ମିନାକ୍ଷୀ ହେଲେ ମହିଳା କଂଗ୍ରେସ ସଭାପତି
ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତି ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତି ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି । ଏଆଇସିସି ସାଙ୍ଗଠନିକ ସମ୍ପାଦକ କେସି ବେଣୁଗୋପାଳ ଏହି ମର୍ମରେ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି । ମିନାକ୍ଷୀ ମହିଳା କଂଗ୍ରେସ ସଭାନେତ୍ରୀ ହେବା ପରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଅଭିନନ୍ଦନ ଜଣାଇଛନ୍ତି ।
ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶ ଆଧାରରେ ମିନାକ୍ଷୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ମିନାକ୍ଷୀ କୋରାପୁଟ ମୁନିସପାଲଟିର ୨ ଥର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ୨୦୧୧ରୁ ୨୦୨୩ ପର୍ଯ୍ୟନ୍ତ ସେ କୋରାପୁଟ ଜିଲ୍ଲା କଂଗ୍ରେସର ସଭାପତି ଭାର ବହନ କରିଥିଲେ । ଏବେ ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦିକା ଥିବା ମିନାକ୍ଷୀ ଜଣେ ଦକ୍ଷ ନେତ୍ରୀ ଭାବେ ପରିଚିତ ।
ସୂଚନାଯୋଗ୍ୟଯେ, ମିନାକ୍ଷୀଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ହଟାଯିବା ପରେ ବିଦ୍ରୋହର ସ୍ୱର ଉଠିଥିଲା । ତାରାଙ୍କ ନେତୃତ୍ୱରେ ଏକ ଟିମ ଦିଲ୍ଲୀ ଯାଇ ପ୍ରତିବାଦ ମଧ୍ୟ କରିଥିଲେ । ସେହିପରି ନିକଟରେ ଗଠିତ ନିର୍ବାଚନ କମିଟିରେ ବି ତାରାଙ୍କୁ ସ୍ଥାନ ଦିଆଯାଇନଥିଲା । ଯାହାକୁ ନେଇ ଦଳୀୟ ଅଳିନ୍ଦରେ ଭିନ୍ନଭିନ୍ନ ଚର୍ଚ୍ଚା ହେଉଥିଲା । ତେବେ ମିନାକ୍ଷୀଙ୍କୁ ମହିଳା ସଭାନେତ୍ରୀ ଭାବେ କଂଗ୍ରେସ ନିଯୁକ୍ତ କରିବା ପରେ ତାରାଙ୍କ ସମର୍ଥକମାନେ ଉତ୍ସାହିତ ହୋଇଯାଇଛନ୍ତି ।
କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ କହିଛନ୍ତିଯେ, ସେ ଜଣେ ସୁସଂଗଠିକା ଭାବେ ଜଣାଶୁଣା । ପୂର୍ବରୁ ସେ ଦକ୍ଷତାର ସହ କୋରାପୁଟ ଜିଲ୍ଲା କଂଗ୍ରେସର ମଙ୍ଗ ଧରିଥିଲେ । ତାଙ୍କ ନେତୃତ୍ୱରେ ମହିଳା କଂଗ୍ରେସ ବିଜେଡ଼ି ଓ ବିଜେପିର ମୁକାବିଲା କରିପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।