ରାଷ୍ଟ୍ରପତିଙ୍କ ଭାଷଣରେ ବିଦ୍ୟୁତ୍ କଟିବା ପ୍ରସଙ୍ଗ: ୭ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ

ରାଷ୍ଟ୍ରପତିଙ୍କ ଭାଷଣରେ ବିଦ୍ୟୁତ୍ କଟିବା ପ୍ରସଙ୍ଗ: ୭ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ

ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରପତିଙ୍କ ଭାଷଣ ବେଳେ ଗତ ୬ ତାରିଖ ଦିନ ବିଦ୍ୟୁତ କଟିଯିବା ପ୍ରସଙ୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରିପୋର୍ଟ ମାଗିଛନ୍ତି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ଏମ୍‌ଏସ୍‌ସିବିୟୁର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ରିପୋର୍ଟ ମାଗି ଆଗାମୀ ୭ ଦିନ ମଧ୍ୟରେ ଏହା ଦାଖଲ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ୪ ତାରିଖ ଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମର୍ମୁ ତିନିଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଥିଲେ । ସେ ଗସ୍ତର ଅନ୍ତିମ ଦିନ (ଶନିବାର)ରେ ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ । ରାଷ୍ଟ୍ରପତି ଦୀକ୍ଷାନ୍ତ ସମାରୋହରେ ଭାଷଣ ଦେବା ସମୟରେ ୯ ମିନିଟ୍ ଯାଏ ବିଦ୍ୟୁତ୍ କଟିଥିଲା । ଏହା ପରେ ବି ରାଷ୍ଟ୍ରପତି ନିଜର ଅଭିଭାଷଣ ଜାରି ରଖିଥିଲେ । ତେବେ ରାଷ୍ଟ୍ରପତି ଅନ୍ଧାରରେ ରହିବା ଘଟଣାକୁ ନେଇ ରାଜ୍ୟ ପ୍ରଶାସନରେ ହୁଲସ୍ତୁଲ ହୋଇଛି ।

ଏହା ଅବଶ୍ୟ ଭିନ୍ନ କଥା ଯେ ଏଭଳି ଅନିଚ୍ଛାକୃତ ତ୍ରୁଟି ପାଇଁ ଶକ୍ତି ବିଭାଗ ଦୁଃଖ ପ୍ରକାଶ କରିଥିଲା । ସୂଚନା ଓ ଲୋକସଂପର୍କ ବିଭାଗ ମଧ୍ୟ ଏହି ଦୋଷକୁ ସ୍ୱୀକାର କରିଛି । ତେବେ ଏଭଳି ବିଦ୍ୟୁତ୍ ବିଭ୍ରାଟକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ଏହି ଉତ୍ସବରେ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌, ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ କୁଳପତି ସନ୍ତୋଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।