ମଧ୍ୟାହ୍ନ ଭୋଜନରେ ମଲା ଝିଟିପିଟି, ୧୨୩ ଛାତ୍ର ଅସୁସ୍ଥ

ବେଙ୍ଗାଲୁରୁ : କର୍ଣ୍ଣାଟକର ରାୟଚୁର୍ ଜିଲ୍ଲା ଅପ୍ନାପାଡୋଡ୍ଡି ଗାଁରେ ଏକ ସରକାରୀ ସ୍କୁଲ୍ରେ ମଲା ଝିଟିପିଟି ପଡ଼ିଥିବା ମଧ୍ୟାହ୍ନ ଭୋଜନ ଖାଇ ୧୨୩ ଛାତ୍ର ଅସୁସ୍ଥ ହୋଇଛନ୍ତି । ଝାଡ଼ା-ବାନ୍ତି ଓ ମୁଣ୍ଡବିନ୍ଧା ଅଭିଯୋଗ ପରେ ଛାତ୍ରମାନଙ୍କୁ ରାୟଚୁରର ୟାପାଲଦିନ୍ନି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ରିମ୍ସ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ଏହା ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅବ୍ଜରଭେସନ୍ରେ ରଖାଯାଇଛି ।
ବାକି ଛାତ୍ର ପ୍ରାଥମିକ ଚିକିତ୍ସା ପରେ ଛାଡ଼ ପାଇଛନ୍ତି । ଶନିବାର ମଧ୍ୟାହ୍ନ ଭୋଜନରେ ଉପମା ପ୍ରସ୍ତୁତ କରାଯାଇଥିଲା ଏବଂ ପ୍ରଥମରୁ ୫ମ ଶ୍ରେଣୀର ୧୨୩ ଜଣ ଛାତ୍ରଙ୍କୁ ଏହା ଦିଆଯାଇଥିଲା । ଏହି ଘଟଣା ପରେ ତିନିଜଣ ରୋଷେଇ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି । ସେହିପରି ସ୍କୁଲ୍ର ହେଡ୍ମାଷ୍ଟର୍ଙ୍କ ସମେତ ୩ଜଣ ଶିକ୍ଷକଙ୍କୁ ନୋଟିସ୍ ଦିଆଯିବା ସହିତ ସେମାନଙ୍କୁ ବଦଳି କରାଯାଇଛି ।