପଡ଼ିଛନ୍ତି ବହୁ ବଡ଼ ନେତା, ସରକାରରୁ ବାଦ ପଡ଼ିଛନ୍ତି ବହୁ ମନ୍ତ୍ରୀ, ପ୍ରଶାସନରୁ ବିଦା ହୋଇଛନ୍ତି ଶତାଧିକ ଅଧିକାରୀ। 'ଆପଣମାନେ ଖୁସି ତ? ମୁଁ ବି ଖୁସି'ର ସ୍ଲୋଗାନ ଦେଇ ନିଜର କୋମଳ ହୃଦୟର ପରିଚୟ ଦେଇଛନ୍ତି। ଲୋକଙ୍କ ଖୁସିରେ ବିଭୋର ହୋଇଛନ୍ତି।