ଆନ୍ଦୋଳନକୁ ଓହ୍ଲାଇଲା ଓଡ଼ିଶା ଡ୍ରାଇଭର ମହାସଂଘ

ପ୍ରାୟ ୯ ମାସ ପରେ ପୁଣି ଥର ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ

ଆନ୍ଦୋଳନକୁ ଓହ୍ଲାଇଲା ଓଡ଼ିଶା ଡ୍ରାଇଭର ମହାସଂଘ

ପ୍ରାୟ ୯ ମାସ ପରେ ପୁଣି ଥର ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ । ଗତବର୍ଷର ଦାବି ସହ ନୂଆ ଦଣ୍ଡ ବିଧାନ ବ୍ୟବସ୍ଥାକୁ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି । ଆଜି ପ୍ରଥମ ଦିନରେ ଏହାର ଏତେଟା ପ୍ରଭାବ ପଡ଼ିନାହିଁ । କିନ୍ତୁ ଆଗକୁ ସ୍ଥିତି ସଂଗୀନ ହେବା ଆଶଙ୍କା ରହିଛି ।

ବିବାଦର ସମାଧାନ ନହେଲେ ପରିବାଠାରୁ ଆରମ୍ଭ କରି ପେଟ୍ରୋଲ ପର୍ଯ୍ୟନ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଗୁଡ଼ିକର ଦରଦାମ ଉପରେ ଏହାର ପ୍ରଭାବ ପଡିବ ବୋଲି ସତର୍କ କରିଛନ୍ତି ବଜାର ବିଶେଷଜ୍ଞ ।

ଗତବର୍ଷ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରି ଅଖଚକ ବନ୍ଦ କରି ଦେଇଥିଲେ ଡ୍ରାଇଭର । ବର୍ଷ ଆରମ୍ଭରୁ ପୁଣିଥରେ ଆନ୍ଦୋଳନ ଡାକରା ଦେଇଛି ଡ୍ରାଇଭର ମହାସଂଘ । ଗତବର୍ଷର ଦାବି ସହ ନୂଆ ଦଣ୍ଡ ବିଧାନ ବ୍ୟବସ୍ଥାକୁ ବିରୋଧ କରାଯାଇଛି । ହିଟ୍ ଆଣ୍ଡ ରନ୍ ମାମଲାରେ ଭାରତୀୟ ନ୍ୟାୟ ସଂହିିତାରେ ରଖାଯାଇଥିବା ନୂଆ ବର୍ଦ୍ଧିତ ଦଣ୍ଡ ବ୍ୟବସ୍ଥା ବିରୋଧରେ ଟ୍ରକ ଅପରେଟର ଧର୍ମଘଟ କରିବା ପରେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ କରାଯିବ ବୋଲି ସୂଚନା ନେଇଛନ୍ତି ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାବି ଜଣାଇ ଆନ୍ଦୋଳନ ଆରମ୍ଭ କରାଯାଇଛିି । ନୂଆ ଦଣ୍ଡ ବିଧାନ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ସହ ଡ୍ରାଇଭରଙ୍କୁ ରାଜ୍ୟ ସରକାରଙ୍କ ବୀମା ଯୋଗାଇ ଦେବାକୁ ଦାବି ରଖିଛନ୍ତି । ୩ ମାସ ଭିତରେ ବୀମା ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲେ ବି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନି ବୋଲି ଅଭିଯୋଗ ହୋଇଛି ।

ଆଜି ଆନ୍ଦୋଳନର ପ୍ରଭାବ ଏତେଟା ଦେଖିବାକୁ ମିଳିନି, କିନ୍ତୁ ଆଗକୁ ଆନ୍ଦୋଳନ ଜାରି ରହିଲେ ଚାରିଆଡ଼େ ପଡିବ ଏହାର ପ୍ରଭାବ । ପରିବାଠାରୁ ଆରମ୍ଭ କରି ପେଟ୍ରୋଲ ପର୍ଯ୍ୟନ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଗୁଡ଼ିକର ଦର ବଢିବା ନେଇ ଆକଳନ କରିଛନ୍ତି ବଜାର ବିଶେଷଜ୍ଞ । ଆନ୍ଦୋଳନ ଜାରି ରହିଲେ ଆକାଶଛୁଆଁ ହୋଇଯିବ ପରିବା ଦର । ଆସନ୍ତା ୨୦ ଦିନ ପାଇଁ ରାସନ ସାମଗ୍ରୀ ମହଜୁଦ ରହିଛି । ତୁରନ୍ତ ଏହି ବିବାଦର ସମାଧାନ ନହେଲେ ସ୍ଥିତି ବିଗିଡ଼ିଯିବ ବୋଲି କହିଛନ୍ତି ବ୍ୟବସାୟୀ ମହାସଂଘର ସଂପାଦକ ସୁଧାକର ପଣ୍ଡା ।

ସେହିପରି ପରିସ୍ଥିତିକୁ ଆଖି ଆଗରେ ରଖି କେଉଁଭଳି ଭାବେ ଅଧିକରୁ ଅଧିକ ତେଲ ସମସ୍ତ ପେଟ୍ରୋଲ ପମ୍ପକୁ ପଠାଯାଇ ପାରିବ ତାହାର ବ୍ୟବସ୍ଥା କରିବାକୁ ପ୍ରୟାସ ଆରମ୍ଭ ହୋଇଥିବା କହିଛନ୍ତି ପେଟ୍ରୋଲିୟମ ସଂଘର ସଂପାଦକ ।

ବାରମ୍ବାର ସରକାର ଓ ଡ୍ରାଇଭର ମହାସଂଘ ଭିତରେ ହେଉଥିବା ବିବାଦ ଯୋଗୁଁ ବଳି ପଡ଼ୁଛନ୍ତି ସାଧାରଣ ଲୋକ । ପ୍ରଭାବ ପଡ଼ିବା ଆଗରୁ ତୁରନ୍ତ ଏହାର ସମାଧାନ ପାଇଁ ଦାବି ହେଉଛି ।