କଟକ ବସ୍ ଟର୍ମିନାଲ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ
କେବଳ ତ୍ରିଶୁଳିଆ ପର୍ଯ୍ୟନ୍ତ ନୁହଁ କଟକ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ ।

କେବଳ ତ୍ରିଶୁଳିଆ ପର୍ଯ୍ୟନ୍ତ ନୁହଁ କଟକ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ । ଏ ନେଇ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ରୂପରେଖରେ ପରିବର୍ତ୍ତନ ହୋଇଛି । ନୂଆବର୍ଷରେ ଏ ସମ୍ପ୍ରସାରିତ ପ୍ରକଳ୍ପର ଶିଳାନ୍ୟାସ ହେବ ।
ପୂର୍ବରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଗଡ଼ିବା ନେଇ ପ୍ରକଳ୍ପ କରାଯାଇଥିଲା । ବର୍ତ୍ତମାନ ଏହାକୁ କଟକ ନେତାଜୀ ବସ୍ ଟର୍ମିନାଲ ଯାଏଁ ସମ୍ପ୍ରସାରିତ କରାଯିବ । ଏ ନେଇ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପରେ ସଂଶୋଧନ କରୁଛନ୍ତି ରାଜ୍ୟ ସରକାର । ଏହି ପଦକ୍ଷେପ ସ୍ୱରୂପ ତ୍ରିଶୁଳିଆ ଓ କଟକର ଜୁଡିସିଆଲ ଏକାଡେମୀକୁ ସଂଯୋଗ କରୁଥିବା ନେତାଜୀ ସେତୁକୁ ଲାଗି ତିଆରି ହେବାକୁ ଥିବା ନୂଆ ସେତୁ ନିର୍ମାଣ ଯୋଜନାରେ କରାଯାଇଛି ପରିବର୍ତ୍ତନ । ଏଥିପାଇଁ 220 କୋଟି ଟଙ୍କାର ସେତୁ ଟେଣ୍ଡରକୁ ବାତିଲ କରାଯାଇଛି ।
ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପ ପାଇଁ ଯୋଜନା ହୋଇଥିଲା । ସେଥିପାଇଁ କଟକ ସହରରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ଚଳାଚଳ କରୁଥିବା ଯାନବାହନ ସଂଖ୍ୟାକୁ ଦେଖି କାଠଯୋଡି ଉପରେ ଥିବା ନେତାଜୀ ସେତୁକୁ ଲାଗି ଆଉ ଏକ 20 ମିଟର ଓସାରର ସେତୁ ନିର୍ମାଣ କରିବାକୁ ଯୋଜନା ହୋଇଥିଲା । ଏହି ପୋଲ ନିର୍ମାଣ ପାଇଁ ଓବିସିସି ପକ୍ଷରୁ ଟେଣ୍ଡର ମଧ୍ୟ ଡକାଯାଇଥିଲା ।
କିନ୍ତୁ ମେଟ୍ରୋ ପ୍ରକଳ୍ପ ଭୁବନେଶ୍ୱର ବିମାନବନ୍ଦରରୁ ସିଏନବିଟି ପର୍ଯ୍ୟନ୍ତ ସଂପ୍ରସାରିତ ହେଉଥିବା ଯୋଗୁଁ କାଠଯୋଡି ଉପରେ ପାରମ୍ପରିକ ପୋଲ ବଦଳରେ 6 ଲେନ ବିଶିଷ୍ଟ ଏକ ବହୁବିଧ ପରିବହନ ବ୍ୟବସ୍ଥା ଥିବା ସେତୁ ନିର୍ମାଣ କରିବାକୁ ଯୋଜନା ହୋଇଛି । 2024 ଜାନୁଆରୀରେ ବିମାନବନ୍ଦରରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପ ଶିଳାନ୍ୟାସ ହେବ ବୋଲି ସୂଚନା ମିଳିଛି । ସେପଟେ ରାଜ୍ୟର ସର୍ବପ୍ରଥମ ଆଧୁନିକ ବସ୍ ଟର୍ମିନାଲ ସହ ସିଧାସଳଖ ବିମାନବନ୍ଦର ଯୋଡି ହେବା ଏବଂ ଟୁଇନସିଟି ମଧ୍ୟରେ ଗମନାଗମନର ଆଉ ଏକ ମାଧ୍ୟମ ଖୋଲିବାକୁ ଯାଉଥିବାରୁ ଏହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ସହରବାସୀ ।