ଗ୍ଲୋବାଲ୍ ବାୟୋ ଇଣ୍ଡିଆ ମେଳା: 'ସାମୁଦ୍ରିକ ଅର୍ଥନୀତି କ୍ଷେତ୍ରରେ ଓଡ଼ିଶା ହେବ ଅଗ୍ରଣୀ
ଗ୍ଲୋବାଲ୍ ବାୟୋ ଇଣ୍ଡିଆ ମେଳା: 'ସାମୁଦ୍ରିକ ଅର୍ଥନୀତି କ୍ଷେତ୍ରରେ ଓଡ଼ିଶା ହେବ ଅଗ୍ରଣୀ

ଭାରତୀୟ ଅର୍ଥନୀତିକୁ ଆଗାମୀ ଦିନରେ ବାୟୋଟେକ୍ନୋଲୋଜି କ୍ଷେତ୍ର ସମୃଦ୍ଧ କରିବ । ଏଥିରେ ସାମୁଦ୍ରିକ ଜୈବ-ସମ୍ବଳ ପ୍ରମୁଖ ଭୂମିକା ଗ୍ରହଣ କରିବ । ତେଣୁ ଏହାର ସଠିକ୍ ଉପଯୋଗ କରିବା ପାଇଁ ଓଡ଼ିଶା ପ୍ରସ୍ତୁତ ହେଉଛି ବୋଲି ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।
ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ‘ଗ୍ଲୋବାଲ ବାୟୋ ଇଣ୍ଡିଆ-୨୦୨୪’ର ଦ୍ୱିତୀୟ ଦିନରେ ‘ଟ୍ୟାପିଂ ଦି ବ୍ଲୁ ଇକୋନୋମି’ ଶୀର୍ଷକରେ ଏକ ବିଶେଷ ଅଧିବେଶନ ହୋଇଥିଲା । ଏଥିରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, ଓଡ଼ିଶାରେ ଥିବା ବ୍ୟାପକ ସାମୁଦ୍ରିକ ସମ୍ବଳ ଭାରତୀୟ ବାୟୋ- ଅର୍ଥନୀତିକୁ ସମୃଦ୍ଧ କରିବ ।
ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ଓଡ଼ିଶାର ସୁଦୀର୍ଘ ସାମୁଦ୍ରିକ ତଟ ଉପରେ ବ୍ୟାପକ ଗବେଷଣା ଲାଗି ଯୋଜନା କରୁଛି । ଏହି ଗବେଷଣାରୁ ଯେଉଁ ଫଳ ବାହାରିବ ତାକୁ ଆଧାର କରି ରାଜ୍ୟରେ ସାମୁଦ୍ରିକ ବାୟୋଟେକ୍ନୋଲୋଜି ଶିଳ୍ପ ପ୍ରତିଷ୍ଠା ପାଇଁ ମୁଳଦୂଆ ପଡ଼ିବ । ଏହାକୁ ଆଧାର କରି ଷ୍ଟାର୍ଟଅପ୍ ଓ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ ।ଫଳରେ ଭବିଷ୍ୟତରେ ରାଜ୍ୟ ବ୍ଲୁ-ଇକୋନୋମି କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ହେବ । ବିଆଇଆର୍ଏସିର ପରିଚାଳନା ନିର୍ଦ୍ଦେଶକ ଡ. ଜିତେନ୍ଦ୍ର କୁମାର ଉପସ୍ଥିତ ଥିଲେ । ବିସିକେଆଇସି ଅଧ୍ୟକ୍ଷ ଡ. ମୃତ୍ୟୁଞ୍ଜୟ ସୁଆର ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଷ୍ଟେଟ୍ ରାଉଣ୍ଡ ଟେବୁଲ ବୈଠକ ହୋଇଥିଲା ।
ଏଥିରେ ବିଭାଗୀୟ ପ୍ରମୁଖ ସଚିବ ଚିତ୍ରା ଆରୁମୁଗମ୍, ବାୟୋଟେକ୍ନୋଲୋଜି କ୍ଷେତ୍ର ପାଇଁ ଓଡ଼ିଶାରେ ଥିବା ବିପୁଳ ସମ୍ଭାବନା ଓ ରାଜ୍ୟ ସରକାରଙ୍କ ନିବେଶ ଅନୁକୂଳ ସ୍ୱତନ୍ତ୍ର ନୀତି ବିଷୟରେ ମତ ରଖିଥିଲେ । କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ହୋଇଥିଲା ଯାହା ୧୨ ତାରିଖରେ ଆରମ୍ଭ ହୋଇ ଆଜି ଉଦ୍ଯାପିତ ହୋଇଯାଇଛି ।