ପାର୍ସଲ ମଗାଇ ଠକେଇର ଶିକାର

ସମ୍ବଲପୁରରେ ପୁଣି ଦେଖିବାକୁ ମିଳିଛି ସାଇବର୍‌ ଠକେଇ ।

ପାର୍ସଲ ମଗାଇ ଠକେଇର ଶିକାର

ସମ୍ବଲପୁରରେ ପୁଣି ଦେଖିବାକୁ ମିଳିଛି ସାଇବର୍‌ ଠକେଇ । ସମସ୍ତ ଚେଷ୍ଟା ସତ୍ତ୍ୱେ ମଧ୍ୟ ସାଇବର୍‌ ଠକେଇ ଥମିବାର ନାଁ ନେଉନାହିଁ। ପାର୍ସଲ ମଗାଇ ମୁଦିପଡ଼ାର ରାଧାନାଥ ବେହେରା ୧ ଲକ୍ଷ ୩ ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି।ସୂଚନା ମିଳିଛି ଜାପାନର ଟୋକିଓରେ ରହୁଥିବା ତାଙ୍କ ଝିଅ ଫ୍ଲିପ୍‌କାର୍ଟରେ ଗୋଟିଏ ପାର୍ସଲ ଅର୍ଡର୍‌ କରିଥିଲେ।

ଯାହା ରାଧାନାଥଙ୍କ ଘରେ ଡେଲିଭରି ଦିଆଯାଇଥାନ୍ତା। କିନ୍ତୁ ପାର୍ସଲ୍‌ଟି ତାଙ୍କୁ ମିଳିବାରେ ବିଳମ୍ବ ହୋଇଥିଲା। ତାପରେ ତାଙ୍କ ଝିଅ ଫ୍ଲିପ୍‌କାର୍ଟର କଷ୍ଟମର୍‌ କେୟାର୍‌ ନମ୍ବର ସଂଗ୍ରହ କରି ରାଧାନାଥଙ୍କୁ ଦେଇଥିଲେ। ୧୩ ତାରିଖ ଦିନ ରାଧାନାଥଙ୍କ ସ୍ତ୍ରୀ ଉକ୍ତ ନମ୍ବରରେ ଯୋଗାଯୋଗ କରିବାରୁ ଫୋନ୍‌ ପେ' ମାଧ୍ୟମରେ ଟଙ୍କା ଫେରାଇ ଦେବେ ବୋଲି କହିଥିଲେ।

ତାଙ୍କ ସ୍ତ୍ରୀଙ୍କ ଫୋନ୍‌ ପେ' ନଥିଲା। ତେଣୁ ସେ ରାଧାନାଥଙ୍କ ନମ୍ବର ଦେଇଥିଲେ। ତାପରେ କଷ୍ଟମର୍‌ କେୟାର୍‌ ନାଁରେ ରାଧାନାଥଙ୍କ ପାଖକୁ କଲ୍‌ ଆସିଥିଲା। ମୋବାଇଲ୍‌ରେ ତାଙ୍କୁ କଷ୍ଟମର୍‌ ସପୋର୍ଟ ଆପ୍‌ ଡାଉନ୍‌ଲୋଡ୍‌ କରିବା ପାଇଁ କହାଗଲା।

କିଛି ସମୟ ପରେ ତାଙ୍କ ଆକାଉଣ୍ଟରୁ ୩ଟି ଟ୍ରେନ୍‌ଜେକ୍‌ସନ୍‌ରେ ୧ ଲକ୍ଷ ୩ ହଜାର ଟଙ୍କା କଟି ଯାଇଥିଲା। ଟଙ୍କା କଟିବା ପରେ ସେ ତୁରନ୍ତ ବ୍ୟାଙ୍କ୍‌ ଶାଖାକୁ ଯାଇ ତାଙ୍କ ଆକାଉଣ୍ଟକୁ ବ୍ଲକ୍‌ କରିଥିଲେ ଏବଂ ସାଇବର୍‌ ହେଲ୍‌ପ ଲାଇନ୍‌ ନମ୍ବର ୧୯୩୦ରେ କଲ୍‌ କରି ଠକେଇ ହୋଇଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଟଙ୍କା ଟ୍ରାନ୍‌ଜେକ୍‌ସନ୍‌ ହୋଇଥିବା ସମସ୍ତ ଆକାଉଣ୍ଟକୁ ଫ୍ରିଜ୍‌ କରି ଦିଆଯାଇଥିଲା। ପୁଲିସ ପୋଲିସ ଏହି ଘଟଣା ଉପରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।