ପାରାଦୀପ ବନ୍ଦର ରେ ଗଚ୍ଛିତ ପ୍ରାୟ ୩୦ହଜାର ମେଟ୍ରିକ୍ ଟନ୍ ବାଲି ଜବତ୍
କାଗଜ ପତ୍ର ଯାଞ୍ଚ ନ ସରିବା ପର୍ଯ୍ୟନ୍ତ ହଟି ପାରିବ ନାହିଁ ଗଚ୍ଛିତ ବାଲି, କୁଜଙ୍ଗ ତହସିଲଦାର ଙ୍କ କଡା କାର୍ଯ୍ୟାନୁଷ୍ଠାନ

ପାରାଦୀପ ବନ୍ଦର ଇତିହାସ ରେ ପ୍ରଥମ ଘଟଣା
ପ୍ରାୟ ୩୦ହଜାର ମେଟ୍ରିକ୍ ଟନ୍ ବାଲି ଉପରେ ଚଢ଼ାଉ,
ଗଚ୍ଛିତ ବାଲି ଜବତ୍ , ଯାଞ୍ଚ ନ ସରିବା ପର୍ଯ୍ୟନ୍ତ ହଟି ପାରିବ ନାହିଁ ବାଲି, କୁଜଙ୍ଗ ତହସିଲଦାର ଙ୍କ କଡା କାର୍ଯ୍ୟାନୁଷ୍ଠାନ
ପାରାଦୀପ : ଆଜି ପର୍ଯ୍ୟନ୍ତ ୧୦ଟନ୍ , ୨୦ଟନ୍ , ୩୦ଟନ୍ , କିମ୍ବା ଦୁଇ ଚାରୋଟି, ଆଠ ଦଶୋଟି ହାଇୱ୍ବା କି ଟ୍ରାକ୍ଟର ଜବତ ହେବାର ଶୁଣିଥିବେ, ଯାହାର ସମୁଦାୟ ପରିମାଣ ପ୍ରାୟ ଶହେ, ଦୁଇ ଶହ, କି ତିନି ଶହ ମେଟ୍ରିକ୍ ଟନ୍ ହେବ। ଏକା ବେଳକେ ପ୍ରାୟ ତିରିଶ ହଜାର ମେଟ୍ରିକ୍ ଟନ୍ ମଧୁର ନଦୀ ବାଲି ଜବତ୍ ହେବାର କେହି କେବେ ଶୁଣି ନାହାଁନ୍ତି। ଯାହାକି ଇତିହାସ ରେ କେବେ ବି ଲିପିବଦ୍ଧ ହୋଇନାହିଁ କିନ୍ତୁ ଆଜି ର ଘଟଣା ବନ୍ଦର ତଥା ଜଗତସିଂହପୁର ଜିଲ୍ଲା ତଥା ରାଜ୍ୟର ପ୍ରଥମ ଘଟଣା ଭାବେ ଇତିହାସ ରେ ଏକ ଐତିହାସିକ ଫର୍ଦ୍ଦ ଯୋଡିଛି। ଏହା କେବଳ ସମ୍ଭବ ହୋଇଛି ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ୍ ଙ୍କ କଡ଼ା ଆଭିମୁଖ୍ୟ ଯୋଗୁଁ। ଯେଉଁଥିରେ ପାରାଦୀପ ବନ୍ଦର ରେ କଳା କାରବାର କରୁଥିବା କେତେକ କଳା ବେପାରୀ ଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।
ତେବେ ଘଟଣାରୁ ଯାହା ଜଣାପଡିଛି ଯେ ପାରାଦୀପ ବନ୍ଦର ମଧ୍ୟ ଦେଇ ବାଲି ଚୋରା ଚାଲାଣ ଯେପରି କଳା ବେପାରୀ ଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ରାଜ୍ୟ ସରକାର ତଥା ପ୍ରଶାସନ ଅଧିକାରୀ ଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି ଏହି କଳା ବେପାରୀ ମାନେ ପାରାଦୀପ୍ ବନ୍ଦର ବାଟ ଦେଇ ପୋର୍ଟ୍ ବ୍ଲେୟାର କୁ ବାଲି ଚୋରା ଚାଲାଣ କରୁଛନ୍ତି। ବାଲି