ଆଉ ୪ଲକ୍ଷଙ୍କୁ ମଧୁବାବୁ ପେନ୍‌ସନ୍‌

ରାଜ୍ୟ ସାମାଜିକ ସୁରକ୍ଷା ବ୍ୟବସ୍ଥା ମଧୁବାବୁ ପେନସନ ଯୋଜନାରେ ସାମିଲ ହେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସିର ଖବର।

ଆଉ ୪ଲକ୍ଷଙ୍କୁ ମଧୁବାବୁ ପେନ୍‌ସନ୍‌

ରାଜ୍ୟ ସାମାଜିକ ସୁରକ୍ଷା ବ୍ୟବସ୍ଥା ମଧୁବାବୁ ପେନସନ ଯୋଜନାରେ ସାମିଲ ହେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସିର ଖବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧୁବାବୁ ପେନସନ ଯୋଜନାରେ ଆଉ ୪ ଲକ୍ଷ ଲୋକଙ୍କୁ ସାମିଲ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଫଳରେ ରାଜ୍ୟର ସମୁଦାୟ ମଧୁବାବୁ ପେନସନ ହିତାଧିକାରୀଙ୍କ ସଂଖ୍ୟା ୩୨.୭୫ ଲକ୍ଷରୁ ବୃଦ୍ଧି ପାଇ ୩୬.୭୫ ଲକ୍ଷରେ ପହଞ୍ଚିବ।

ରାଜ୍ୟ ସରକାର ଏଥିପାଇଁ ମାସକୁ ୧୯୦.୨୦ କୋଟି ଟଙ୍କା ଖର୍ଚ୍ଚ କରିବେ। ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ଲୋକମାନେ ଏହି ଯୋଜନାରେ ଅଧିକ ଲୋକଙ୍କୁ ସାମିଲ କରିବାକୁ ଅନୁରୋଧ କରିଥିଲେ। ଲୋକଙ୍କ ଆବେଦନକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଉଲ୍ଲେଖ ଯେ ମୁଖ୍ୟମନ୍ତ୍ରୀ ୨୦୨୩ ଅଗଷ୍ଟରେ ଅତିରିକ୍ତ ୪.୧୩ ଲକ୍ଷ ଲୋକଙ୍କୁ ଏହି ଯୋଜନାରେ ସାମିଲ କରିଥିଲେ। ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସାମାଜିକ ସୁରକ୍ଷା ପ୍ରଦାନ କରିଥାନ୍ତି।

ଏଥିରେ ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା, ସୁସ୍ଥ ହୋଇଥିବା କୁଷ୍ଠ ଓ ଏଡ୍‌ସ ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, ତୃତୀୟଲିଙ୍ଗୀ, କୋଭିଡ୍‌ ଅନାଥ ପିଲାମାନେ ସାମିଲ ହୋଇଥାନ୍ତି। ଏହି ଯୋଜନାରେ ଛୋଟ ପିଲାଠାରୁ ୭୯ ବର୍ଷ ପର୍ଯ୍ୟନ୍ତ ହିତାଧିକାରୀ ମାସକୁ ୫୦୦ ଟଙ୍କା ପାଇଥାନ୍ତି। ୮୦ ବର୍ଷ ବା ଅଧିକ ବୟସର ଲୋକ ମାସକୁ ୭୦୦ ଟଙ୍କା ଦିଆଯାଉଛି। ଭିନ୍ନକ୍ଷମ ବ୍ୟକ୍ତିଙ୍କ କ୍ଷେତ୍ରରେ ୪୦-୫୯% ଅକ୍ଷମତା ଥିବା ଲୋକ ମାସକୁ ୫୦୦ ଟଙ୍କା ପାଉଥିବା ବେଳେ ୬୦% ବା ଅଧିକ ଅକ୍ଷମତା ଥିବା ବ୍ୟକ୍ତିଙ୍କୁ ୭୦୦ ଟଙ୍କା ମିଳୁଛି। ୬୦%ରୁ ଅଧିକ ଅକ୍ଷମତା ଥିବା ୮୦ ବର୍ଷ ବୟସରୁ ଅଧିକ ଲୋକଙ୍କୁ ମାସିକ ୯୦୦ ଟଙ୍କା ମିଳିଥାଏ।