ଚାକିରି ଦେବା ନାଁରେ ଲୋକଙ୍କୁ ଠକି ଗିରଫ ହେଲା ଧର୍ମପାଲ ସିଂହ
ଚାକିରି ଦେବା ନାଁରେ ଲୋକଙ୍କୁ ଠକୁଥିବା ଏକ ବଡ଼ ଘଠଣାର ପର୍ଦ୍ଦାଫାସ୍ ହୋଇଛି । 17 ରାଜ୍ୟର ଲୋକଙ୍କୁ ଚାକିରି ଦେବା କହି ଠକିଥିବା ମାଷ୍ଟରମାଇଣ୍ଡ ଧର୍ମପାଲ୍ ସିଂହ ଗିରଫ ହୋଇଛି ।

ଭୁବନେଶ୍ୱର: ଚାକିରି ଦେବା ନାଁରେ ଲୋକଙ୍କୁ ଠକୁଥିବା ଏକ ବଡ଼ ଘଠଣାର ପର୍ଦ୍ଦାଫାସ୍ ହୋଇଛି । 17 ରାଜ୍ୟର ଲୋକଙ୍କୁ ଚାକିରି ଦେବା କହି ଠକିଥିବା ମାଷ୍ଟରମାଇଣ୍ଡ ଧର୍ମପାଲ୍ ସିଂହ ଗିରଫ ହୋଇଛି । ଠକ ଧର୍ମପାଲ୍ ସିଂହକୁ ବିହାରରୁ ଗିରଫ କରିଛି ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା । ନକଲି ୱେବସାଇଟ୍ ପ୍ରସ୍ତୁତ କରି ସରକାରୀ ଚାକିରିର ବିଜ୍ଞାପନ ଦେଇ ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥା ନାଁରେ ଲୋକଙ୍କୁ ଠକୁଥିଲା । ଏପରିକି ଓଡ଼ିଶାର ଅଗ୍ରଣୀ ଖବରକାଗଜ ଯଥା ଧରିତ୍ରୀ, ସମାଜ ସହ ଅନ୍ୟ ରାଜ୍ୟର ଖବରକାଗଜରେ ମଧ୍ୟ ଚାକିରି ନେଇ ବିଜ୍ଞାପନ ଦେଉଥିଲା ଧର୍ମପାଲ୍ ସିଂହ । ଖାଲି ସେତିକି ନୁହେଁ, ଚାକିରି ପାଇଁ ଲୋକେ ଆବେଦନ କରିବା ପରେ ଅନଲାଇନ ପରୀକ୍ଷା ଓ ଇଣ୍ଟରଭ୍ୟୁ ମଧ୍ୟ କରାଉଥିଲା । ବିଭିନ୍ନ ପରୀକ୍ଷା ପାଇଁ ୱେବସାଇଟ୍ ରେ ସିଲାବସ ମଧ୍ୟ ଦେଉଥିଲା । ଏଭଳିକି ଚାକିରି ନାଁରେ ଠକୁଥିବା ସଂସ୍ଥାଠୁ ଦୁରେଇ ରହିବା ପାଇଁ ମଧ୍ୟ ଏହି ୱେବସାଇଟ୍ ଜରିଆରେ ପିଲାଙ୍କୁ ସତର୍କ କରାଯାଉଥିଲା ।
ଆପ୍ଲିକେସନ ଫି ବାବଦକୁ ଲକ୍ଷ ଲକ୍ଷ ପିଲାଙ୍କଠୁ କୋଟି କୋଟି ଟଙ୍କା ରୋଜଗାର କରୁଥିଲା ଏହି ଠକ । ଦୀର୍ଘଦିନର ପରିଶ୍ରମ ପରେ ଏହି ଠକ ଧର୍ମପାଲ୍ ସିଂହକୁ ଗିରଫ କରିବାରେ ସକ୍ଷମ ହୋଇଛି ଓଡ଼ିଶା ଇଓଡବ୍ଲୁ । ବିହାରରୁ ଗିରଫ କରାଯିବା ପରେ ଧର୍ମପାଲ୍ ସିଂହକୁ 5 ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଠକେଇ କରୁଥିବା ଏହି ୱେବସାଇଟରେ ଲେଖା ଥିଲା ଚାକିରି ଠକେଇ ପ୍ରତି ସାବଧାନ ରୁହନ୍ତୁ । 2020 ମସିହାରୁ ଓଡ଼ିଶା ସହ ଦେଶର 17 ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼, ଉତ୍ତରାଖଣ୍ଡ, ରାଜସ୍ଥାନ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ପଶ୍ଚିମବଙ୍ଗ, ଆସାମା, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, କେରଳ, କର୍ଣ୍ଣାଟକ, ଝାଡ଼ଖଣ୍ଡ, ପଞ୍ଜାବ ଓ ହରିୟାଣା ଆଦି ରାଜ୍ୟରେ ସଂସ୍ଥା ଚାକିରୀ ଯୋଗାଇ ଦେବା ନାଁରେ ଠକେଇ କରୁଥିଲା । କେବଳ ଚାକିରି ନୁହେଁ ସଂସ୍ଥା ଜାଲ୍ ସ୍କଲାରସିପ୍ ପରୀକ୍ଷା ମଧ୍ୟ କରୁଥିବା ତଦନ୍ତ ବେଳେ ଜଣା ପଡ଼ିଛି ।