ହାତୀ ମୃତ୍ୟୁରେ ଲାଗିବ ରୋକ,ଟ୍ରେନ୍ ଟ୍ରାକ୍‌ରେ ଲାଗିବ ଆଇଡିଏସ୍‌

ଟ୍ରେନ୍‌ ଧକ୍କାରେ ହେଉଥିବା ହାତୀ ମୃତ୍ୟୁରେ ରୋକ ଲାଗିବ ।

ହାତୀ ମୃତ୍ୟୁରେ ଲାଗିବ ରୋକ,ଟ୍ରେନ୍ ଟ୍ରାକ୍‌ରେ ଲାଗିବ ଆଇଡିଏସ୍‌

ଟ୍ରେନ୍‌ରେ ଧକ୍କାରେ ହେଉଥିବା ହାତୀ ମୃତ୍ୟୁରେ ରୋକ ଲାଗିବ । ଏ ନେଇ ପଦକ୍ଷେପ ଗ୍ରହଣ କରିଛି ପୂର୍ବତଟ ରେଳପଥ । ରେଳ ଟ୍ରାକ୍‌ରେ ଲାଗିବ ଇଣ୍ଟ୍ରୁଜନ୍‌ ଡିଟେକସନ୍‌ ସିଷ୍ଟମ୍‌(ଆଇଡିଏସ୍‌) । ଯାହା ଦ୍ୱାରା ହାତୀ ଅନୁପ୍ରବେଶ ଚିହ୍ନଟ ହୋଇପାରିବ । ପୂର୍ବତଟ ରେଳପଥ ଖର୍ଚ୍ଚ କରିବ ୭୯.୧୨ କୋଟି । ରେଳ ଟ୍ରାକ୍‌ ନିକଟକୁ ଆସୁଥିବା ବଣୁଆ ହାତୀକୁ ଚିହ୍ନଟ କରି ଅଧିକାରୀଙ୍କୁ ସତର୍କ କରିବ । ପ୍ରଥମ ପର୍ୟ୍ୟାୟରେ ୨୦୦ କିଲୋମିଟର ରେଳଧାରଣାରେ ଏହାକୁ ଲଗାଯିବ । ଲେଜର୍‌ ସେନ୍ସିଂ ଟେକ୍ନୋଲଜି ଆଧାରରେ ଏହା କାମ କରିବ ବୋଲି ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ପୂର୍ବତଟ ରେଳପଥ ହାତୀ ମୃତ୍ୟୁକୁ ହ୍ରାସ କରାଇବାକୁ ଖୋର୍ଦ୍ଧା ରୋଡ୍‌ ଏବଂ ସମ୍ୱଲପୁର ରେଳ ମଣ୍ଡଳ ପରିସୀମା ମଧ୍ୟରେ ହାତୀ ଗତିବିଧିର ସମ୍ୱେଦନଶୀଳ ସ୍ଥାନଗୁଡିକରେ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ଟ୍ରେନ୍‌ ଧକ୍କା ହେତୁ ବଣୁଆ ହାତୀଙ୍କ ମୃତ୍ୟୁକୁ ରୋକିବା ପାଇଁ ପୂର୍ବତଟ ରେଳପଥ ହାତୀ ଗତିବିଧି ଅଞ୍ଚଳରେ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି । ବର୍ତ୍ତମାନ, ହାତୀ ଚଳପ୍ରଚଳ ଓ ଯାତାୟାତ ଅଞ୍ଚଳ ଏବଂ ହାତୀ କରିଡର୍‌ ଭଳି ସମ୍ୱେଦନଶୀଳ ସ୍ଥାନରେ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ସ୍ଥାପନ କରାଯିବ ।

ପ୍ରଥମ ପର୍ୟ୍ୟାୟରେ ସମ୍ୱଲପୁର ଏବଂ ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ ଅଧୀନରେ ୬ଟି ରେଳ ସେକ୍ସନରେ ପ୍ରାୟ ୨୦୦ କିଲାମିଟର ରେଳଧାରଣା କଡରେ ଏହି ପ୍ରଣାଳୀ କାର୍ୟ୍ୟକାରୀ କରାଯିବ । ମାନେଶ୍ୱର-ବାମୁର, ତୁରେଇକେଲା-ଲଖନା, ଅରାଣ୍ଡ-ଅରଙ୍ଗ ମହାନଦୀ ଓ ନର୍ଲା-ଥେରୁବାଲି ସମ୍ୱଲପୁର ରେଳମଣ୍ଡଳରେ ଏବଂ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଅନ୍ତର୍ଗତ କପିଳାସ ରୋଡ-ରାଜ ଆଠଗଡ଼-ଅନୁଗୁଳ, ରମ୍ଭା-ଗଞ୍ଜାମ ଏବଂ ନୟାଗଡ଼-ପର୍ଜନପୁର ରେଳ ସେକ୍ସନ ଏଥିରେ ଅନ୍ତର୍ଭୁକ୍ତ । ରେଳ ଟ୍ରାକ୍‌ ଆଡକୁ ଆସୁଥିବା ବଣୁଆ ହାତୀକୁ ଚିହ୍ନଟ କରିବାରେ ଏବଂ ହାତୀ ମୃତ୍ୟୁକୁ ଏଡ଼ାଇବାରେ ରେଳ ଅଧିକାରୀଙ୍କୁ ସତର୍କ କରାଇବାକୁ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ସାହାଯ୍ୟ କରିବ । ଅପ୍ଟିକାଲ୍‌ ଫାଇବର୍‌ଗୁଡିକ ସେନ୍ସର୍‌ ଭାବରେ ବ୍ୟବହୃତ ହେବ ଏବଂ ସମ୍ୱେଦନଶୀଳ ସ୍ଥାନଗୁଡିକରେ ବନ୍ୟ ପ୍ରାଣୀମାନଙ୍କର ଗତିବିଧିକୁ ଚିହ୍ନଟ କରିବ । ନିୟନ୍ତ୍ରଣ କକ୍ଷ(କଣ୍ର୍ଟ୍ରୋଲ୍‌ ଅଫିସ୍‌), ଷ୍ଟେସନ୍‌ ମାଷ୍ଟର୍‌, ଗେଟମ୍ୟାନ୍‌ ଏବଂ ଲୋକା ପାଇଲଟ୍‌ମାନଙ୍କୁ ସଚେତନ କରାଇବ । ଟ୍ରାକରେ ହାତୀମାନଙ୍କର ପ୍ରକୃତ ସମୟର ଉପସ୍ଥିତି ଜଣାଇବ । ।