ଆଇନରେ ପରିଣତ ହେଲା ମହିଳା ସଂରକ୍ଷଣ ବିଲ୍, ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ଅଧିନିୟମ)କୁ ଅନୁମୋଦନ କରିଛନ୍ତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ଅଧିନିୟମ)କୁ ଅନୁମୋଦନ କରିଛନ୍ତି । ଫଳରେ ଏହି ବହୁ ଚର୍ଚ୍ଚିତ ବିଲ୍ ଆଇନରେ ପରିଣତ ହୋଇଛି । ନିକଟରେ ଅନୁଷ୍ଠିତ ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏହି ବିଲ୍ ଉଭୟ ଗୃହରେ ପାରିତ ହୋଇଥିଲା ।
ଏହି ଆଇନ ଲାଗୁ ହେବା ପରେ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ରହିବ।
ଆଇନରେ ପରିଣତ ହୋଇଥିଲେ ବି ମହିଳା ସଂରକ୍ଷଣ ବିଲ୍ ଏବେ ଲାଗୁ ହେବା ସମ୍ଭାବନା କମ୍। ଜନଗଣନା ଓ ଦେଶର ବିଭିନ୍ନ ନିର୍ବାଚନ ମଣ୍ଡଳୀର ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବା ପରେ ହିଁ ଏହି ବିଲ୍ ଲାଗୁ ହୋଇପାରେ । ୨୦୨୪ ଲୋକସଭା ନିର୍ବାଚନ ପରେ ଜନଗଣନା ହେବ । ଏହା ପରେ ନିର୍ବାଚନ ମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ କାର୍ଯ୍ୟ ଆରମ୍ଭ ହେବ। ବିଶେଷଜ୍ଞ କହିଛନ୍ତି ଯେ ୨୦୨୯ ଲୋକସଭା ନିର୍ବାଚନ ପରେ ହିଁ ଏହି ବିଲ୍ କାର୍ଯ୍ୟକାରୀ ହୋଇପାରେ । ଏହି ବିଲକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ।
ମୁଖ୍ୟ ବିରୋଧୀ କଂଗ୍ରେସ ସହ ଅନେକ ଦଳ ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି । ଏହାଛଡ଼ା ଏଥିରେ ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ) ଓ ମୁସଲିମ ମହିଳାମାନଙ୍କ ପାଇଁ ଉପସଂରକ୍ଷଣ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ।