କଳିଙ୍ଗ ବାଲିଯାତ୍ରା 2023 ଉଦଘାଟିତ

ପାରାଦୀପ ରେ ଉଦଘାଟିତ ହେଲା ଐତିହାସିକ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ୨୦୨୩

କଳିଙ୍ଗ ବାଲିଯାତ୍ରା 2023 ଉଦଘାଟିତ

ପାରାଦୀପ, ତା 26.11.23 ରିଖ:ଆଜି ସନ୍ଧ୍ୟାରେ ଜିଲ୍ଲା ର ପାରାଦ୍ଵୀପ ସ୍ଥିତ ବିଜୁ ମଇଦାନ ଠାରେ କଳିଙ୍ଗ ବାଲିଯାତ୍ରା 2023 ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ଶକ୍ତି, ଶିଳ୍ପ, ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ଶ୍ରୀ ପ୍ରତାପ କେଶରୀ ଦେବ ଐତିହ୍ୟ ଓ ପରମ୍ପରାର ସ୍ମୃତିଚାରଣ ନିମନ୍ତେ ଜଗତସିଂହପୁର ଜିଲ୍ଲାର ଏହି ପ୍ରୟାସ କୁ ଅନେକ ପ୍ରଶଂସା କରିଥିଲେ।ପ୍ରାଚୀନ ଉତ୍କଳର ନୌ ବାଣିଜ୍ୟ ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି ଓ ଏଥିରେ ଜଗତସିଂହପୁର ଜିଲ୍ଲା ସର୍ବଦା ଆଗରେ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି କହିଲେ ଯେ, ଜଗତସିଂହପୁର ମାଟି, ବିଜୁ ବାବୁଙ୍କ ମାଟି ଏବଂ ଏହା ସବୁବେଳେ ଐତିହ୍ୟର ଗୁଣଗାନ କରିଥାଏ। ପାରାଦ୍ବୀପ ରେ ଅନୁଷ୍ଠିତ ହେଉଥିବା କଳିଙ୍ଗ ବାଲିଯାତ୍ରା ବର୍ତ୍ତମାନ ଓଡିଶା ପ୍ରସିଦ୍ଧ। ଏହି ବାଲିଯାତ୍ରା ଆମର ପୂର୍ବ ସାଧବ ପୁଅ ମାନଙ୍କ ର ମହାନ କିର୍ତ୍ତୀରାଜି କୁ ମନେ ପକାଇଥାଏ। ଏବେର ବାଲିଯାତ୍ରା କେବଳ ଏକ ଉତ୍ସବ ନୁହଁ ବରଂ ଏହା ଅର୍ଥନୈତିକ ଅଭିବୃଦ୍ଧି ର ସୋପାନ ବୋଲି ଶ୍ରୀ ମୁଦୁଲି କହିଥିଲେ।ଏହି ଅବସରରେ ଜଗତସିଂହପୁର ସାଂସଦ ଡାଃ. ଶ୍ରୀମତୀ ରାଜଶ୍ରୀ ମଲ୍ଲିକ ଓଡିଶା ଓ ଓଡ଼ିଆ ର ପରମ୍ପରା ସବୁବେଳେ ସ୍ବତନ୍ତ୍ର ବୋଲି କହିଥିଲେ।ଓଡିଶାର ପାଟଶାଢୀ,ହାତୀଦାନ୍ତ, କାଠ ଖୋଦିତ କାରୁକାର୍ଯ୍ୟ ସବୁବେଳେ ପ୍ରଶଂସିତ ବୋଲି ଡାଃ ମଲ୍ଲିକ କହିଥିଲେ।ବାଲିକୁଦା ଏରସମା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଶ୍ରୀ ରଘୁନନ୍ଦନ ଦାସ ମଧ୍ୟ କଳିଙ୍ଗ ବାଲିଯାତ୍ରା କୁ ଏକ ଅନନ୍ୟ ପ୍ରୟାସ ବୋଲି କହିଥିଲେ। ଜିଲ୍ଲାର ବୈଦେଶିକ ବ୍ୟାପାର ଅର୍ଥନୀତି କୁ ସୁଦୃଢ଼ କରୁଛି ବୋଲି ସେ କହିଥିଲେ। ପାରାଦ୍ବୀପ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ ସମସ୍ତ ଜିଲ୍ଲାବାସୀ ଙ୍କୁ ବାଲିଯାତ୍ରା ପାଇଁ ଶୁଭେଚ୍ଛା ଜଣାଇ ଥିଲେ।ଚଳିତ ବର୍ଷ ଖୋଲାଯାଇଥିବା 800 ଟି ଷ୍ଟଲ ରେ କ୍ରୟ ବିକ୍ରୟ କରି ଦେଶ ତଥା ରାଜ୍ୟ ର ଅର୍ଥନୀତି କୁ ସୁଧାରିବାକୁ ଆହ୍ଵାନ ଦେଇଥିଲେ। ଉତ୍ତରାଞ୍ଚଳ ଓ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଡଃ ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ କହିଲେ ଯେ ,କଳିଙ୍ଗ ବାଲିଯାତ୍ରା ଏକ ସୁନ୍ଦର ପରମ୍ପରା ଯାହା ଇତିହାସର ମୂକସାକ୍ଷୀ। ଏହି ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତି ପାରୁଲ ପଟାୱରି ଓଡିଶା ର ସାଧବ ପୁଅ ମାନଙ୍କ ନୌ ବାଣିଜ୍ୟ ଖୁବ୍ ସୁନାମଧନ୍ୟ ବୋଲି କହିଥିଲେ। କଳିଙ୍ଗ ବାଲିଯାତ୍ରା ବର୍ତ୍ତମାନ ରାଜ୍ୟରେ ଦ୍ଵିତୀୟ ସର୍ବବୃହତ୍ ବାଣିଜ୍ୟ ସ୍ଥଳ ହୋଇପାରିଛି ବୋଲି କହିଥିଲେ। ଏହି ଅବସରରେ ସେ ମୋଟ 800 ଟି ଷ୍ଟଲ ହୋଇଛି ବୋଲି କହିଥିଲେ ଏବଂ ପ୍ରତ୍ୟେକ ଜିଲ୍ଲାବାସୀ ଙ୍କୁ ଏହାର ଭରପୂର ଆନନ୍ଦ ଉଠାଇବା ସହ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଭାଗୀଦାର ହେବାକୁ ପରାମର୍ଶ ଦେଇଥିଲେ ।ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ଜଗତସିଂହପୁର ଜିଲ୍ଲା କୁ ସ୍ୱାଭିମାନ ର ମାଟି ବୋଲି କହିଥିଲେ। କଳିଙ୍ଗ ବାଲିଯାତ୍ରା ଇତିହାସର ମୂକସାକ୍ଷୀ ଓ ବର୍ତ୍ତମାନ ସମୟଆଗରେ ଏହାକୁ ଆହୁରି ଉନ୍ନତ କରିବାପାଇଁ ଶ୍ରୀ ଭୋଇ କହିଥିଲେ। ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ପାରାଦ୍ବୀପ ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିରଞ୍ଜନ ବେହେରା, ପାରାଦ୍ଵୀପ ପୌର ପରିଷଦ ର ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ବିଶ୍ଵାଳ, ମୁଖ୍ୟ ସାଧାରଣ ପରିଚାଳକ ଓ ମୁଖ୍ୟ, ଆଇ ଓ ସି ଏଲ୍ ଶ୍ରୀ କୌଶିକ ବସୁ, ଶ୍ରୀ କେ ଜେନା ,କେ ଜେ ପଟେଲ ନିର୍ଦ୍ଦେଶକ, ଇଫକୋ, ନିଲେଶ ଦେଶାଇ, ମୁଖ୍ଯ ଉତ୍ପାଦନ ଅଧିକାରୀ, ପି ପି ଏଲ, ଶ୍ରୀ ସୁରେଶ ଜି କାର୍ଯ୍ୟନିର୍ବାହୀ ଅଧିକାରୀ, ଆର୍ସେଲର ମିତ୍ତଲ ଓ ନିପ୍ପନ ଷ୍ଟିଲ ପ୍ରମୁଖ ଯୋଗଦେଇ କଳିଙ୍ଗ ବାଲିଯାତ୍ରା ର ସଫଳ ରୂପାୟନ କାମନା କରିଥିଲେ। ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିରଞ୍ଜନ ବେହେରା ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ସହରର ବୁଦ୍ଧିଜୀବୀ,ବିଭିନ୍ନ ରାଜ୍ୟ ତଥା ଜିଲ୍ଲାରୁ ଆସିଥିବା ବ୍ୟବସାୟୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।ପରେ ବାଲିଯାତ୍ରାର ସ୍ମରଣୀକା ଉନ୍ମୋଚିତ ହୋଇଥିଲା।ଏହି ବାଲିଯାତ୍ରା ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ରାଜ୍ୟ ତଥା ରାଜ୍ଯ ବାହାରୁ 800 ଷ୍ଟଲ ବିଭିନ୍ନ ପ୍ରକାର ହସ୍ତତନ୍ତ, ଟେରାକୋଟା ଆଦି ସାମଗ୍ରୀ ବିକ୍ରୀ କରାଯିବ। 8 ଦିନ ଧରି ରାଜ୍ୟ ତଥା ରାଜ୍ୟ ବାହାରର ସ୍ବନାମଧନ୍ଯ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।