ସରିଲା ବିଧାନସଭାର ଶେଷ ଅଧିବେଶନ

ଫେବ୍ରୁଆରି ୫ରୁ ଆରମ୍ଭ ହୋଇଥିବା ଷୋଡ଼ଶ ବିଧାନସଭାର ପଞ୍ଚଦଶ ଅଧିବେଶନ ଆଜି ଶେଷ ହୋଇଛି। ଏହି ଅଧିବେଶନଟି ଫେବ୍ରୁଆରି ୧୩ତାରିଖ ଯାଏ ଚାଲିବାକୁ ଥିଲେ ହେଁ ଏହା ଆଗୁଆ ଶେଷ ହୋଇଛି। ଏହି ଅଧିବେଶନରେ ମୋଟ୍ ୭ଟି କାର୍ଯ୍ୟଦିବସ ଥିବାବେଳେ ମାତ୍ର ୫ଦିନରେ ଶେଷ ହୋଇଯାଇଛି। ଗୃହରେ କୌଣସି ସରକାରୀ କାର୍ଯ୍ୟ ନାହିଁ କି ଅଧିକ ପ୍ରସଙ୍ଗରେ ଆଲୋଚନାର ହେବାର ନଥିବାରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିବାକୁ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରସ୍ତାବ ଆଣିଥିଲେ।
ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶାସକ ଦଳ ବିଧାୟକ ଅମର ଶତପଥୀ ଓ ଶଶୀଭୂଷଣ ବେହେରା ସମର୍ଥନ କରିବା ପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ହେଲେ ବିରୋଧୀଙ୍କୁ ଏହା ଉପରେ ଆଲୋଚନା କରିବାକୁ ଡକାନଯିବାରୁ ବିଜେପି ବିଧାୟକମାନେ ହଟ୍ଟଗୋଳ କରି ଗୃହ ତ୍ୟାଗ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ସିପିଆଇ(ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାଷଣ ଦେଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
ଚଳିତ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ରଘୁବର ଦାସ ତାଙ୍କ ଅଭିଭାଷଣ ରଖିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଦ୍ବିତୀୟ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଆଲୋଚନା ପାଇଁ ପ୍ରସ୍ତାବ ଆଗତ କରାଗଲା। ତୃତୀୟ ଦିନ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେଲା। ଚତୁର୍ଥ ଦିନ ଅର୍ଥମନ୍ତ୍ରୀ ୨ଲକ୍ଷ ୫୫ହଜାର କୋଟିର ରାଜ୍ୟ ବଜେଟ୍ ଏବଂ ୧ଲକ୍ଷ ୧୮ହଜାର କୋଟି ଟଙ୍କାର ଲେଖାନୁଦାନ ଆଗତ କରିଥିଲେ। ଶେଷ ଦିନରେ ବଜେଟ୍ ଉପରେ ଆଲୋଚନା ହେବା ସହ ବିଧାନସଭାର ସଦସ୍ୟମାନେ ଗ୍ରୁପ୍ ଫଟୋ ଉଠାଇଥିଲେ।
ଏହି ଅଧିବେଶନରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ଯେଉଁମାନଙ୍କ ଠାରୁ ଜମି ଅଧିଗ୍ରହଣ ହୋଇଥିଲା ସେମାନଙ୍କୁ ଜମି ଫେରାଇବା, ବେଦାନ୍ତ ବିଶ୍ବବିଦ୍ୟାଳୟକୁ ଅହେତୁକ ଅନୁକମ୍ପା ଦେଖାଇଥିବାରୁ ମୁଖ୍ୟମନ୍ତ୍ରୀ, ତତ୍କାଳୀନ ରାଜସ୍ବ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରିବାକୁ ବାଚସ୍ପତିଙ୍କୁ ରୁଲିଂ ଦାବି କରି ଗୃହରେ ଧାରଣା ଦେଇଥିଲେ। ବିଜେପି ବିଧାୟକମାନେ ଅର୍ପଣ ରଥ ବୁଲିବା ଏବଂ ଉଷୁନା ଚାଉଳରେ ମହାପ୍ରସାଦ ରନ୍ଧା ହେବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେବାକୁ ବାଚସ୍ପତିଙ୍କ ରୁଲିଂ ଦାବିରେ ଗୃହରେ ଅଚଳାବସ୍ଥା ସୃଷ୍ଟି କରିଥିଲେ। ହେଲେ କୌଣସି ଦାବି ଉପରେ ବାଚସ୍ପତିଙ୍କ ରୁଲିଂ ମିଳିନଥିଲା। ଚଳିତ ଅଧିବେଶନ ୪ଦିନ ବସିଥିବାବେଳେ ୫ଟି ସରକାରୀ କାର୍ଯ୍ୟ ଦିବସ ଥିଲା। ଗୋଟିଏ ମୁଲତବୀ ପ୍ରସ୍ତାବ ଆସିଥିବାବେଳେ ଏହା ଉପରେ ଆଲୋଚନା ହୋଇଥିଲା। ୬୦ଟି ରିପୋର୍ଟ ଉପସ୍ଥାପନ/ପୁନଃସ୍ଥାପନ ହୋଇଥିବାେବଳେ ୧୦ଟି ବାର୍ଷିକ ରିପୋର୍ଟ ଉପସ୍ଥାପନ ହୋଇଥିଲା। ଗୋଟିଏ ଅଫିସିଆଲ୍ ବିଲ୍ ଆଗତ ହୋଇଥିବାବେଳେ ଏହା ପାରିତ ହୋଇଥିଲା। ଚାରିଟି କମିଟି ରିପୋର୍ଟ, ଗୋଟିଏ ବିବୃତ୍ତି ଉପସ୍ଥାପନ ହୋଇଥିଲା। ଏହାସହ ପୂର୍ବତନ ରାଜ୍ୟପାଳ ଏମ୍ଏମ୍ ରାଜେନ୍ଦ୍ରନ ଓ ୬ଜଣ ପୂର୍ବତନ ବିଧାୟକଙ୍କୁ ମିଶାଇ ମୋଟ୍ ୭ଜଣଙ୍କ ପାଇଁ ଶୋକପ୍ରସ୍ତାବ ଆସିଥିଲା। ୨୭୧ଟି ତାରକା ପ୍ରଶ୍ନ ଗ୍ରହଣ କରାଯାଇଥିବାବେଳେ ୪୧୪ଟି ଅଣତାରକା ପ୍ରଶ୍ନ ଗ୍ରହଣ କରାଯାଇଥିଲା। ୫୨୩ଟି ଅଣତାରକା ପ୍ରଶ୍ନର ଉତ୍ତର ଉପସ୍ଥାପନ ହୋଇଥିଲା।