ବିଭିନ୍ନ ରାଜ୍ୟର ରାଜଧାନୀକୁ ଗଡିବ ଓଏସ୍ଆରଟିସି ବସ୍
ସେଥିମଧ୍ୟରୁ ୮୦ ବସ୍ ଖଣ୍ଡିଗିରି ଡିପୋରେ ପହଞ୍ଚିଛି

ଚାରିଧାମ ସହ ବିଭିନ୍ନ ରାଜ୍ୟର ରାଜଧାନୀକୁ ଗଡିବ ବସ୍ । ଖୁବ୍ଶୀଘ୍ର ଏନେଇ ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆରଟିସି) ଅନ୍ତଃରାଜ୍ୟ ବସ୍ ସେବାକୁ ତ୍ୱାରନ୍ୱିତ କରିବାକୁ ଯାଉଛି । ଏହି ବସ୍ ସେବା ଆରମ୍ଭ ହେଲେ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହେବ ।
ସେଥିମଧ୍ୟରୁ ୮୦ ବସ୍ ଖଣ୍ଡିଗିରି ଡିପୋରେ ପହଞ୍ଚିଛି । ଏହି ବସ୍ ବିଭିନ୍ନ ରାଜ୍ୟର ରାଜଧାନୀକୁ ଯୋଡ଼ିବ । ପ୍ରାୟତଃ ସବୁ ବସ୍ ପୁରୀରୁ ବିଭିନ୍ନ ତୀର୍ଥ କ୍ଷେତ୍ର ସହ ଯୋଡ଼ିହେବ । ସେଥିମଧ୍ୟରେ ତାମିଲନାଡୁର ରାମେଶ୍ୱରମ, ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ, ଦ୍ୱାରିକା, ଅଯୋଧ୍ୟା, ବାରନାସୀ, ମହାରାଷ୍ଟ୍ରର ଶିରିଡି, ଆନ୍ଧ୍ରପ୍ରେଦେଶର ତିରିପତି ଭଳି ତୀର୍ଥ ସ୍ଥାନକୁ ଏହି ବସ୍ ସେବା ଆରମ୍ଭ ହେବ ।
ସେହିପରି ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର, କଲିକତାକୁ ଅଧିକ ସଂଖ୍ୟକ ବସ୍ ଚଳାଇବାକୁ ଓଏସ୍ଆରସିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଓଏସ୍ଆରସିଟି ପକ୍ଷରୁ ୮୦ ବସ୍ ପହଞ୍ଚିଛି । ପ୍ରାୟ ୧ କୋଟିରୁ ଅଧିକ ଟଙ୍କାର ଏହି ସବୁ ବସ୍ରେ ଅତ୍ୟାଧୁନିକ ସୁବିଧା ରହିଛି ।
ଏସବୁ ବସ୍ ମାସେରୁ ଅଧିକ ସମୟ ହେଲା କିଣା ହେଲାଣି । ତେବେ ରୁଟ୍ ପରମିସନ୍ ନଥିବାରୁ ବସ୍ ସେବା ଆରମ୍ଭ ହୋଇ ପାରୁନି । ତେଣୁ ଏନେଇ ଓଏସ୍ଆରଟିସି ପକ୍ଷରୁ ଷ୍ଟେଟ୍ ଟ୍ରାନ୍ସପର୍ଟ ଅଥରିଟିକୁ ଚିଠି ଲେଖାଯାଇଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ବସ୍ ସେବା ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏନେଇ ନିକଟରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା ।