ଆସନ୍ତୁ ଜାଣନ୍ତୁ ଅନନ୍ତ-ରାଧିକାଙ୍କ ବାହାଘରର ଭବ୍ୟ ଆୟୋଜନ ବିଷୟରେ

ଆସନ୍ତୁ ଜାଣନ୍ତୁ ଅନନ୍ତ-ରାଧିକାଙ୍କ ବାହାଘରର ଭବ୍ୟ ଆୟୋଜନ ବିଷୟରେ

ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବିବାହର ଚର୍ଚ୍ଚା ଏବେ ସବୁଆଡେ। ଅନନ୍ତ ଓ ରାଧିକାଙ୍କ ଏହି ଖୁସିରେ ବଲିଉଡରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ସାମିଲ ହୋଇଛି। ଗତ ୩ ମାସ ହେଲା ଅନନ୍ତ ଓ ରାଧିକାଙ୍କ ବିବାହର ପ୍ରସ୍ତୁତି ଚାଲିଥିଲା। ଏହି ବିବାହ ପାଇଁ ମୁକେଶ ଅମ୍ବାନୀ ଓ ତାଙ୍କ ପତ୍ନୀ ନୀତା ଅମ୍ବାନୀ ତାଙ୍କ ସମ୍ପତ୍ତିର ଏକ ବହୁତ ବଡ଼ ଅଂଶ ଖର୍ଚ୍ଚ କରିଛନ୍ତି। ତେବେ ଆସନ୍ତୁ ଜାଣିବା ଅନନ୍ତ ଓ ରାଧିକାଙ୍କ ବିବାହରେ କେତେ ହୋଇଛି ଖର୍ଚ୍ଚ? 

ଅମ୍ବାନୀ ପରିବାର ଅନନ୍ତ ଅମ୍ବାନୀଙ୍କ ବିବାହ ନିମନ୍ତେ ପାଖାପାଖି ୨,୫୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଶେଷରେ ରାଧିକା ମର୍ଚ୍ଚାଣ୍ଟ ଅନନ୍ତଙ୍କର ହୋଇଛନ୍ତି। ଏହି ବିବାହ ଉତ୍ସବ ଜିଓ ୱାର୍ଲଡ କନଭେନସନ ସେଣ୍ଟରର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ ହେଉଛି। ଏହି କାର୍ଯ୍ୟକ୍ରମରେ ଭାରତର ରାଜନୀତିରୁ ଆରମ୍ଭ କରି ବଲିଉଡ ଓ ଉଦ୍ୟୋଗଜଗତ ସମେତ ସମଗ୍ର ବିଶ୍ୱର ଆମନ୍ତ୍ରିତ ଅତିଥି ଯୋଗ ଦେଇଛନ୍ତି। ଏହି ବିବାହ ଉତ୍ସବକୁ ଆମନ୍ତ୍ରିତ ସବୁ ଅତିଥି ୧୪ ଜୁଲାଇ ଶନିବାର ଅନୁଷ୍ଠିତ ହେବାକୁ ଥିବା ‘ଶୁଭ ଆଶିର୍ବାଦ’ରେ ଯୋଗ ଦେବେ ଓ ଜୁଲାଇ ୧୪ରେ ରିସେପସନ ସହିତ ବିବାହ ଉତ୍ସବ ସମାପ୍ତ ହେବ।

ଅନନ୍ତ-ରାଧିକାଙ୍କ ବିବାହକୁ ନେଇ ସାରା ବିଶ୍ଵରେ ଚର୍ଚ୍ଚା। ସୂଚନା ମୁତାବକ, ଏହା ଦୁନିଆର ସବୁଠୁ ମହଙ୍ଗା ବିବାହ ମଧ୍ୟରୁ ଅନ୍ୟତମ। ମୁକେଶ ଅମ୍ବାନୀ ତାଙ୍କ ପୁଅ ଅନନ୍ତ ଏବଂ ବୋହୂ ରାଧିକାଙ୍କ ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି। ଇତି ମଧ୍ୟରେ ଏହି ଭବ୍ୟ ବିବାହ ଖର୍ଚ୍ଚ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହରେ କେତେ ଟଙ୍କା ଖର୍ଚ୍ଚ ହେଉଛି ତାହା କୁହାଯାଇଛି –

ଅମ୍ବାନୀ ପରିବାର ପକ୍ଷରୁ ପଠାଯାଇଥିବା ନିମନ୍ତ୍ରଣ କାର୍ଡର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ସେହିପରି ଅନନ୍ତ ଓ ରାଧିକାଙ୍କ ପ୍ରାକ୍ ବିବାହ ଉତ୍ସବର ମୋଟ୍‌ ଖର୍ଚ୍ଚ ପ୍ରାୟ ୧ ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଦ୍ଵିତୀୟ ପ୍ରାକ୍‌ ବିବାହ ଉତ୍ସବରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି। କେବଳ ଏତିକି ନୁହେଁ, ଯଦି ଆମେ ବିବାହ ଏବଂ ପରବର୍ତ୍ତୀ ତିନି ଦିନିଆ ଉତ୍ସବ ବିଷୟରେ କହିବା, ତେବେ ଅମ୍ବାନୀ ପରିବାର ଅନନ୍ତଙ୍କ ବିବାହରେ ପ୍ରାୟ ୩୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅମ୍ବାନୀ ପରିବାର ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ପ୍ରଥମ ପ୍ରାକ୍ ବିବାହ ଉତ୍ସବରେ ପ୍ରାୟ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ମାର୍ଚ୍ଚ୧ରୁ ୩ ତାରିଖ ପର୍ଯ୍ୟନ୍ତ ଗୁଜରାଟର ଜାମନଗରରେ ଏହି ସମାରୋହ ଆୟୋଜିତ ହୋଇଥିଲା। ଏଥିରେ ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ତାରକାମାନେ ଅଂଶଗ୍ରହଣ କରିଥିଲେ ଏବଂ ନିଜ ପ୍ରଦର୍ଶନ ସହ ପାର୍ଟିରେ ଚାର୍‌ ଚାନ୍ଦ ଲଗାଇଥିଲେ। ଏ ସୂଚନା ମଧ୍ୟ ରହିଛି ଯେ, ସମାରୋହ ସମୟରେ ଜାମନଗରରେ ପ୍ରାୟ ୩୫୦ରୁ ଅଧିକ ବିମାନ ଯିବା ଆସିବା କରିଥିଲା। କେବଳ ଏତିକି ନୁହେଁ, ଅତିଥିମାନଙ୍କ ଯାତ୍ରା ପାଇଁ ଖର୍ଚ୍ଚ ମଧ୍ୟ ଅମ୍ବାନୀ ପରିବାର ବହନ କରିଥିଲେ।

ଅନନ୍ତ ଅମ୍ବାନୀଙ୍କ ଦ୍ୱିତୀୟ ପ୍ରାକ୍‌ ବିବାହ ସମାରୋହ ଇଟାଲୀରେ ଆୟୋଜିତ ହୋଇଥିଲା। ପାର୍ଟି କ୍ରୁଜ୍‌(ବିଳାସପୂର୍ଣ୍ଣ ଜାହାଜ)ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଧ୍ୟ ମନୋରଞ୍ଜନ ଏବଂ ବ୍ୟବସାୟ ଜଗତର ପ୍ରସିଦ୍ଧ ବ୍ୟକ୍ତିତ୍ୱମାନେ ସାମିଲ ହୋଇଥିଲେ। ଅମ୍ବାନୀ ପରିବାର ତାଙ୍କ ଅତିଥିମାନଙ୍କ ପାଇଁ ୧୦ଟି ଚାର୍ଟର୍ ଫ୍ଲାଇଟ୍ ବୁକ୍ କରିଥିଲେ। ଏଥିସହ ସେମାନଙ୍କ ସୁବିଧାକୁ ଧ୍ୟାନରେ ରଖି ୧୨ଟି ଘରୋଇ ବିମାନର ବ୍ୟବସ୍ଥା କରାଯାଇଥିଲା। ୧୫୦ରୁ ଅଧିକ ବିଳାସପୂର୍ଣ୍ଣ ଗାଡ଼ିରେ ଅତିଥିମାନେ ଯିବା ଆସିବା କରିଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ଇଟାଲୀରେ ଆୟୋଜିତ ଏହି ସମାରୋହ ପାଇଁ ଅମ୍ବାନୀ ପରିବାର ପ୍ରାୟ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ।

ଏହିଭଳି ଅନନ୍ତ ଓ ରାଧିକାଙ୍କ ପ୍ରାକ୍‌ ବିବାହ ଉତ୍ସବରେ ପ୍ରାୟ ଦେଢ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି ସୂଚନା ଅନୁସାରେ, ଅମ୍ବାନୀ ପରିବାରର ସାନ ପୁଅଙ୍କ ବାହାଘରରେ ପ୍ରାୟ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ତେଣୁ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହର ମୋଟ ବଜେଟ୍ ପ୍ରାୟ ସାଢେ ୩ ହଜାର କୋଟି ଟଙ୍କା ହେବ। ଏହିପରି ଭାବେ ଏହା କେବଳ ଭାରତରେ ନୁହେଁ, ବରଂ ସମଗ୍ର ବିଶ୍ୱରେ ସବୁଠାରୁ ମହଙ୍ଗା ବିବାହ ମଧ୍ୟରୁ ଅନ୍ୟତମ।