ରପ୍ତାନୀ ନେଇ ରାଜ୍ୟ ସରକାରଙ୍କ କେତେକ କଟକଣା ରହିଛି ଓ ସେହି ନିୟମ କାନୁନ ମାନିକି ତଥା ଆବଶ୍ୟକୀୟ ସଠିକ କାଗଜ ପତ୍ର ହାସଲ କରିକି ବାଲି ଚାଲାଣ କରିବା କଥା କିନ୍ତୁ କେତେକ ବନ୍ଦର ଅଧିକାରୀ ଙ୍କ ସହ ଚୋରା ବାଲି ବେପାରୀ ମଧୁଚନ୍ଦ୍ରିକା କରି ଅନ୍ୟାୟସରେ ବାଲି ଚାଲାଣ କରୁଛନ୍ତି। ତେବେ ଏନେଇ ଗଣମାଧ୍ୟମ ରେ ଯଦିଓ ଖବର ପ୍ରସାରିତ ହେଉଛି କିନ୍ତୁ ବନ୍ଦର କର୍ତ୍ତୃପକ୍ଷ ସେସବୁକୁ ଅଣଦେଖା କରି ସ୍ବଚ୍ଛତା ର ଡିଣ୍ଡିମ ପିଟି ନିଜର କ୍ଷମତା ବୃଦ୍ଧି କରି ରେକର୍ଡ ସୃଷ୍ଟି କରିବା ନିଶାରେ ପ୍ରେସ୍ ଇସ୍ତାହାର ଜାରୀ କରିବାକୁ ପଛାଉ ନାହାଁନ୍ତି। ଯାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ପାରାଦୀପ ରେ।
ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟ ରେ ଗଚ୍ଛିତ ପ୍ରାୟ ୩୦ହଜାର ମେଟ୍ରିକ୍ ଟନ୍ ବାଲି କୁ ଆଜି କୁଜଙ୍ଗ ତହସିଲଦାର ଜବତ୍ କରିଛନ୍ତି। ଯେପର୍ଯ୍ୟନ୍ତ କାଗଜ ପତ୍ର ଯାଞ୍ଚ ନ ସରିଛି କୌଣସି ହାତରେ ଏ ବାଲି ଚାଲାଣ ହୋଇ ପାରିବ ନାହିଁ ବୋଲି ବନ୍ଦର ଅଧିକାରୀ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଗତ କାଲି ଗଣ ମାଧ୍ୟମରେ ଏହି ଚୋରା ବାଲି ଉପରେ ଖବର ପ୍ରସାରଣ ପରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ କୁଜଙ୍ଗ ତହସିଲଦାର ନିଜର ଦଳବଳ ନେଇ ବନ୍ଦର ମଧ୍ୟରେ ଗଚ୍ଛିତ ବାଲି ଅଞ୍ଚଳ ପରିଦର୍ଶନ କରିଥିଲେ। ତେବେ ସେଠାରେ ବାଲିର ପରିମାଣ ଦେଖି ତାର ଆବଶ୍ୟକୀୟ କାଗଜ ପତ୍ର ମଗାଇଥିଲେ , କାଗଜପତ୍ର ଦେଖିବା ପରେ ସେଥିରେ କିଛି ଚଞ୍ଚକତା ହୋଇଥିବା ଅନୁମାନ କରି ସମ୍ପୃକ୍ତ ତହସିଲଦାର ଙ୍କ ସହମତି ଓ ସମ୍ପୃକ୍ତ ଜିଲ୍ଲାପାଳଙ୍କ ଅନୁମତି ଯାଞ୍ଚ କରିବାକୁ ସମୟ ନେଇଛନ୍ତି। ତେବେ ଯେ ପର୍ଯ୍ୟନ୍ତ ଯାଞ୍ଚ ନ ସରିଛି ସେ ପର୍ଯ୍ୟନ୍ତ ଗଚ୍ଛିତ ସ୍ଥାନ ରୁ ମୁଠାଏ ବାଲି କୌଣସି ସ୍ଥାନକୁ ଯାଇ ପାରିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏନେଇ କୁଜଙ୍ଗ ତହସିଲଦାର ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଜଣାଇବା ପରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଗଚ୍ଛିତ ବାଲି ଉପରେ ରହିତାଦେଶ ଜାରି କରିଛନ୍ତି। ଯାଞ୍ଚ ପରେ ଯାଇ ବାଲି ରପ୍ତାନୀ ହେବ ବୋଲି ସୁଚନା ଦେଇଛନ୍ତି।
ତେବେ ବିଗତ ବର୍ଷ ରୁ ମଧୁର ବାଲି ପୋର୍ଟ୍ ବ୍ଲେୟାର କୁ ଯାଉଥିବା ବେଳେ ଫେୟାରମେକ୍ ନାମକ ଏକ କମ୍ପାନୀ ଚଞ୍ଚକତା କରିଥିବାର କାରନାମା ଏବେ ସାମ୍ନା କୁ ଆସିଛି। ଅଚ୍ୟୁତ ମହାନ୍ତି ନାମକ ଜଣେ ସାମାଜିକ କର୍ମୀ ସୁଚନା ଅଧିକାର ଆଇନ ବଳରେ ପାରାଦୀପ ବନ୍ଦର ରୁ ତଥ୍ୟ ହାସଲ କରିଥିଲେ ଯେଉଁ ଥିରେ ୧୧ଟି ପଏଣ୍ଟ୍ ରୁ ମାତ୍ର ଦୁଇଟି ପଏଣ୍ଟ୍ ଦେଇ ଅନ୍ୟ ସବୁ ପଏଣ୍ଟ୍ କିଛି ତଥ୍ୟ ନଥିବା ଦର୍ଶାଇ ଥିଲା । କେତେକ ଅଭିଜ୍ଞତା ବିହୀନ ଅଧିକାରୀ ମାନଙ୍କ ଉଦ୍ୟମ ଯୋଗୁଁ ଏହି କଳା ବେପାରୀ ଏପରି ଦୁଃସାହସ କାର୍ଯ୍ୟ କରିବା ପାଇଁ ସାହାସ ଜୁଟାଉଛନ୍ତି। ଗତକାଲି ଗଣମାଧ୍ୟମ ରେ ଏନେଇ ଖବର ପ୍ରସାରିତ ସତ୍ତ୍ୱେ ତରବରିଆ ଭାବେ ବନ୍ଦର ପ୍ରଶାସନ ପ୍ରେସ୍ ରିଲିଜ୍ ଜଣାଇ ଯେନତେନ ପ୍ରକାରରେ ବାଲି ପଠାଇବାକୁ ଚାହିଁଥିଲା ଯେଉଁ ଥିରେ ଜିଲ୍ଲା ପ୍ରଶାସନ ଆଜି ସମ୍ପୁର୍ଣ୍ଣ କାରନାମା ଉପରେ ପାଣି ପକାଇ ଦେଇଛି ଯାହାକି ସମ୍ପୃକ୍ତ କଳୁଷିତ ବନ୍ଦର ଅଧିକାରୀ ଙ୍କ ଗାଲରେ ଏକ ଶକ୍ତ ଚାପୁଡ଼ା ସଦୃଶ ହୋଇଛି।
ତେବେ ଆସନ୍ତା ୨୯ତାରିଖ ଦିନ ପାରାଦୀପ ବନ୍ଦର ରେ ଲାଗିବାକୁ ଥିବା ଏବଂ ବାଲି ନେବାକୁ ଆସିଥିବା ଗୋଲଡେନ୍ ଫ୍ଲେମ୍ ର ଭାଗ୍ୟ ଓ ଭବିଷ୍ୟତ ଅନ୍ଧାର କୁ ଚାଲି ଯାଇଛି। ଏହାକୁ ମଗାଇଥିବା ଫେୟାରମେକ୍ କମ୍ପାନୀ ସ୍ବଚ୍ଛତା ର ସହ ବାଲି ଉତ୍ତୋଳନ କରିଛି କି କୌଣସି ଅନିୟମିତତା ଅବଲମ୍ବନ କରିଛି ସେନେଇ ସମସ୍ତ ପ୍ରକ୍ରିୟା ଯାଞ୍ଚ ସରିବା ପରେ ହିଁ ଜଣା ପଡ଼ିବ। ଯାହା ଉପରେ ଏବେ ସମସ୍ତଙ୍କର ନଜର।
ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