ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନରେ ଓଡ଼ିଶା ଗସ୍ତରେ ଆସି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟସ୍ଥ ବେଣାପୁର ପଡିଆରେ ଆୟୋଜନ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବେ

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନରେ ଓଡ଼ିଶା ଗସ୍ତରେ ଆସି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟସ୍ଥ ବେଣାପୁର ପଡିଆରେ ଆୟୋଜନ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ୨୦ହଜାର କୋଟି ଟଙ୍କାରୁ ଊଦ୍ଧ୍ୱର୍ ତୈଳ ଏବଂ ଗ୍ୟାସ୍‍, ରେଳବାଇ, ରାସ୍ତା, ପରିବହନ ଏବଂ ଆଣବିକ ଶକ୍ତି କ୍ଷେତ୍ରର ବିଭିନ୍ନ ଉନ୍ନୟନମୂଳକ ବିଭିନ୍ନ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ଏବଂ ଉଦ୍‍ଘାଟନ କରିବେ ।

ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଦିନକୁ ୫୦ଲକ୍ଷ ଲିଟର କ୍ଷମତାବିଶିଷ୍ଟ ସମୁଦ୍ର ଜଳରୁ ଲବଣ ଅପସାରଣ କାରଖାନାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବା ସହିତ ୭୭ କିଲୋମିଟର ଚଣ୍ଡିଖୋଲ-ପାରାଦ୍ୱୀପ ସେକ୍ସନର ୮ଲେନ୍‍ କରିବା ପାଇଁ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ଆଜି ଲୋକାର୍ପଣ ଏବଂ ଶିଳାନ୍ୟାସ କରୁଥିବା ପ୍ରକଳ୍ପଗୁଡ଼ିକ ଯୋଗୁଁ ୬୦ଲକ୍ଷ ଶ୍ରମଦିବସର ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ସରକାରଙ୍କ ତରଫରୁ କୁହାଯାଇଛି । ଏହାବ୍ୟତୀତ ଓଡ଼ିଶା ଏବଂ ପାଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଛତିଶଗଡ ମଧ୍ୟରେ ଉନ୍ନତ ଯୋଗାଯୋଗ ସ୍ଥାପନ ହୋଇପାରିବ ।

ଏଥିସହିତ ଶ୍ରୀ ମୋଦୀ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ହରିଦାସପୁର- ପାରାଦ୍ୱୀପ ରେଳମାର୍ଗରେ ପ୍ରଥମ ଯାତ୍ରୀବାହୀ ମେମୁ ଟ୍ରେନ୍‍ ଚଳାଚଳର ଶୁଭାରମ୍ଭ କରିବେ । ପାରାଦ୍ୱୀପ-କେନ୍ଦୁଝରଗଡ଼ ମଧ୍ୟରେ ଏହା ପ୍ରଥମ ଟ୍ରେନ୍‍ ଚଳାଚଳ କରିବ ।

ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଚଣ୍ଡିଖୋଲ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜନଜାତି ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଉପସ୍ଥିତ ରହିବେ ।