ସୀମାନ୍ତରୁ ୬ ନକ୍ସଲ ଗିରଫ, ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲା ପୁଲିସକୁ ବଡ ସଫଳତା ମିଳିଛି। ନକ୍ସଲ ନେତା ସହ ତା’ର ୫ ସହଯୋଗୀକୁ ପୁଲିସ ଗିରଫ କରିଛି।

ସୀମାନ୍ତରୁ ୬ ନକ୍ସଲ ଗିରଫ, ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ

 ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲା ପୁଲିସକୁ ବଡ ସଫଳତା ମିଳିଛି। ନକ୍ସଲ ନେତା ସହ ତା’ର ୫ ସହଯୋଗୀକୁ ପୁଲିସ ଗିରଫ କରିଛି। ଏମାନଙ୍କ ନିକଟରୁ ବିସ୍ଫୋଟକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ ହୋଇଛି। ଗିରଫ ନକ୍ସଲମାନେ ନିକଟରେ ଓଡ଼ିଶା ସୀମାନ୍ତରେ ରାସ୍ତାରେ କାମରେ ନିୟୋଜିତ ଗାଡି ଜାଳିଦେବା, ଆଇଡି ବିସ୍ଫୋରଣ ଆଦି ବହୁ ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ପୁଲିସ କହିଛି। ଆସନ୍ତା ଦିନରେ ସୀମାନ୍ତରେ ବଡଧରଣ ହିଂସାକାଣ୍ଡ ଭିଆଇବାକୁ ଯୋଜନା କରୁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାରିବାକୁ ପାଇଛି।

ଆଜି ପଶ୍ଚିମ ସିଂହଭୂମ ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି କହିଛନ୍ତି, ଗତକାଲି ରାସ୍ତାରେ ଯାନବାହନ ଯାଞ୍ଚ ଚାଲୁଥିବାବେଳେ ନକ୍ସଲ ବୋଞ୍ଜ ହେମ୍ବ୍ରମ ପୁଲିସକୁ ଦେଖି ଦୌଡିବାକୁ ଲାଗିଥିଲା। ପୁଲିସ ପିଛା କରି ହେମ୍ବ୍ରକୁ କାବୁ କରିବାରେ ସଫଳ ହୋଇଥିଲେ। ତା’ ନିକଟରୁ ଦୁଇଟି ଡେଟୋନେଟର ସହ ଦୁଇଟି ଜିଲେଟିନ୍‌ ଜବତ ହୋଇଥିଲା। ତା’ର ସୂଚନା ଆଧାରରେ ପୁଲିସ ଅନ୍ୟ ନକ୍ସଲ ଡୁବରାଜ ହେମ୍ବ୍ରମ, ତୁରୀ ଦେଓଗମ୍‌, ପାଲସିଂହ ହେମ୍ବ୍ରମ୍‌କୁ ଗିରଫ କରିଥିଲା। ଏମିତି ଗିରଫ ସମସ୍ତ ନକ୍ସଲଙ୍କ ନିକଟରୁ ୫ ଡେଟୋନେଟର ଓ ୫ଟି ଜିଲେଟିନ୍‌ ଜବତ କରାଯାଇଥିଲା। ଏମାନେ ନକ୍ସଲ ସଙ୍ଗଠନକୁ ବିସ୍ଫୋଟକ ସାମଗ୍ରୀ ପହଞ୍ଚାଉଥିଲେ। ୬ ନକ୍ସଲ ଗିରଫ ପରେ ଏମାନଙ୍କ ସୂଚନା ଆଧାରରେ ସିଆର୍‌ପିଏଫ୍ ଯବାନ ଓ ସ୍ଥାନୀୟ ପୁଲିସ ପକ୍ଷରୁ ମିଳିତ ଭାବେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।